ଓଡ଼ିଶାଲାଇଭ ବ୍ୟୁରୋ

ଦୌଡ଼ରାଣୀ ଦୂତି ଚାନ୍ଦ ବର୍ତ୍ତମାନ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୬ରେ ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ଵ କରି ସାରିଥିବା ଦୂତି ଟୋକିଓ ଅଲିମ୍ପିକ୍ସ ପାଇଁ ମନୋବଳ ଦୃଢ଼ କରିଛନ୍ତି। ଏନେଇ ସେ ଅଗଷ୍ଟ ୨୭ରେ ଉତ୍ତରପ୍ରଦେଶ ଲକ୍ଷ୍ନୌଠାରେ ଖେଳାଯିବାକୁ ଥିବା ଅନ୍ତଃରାଜ୍ୟ ଦୌଡ଼ ପ୍ରତିଯୋଗିତା ଓ ସେପ୍ଟେମ୍ଵର ୨୭ରେ କାତାରର ଦୋହାର ବିଶ୍ଵ ଚମ୍ପିୟାନସିପରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଭିସା ନମିଳିବାରୁ ୟୁରୋପ ଗସ୍ତରୁ ବଞ୍ଚିତ ହୋଇଥିଲେ ଦୂତି। ଏହାପରେ କଳିଙ୍ଗ ଷ୍ଟାଡିୟମରେ ବ୍ୟକ୍ତିଗତ କୋଚ ନାଗପୁରୀ ରମେଶଙ୍କ ପ୍ରଶିକ୍ଷଣରେ ଟାଇମିଂରେ ଉନ୍ନତି ପାଇଁ ଚେଷ୍ଟା ଚଲାଇଛନ୍ତି।

ଏନେଇ ଦୂତି କହନ୍ତି, “ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ମୋର ପ୍ରଥମ ଲକ୍ଷ୍ୟ। ୧୧.୧୫ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଲାଗି ମୁଁ ଖୁବ୍‌ ଆଶାବାଦୀ। ଏଥିପାଇଁ ଜୋରଦାର ଅଭ୍ୟାସ ମଧ୍ୟ କରୁଛି। ଏଥିପାଇଁ ନାଗପୁରୀ ସାର୍‌ ମଧ୍ୟ ଅଧିକ ଗୁରୁତ୍ଵ ଦେଉଛନ୍ତି।”

ପୂର୍ବରୁ ଦୂତି ୨୦୧୮ ଇଣ୍ଡୋନେସିଆର ଜାକାର୍ତ୍ତାରେ ଆୟୋଜିତ ଏସୀୟ କ୍ରିଡ଼ାରେ ୧୦୦ ଓ ୨୦୦ ମିଟରର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ଚଳିତ ଜୁଲାଇ ମାସରେ ଇଟାଲିର ନେପଲସଠାରେ ଖେଳାଯାଇଥିବା ବିଶ୍ଵବିଦ୍ୟାଳୟ କ୍ରିଡ଼ାରେ ୧୦୦ ମିଟର ଦୌଡ଼ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଏହାସହ ଦୂତିଙ୍କ ନାମରେ ୧୦୦ ମିଟର ଦୌଡ଼ରେ ୧୧.୨୪ ସେକେଣ୍ଡର ଜାତୀୟ ରେକର୍ଡ ରହିଛି।

Comment