ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଶ୍ୱ ତୁଳନାରେ ଭାରତର ଅର୍ଥ ବ୍ୟବସ୍ଥା ଭଲ ରହିଛି
  • ଏଫ୍‌ପିଆଇ ଓ ଡିପିଆଇରେ ସରଚାର୍ଜ ହଟିଲା
  • ଷ୍ଟାର୍ଟ-ଅପମାନଙ୍କୁ ଆଞ୍ଜେଲ ଟ୍ୟାକ୍ସ ମନା
  • ବ୍ୟାଙ୍କଗୁଡ଼ିକୁ ମିଳିଲା ଆସ୍ୱସ୍ତି
  • ଏନ୍‌ବିଏଫ୍‌ସି ଜରିଆରେ ସହଜରେ ମିଳିବ ଲୋନ୍‌

ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ପ୍ରେସ୍‌ ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେବଳ ଭାରତରେ ନୁହେଁ, ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛି। ଚୀନ ଓ ଆମେରିକା ମଧରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ତେବେ ସାରା ବିଶ୍ୱ ତୁଳନାରେ ଭାରତର ଅର୍ଥବ୍ୟବସ୍ଥା ଭଲ ରହିଛି।”

ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରେସ୍‌ ମିଟ୍‌ରେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତେବେ ସେବିଷୟରେ ଆସନ୍ତୁ ଜାଣିବା।

ଏଫ୍‌ପିଆଇ ଓ ଡିପିଆଇରେ ସରଚାର୍ଜ ହଟିଲା

ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫପିଆଇ) ଏବଂ ଘରୋଇ ନିବେଶକ(ଡପିଆଇ)ଙ୍କଠାରୁ ସଂଗ୍ରହ କରାଯାଉଥିବା ସରଚାର୍ଜକୁ ପ୍ରତ୍ୟାହାର କରିବାପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଯାହା ଦ୍ୱାରା ବିଦେଶୀ ନିବେଶକମାନେ ଭାରତରେ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଆକୃଷ୍ଟ ହେବେ।

ଷ୍ଟାର୍ଟ-ଅପମାନଙ୍କୁ ଆଞ୍ଜେଲ ଟ୍ୟାକ୍ସ ମନା

ସେହିପରି ଷ୍ଟାର୍ଟ-ଅପମାନଙ୍କ ଉପରୁ ଏବଂ ଡିଆଇପିପିରେ ପଞ୍ଜୀକୃତ ନିବେଶକମାନଙ୍କଠାରୁ କୌଣସି ଆଞ୍ଜେଲ ଟାକ୍ସ ସଂଗ୍ରହ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଆସନ୍ତା ଅକ୍ଟୋବର ୧ରୁ ଏକ କେନ୍ଦ୍ରୀୟ କମ୍ପ୍ୟୁଟର ସିଷ୍ଟମରୁ ଦ୍ୱାରା ଆୟକରଦାତାମାନଙ୍କ ପାଖକୁ ଆୟକର ନୋଟିସ୍‌(ଅର୍ଡର, ସମନ, ଲେଟର) ପଠାଯିବ। ଏହି ମାମଲାଗୁଡ଼ିକର ସମାଧାନ ୩ ମାସ ମଧ୍ୟରେ କରାଯିବ।

ବ୍ୟାଙ୍କଗୁଡ଼ିକୁ ମିଳିଲା ଆସ୍ୱସ୍ତି

ବ୍ୟାଙ୍କିଂ ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ବ୍ୟାଙ୍କଗୁଡ଼ିକ ପାଇଁ ୭୦ ହଜାର କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ଯାହା ଫଳରେ ବ୍ୟାଙ୍କଗୁଡ଼ିକ ୫ ଲକ୍ଷ ଭାଲ୍ୟୁର ଲୋନ୍‌ ବାଣ୍ଟି ପାରିବେ।

ଏନ୍‌ବିଏଫ୍‌ସି ଜରିଆରେ ସହଜରେ ମିଳିବ ଲୋନ୍‌

ଫାଇନାନ୍ସ କମ୍ପାନି(ଏନ୍‌ବିଏଫ୍‌ସି)ଗୁଡ଼ିକ ବର୍ତ୍ତମାନ ଆଧାର ଜରିଆରେ କେୱାଇସି କରି ଲୋନ୍‌ ବାଣ୍ଟି ପାରିବେ। ଏହି ନୂଆ ସିଷ୍ଟମ ଜରିଆରେ ଅତି ସହଜରେ ଲୋନ୍‌ ମିଳିପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସୀତାରମଣ କହିଛନ୍ତି ଯେ, ଏଣିକି ନ୍ୟାସନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି)ର ଫଣ୍ଡିଂ ପାଇଁ ସରକାର ୩୦ ହଜାର କୋଟି ଦେବେ। ପୂର୍ବରୁ ସରକାର ଏନ୍‌ଏଚ୍‌ବିକୁ ୨୦ ହଜାର କୋଟି ଦେଉଥିଲେ।

Comment