ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି ନୋଡାଲ ଅଫିସର
  • ୨୭ ଯାଏଁ ଚାଲିବ ଯାଞ୍ଚ ପ୍ରକ୍ରିୟା
  • ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ
  • ଅଯୋଗ୍ୟଙ୍କଠାରୁ କେମିତି ଆସିବ ଟଙ୍କା?

ନିର୍ବାଚନ ଶେଷ ହେବା ପରେ ରାଜ୍ୟ ସରକାରଙ୍କୁ ଘାରିଛି ‘କାଳିଆ’ ଚିନ୍ତା। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ହେଲେ ବର୍ତ୍ତମାନସୁଦ୍ଧା ଯେଉଁ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ଟଙ୍କା ଫେରାଇବେ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘‘ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ବାଛୁଛନ୍ତି। ଏହି ପ୍ରକ୍ରିୟା ଅଗଷ୍ଟ ୨୭ ଯାଏଁ ଚାଲିବ। ତେବେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଆଗକୁ ଏହା ବଢ଼ିପାରେ’’, କହିଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

ତେବେ ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ସେମାନଙ୍କଠାରୁ ଟଙ୍କା ଫେରାଇ ଆଣିବା ପାଇଁ କୌଣସି ଉଦ୍ୟମ କରି ନାହାନ୍ତି। ତାଛଡ଼ା ନିଜ ଆଡୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସେଥିରେ ଜଣେ ବି ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇ ନାହାନ୍ତି। ତେବେ ସରକାର ସେମାନଙ୍କଠାରୁ କେମିତି ଟଙ୍କା ଆଣୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

କୃଷି ମନ୍ତ୍ରୀ କହିଛନ୍ତି, ‘’୭୫ ଲକ୍ଷ ପରିବାରକୁ କାଳିଆ ସହାୟତା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ୫୧ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଦିଆଯାଇଥିଲା। ହଲେ ସେମାନଙ୍କ ଭିତରୁ ଅଧିକାଂଶ ଆଯୋଗ୍ୟ ହିତାଧିକାରୀ ଥିବା ଅଭିଯୋଗ ଆସିଲା। ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା କୁହାଗଲା। ଯୋଗ୍ୟ, ଅଯୋଗ୍ୟ ବାଛିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି।’’

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା।

ହିତାଧିକାରୀମାନେ ପଞ୍ଚାୟତ ଅଫିସକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇ ପକାଇଲେ। ହିତାଧିକାରୀଙ୍କ ନାଁ ସରକାରଙ୍କ ୱେବ୍‌ ସାଇଟ୍‌ରେ ପଞ୍ଜିକୃତ ହେବା ପରେ ଯାଞ୍ଚ କରାଗଲା। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଆକାଉଣ୍ଟରେ ଦିଆଯାଇଥିଲା।

ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ କିଛି ହିତାଧିକାରୀ ନିର୍ବାଚନ ପୂର୍ବରୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସମାବେଶ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ।

ସରକାର ଗଠନ ପରେ କିଛି ହିତାଧିକାରୀଙ୍କୁ ଟଙ୍କା ପଠାଗଲା। ହେଲେ ଏବେ କ’ଣ ପାଇଁ ଯୋଗ୍ୟ, ଅଯୋଗ୍ୟ କଥା ଉଠୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment