ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ। ତେଜିଲା ବିରୋଧର ସ୍ୱର।

ଚଳିତ ବର୍ଷ ହୋଇ ପାରିବନି ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଚିଠି ହୋଇଥିଲା। କଲେଜରେ ଇଲେକ୍ସନ ନୁହେଁ, ସିଲେକ୍ସନ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠି ହେବାର ଦିନକ ପରେ ବିରୋଧର ସ୍ୱର ତେଜିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଛି। କାହିଁକି ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ହେଲା ବୋଲି ମନ୍ତ୍ରୀଙ୍କୁ ଜବାବ ମାଗିଛି।

ଏପଟେ ଛାତ୍ର କଂଗ୍ରେସ ମଧ୍ୟ ଜୋରଦାର ବିରୋଧ କରିଛି। ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଛାତ୍ର କଂଗ୍ରେସ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି।

କଲେଜ ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଛାତ୍ରମାନଙ୍କ ଅଧିକାର ଛଡ଼ାଇ ନେଇଥିବା କହିଛି ଛାତ୍ର କଂଗ୍ରେସ ଏବଂ ଏବିଭିପି। ଏହାର ଦୃଢ଼ ଜବାବ ଦେଇଛି ବିଜେଡି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଛାତ୍ର ବିଜେଡି କହିଛି।

ଶୈକ୍ଷିକ ବାତାବରଣ ଫେରାଇବା ପାଇଁ ଉଚିତ ନିଷ୍ପତ୍ତି – ରାଣା ପ୍ରତାପ ପାତ୍ର

‘‘ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଉଚ୍ଚଶିକ୍ଷା ବିଭାଗ ଉଚିତ୍ ନିଷ୍ପତ୍ତି ନେଇଛନ୍ତି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି’’, କହିଛନ୍ତି ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର।

ସେ ଆହୁରି କହିଛନ୍ତି, ‘‘ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନେକଗୁଡ଼ିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କ୍ୟାମ୍ପରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଡିଜିଟାଲ କ୍ଲାସ୍‌ରୁମ୍‌, ପାଠ୍ୟକ୍ରମରେ ନୂଆ ଟେକ୍ନୋଲୋଜିର ବ୍ୟବସ୍ଥା କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କେମିତି ବୃଦ୍ଧି ପାଇବ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି। ମୋ’ କଲେଜ ଭଳି ଯୋଜନା ମଧ୍ୟ ପ୍ରଣୟନ ହୋଇଛି। ଏହି ଯୋଜନା ନିଶ୍ଚିତ ଭାବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବିପ୍ଲବ ଆଣିବ।’’

‘‘ଛାତ୍ରମାନେ ରାଜନୀତି କରି କେବେ ବି ଜନସେବା କରିପାରିବେ ନାହିଁ। ଯେଉଁମାନେ ଛାତ୍ର ରାଜନୀତିରେ ନଥିଲେ ସେମାନେ ବି ଆଜି ବିଧାୟକ ଓ ସାଂସଦ ହୋଇ ଲୋକଙ୍କ ସେବା କରୁଛନ୍ତି। ବର୍ତ୍ତମାନ ହେଉଛି ପ୍ରତିଯୋଗିତାର ଯୁଗ। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ଦରକାର। ପାଠ ପଢ଼ା ପରେ ସେମାନେ ଚାହିଁଲେ ରାଜନୀତିରେ ପ୍ରବେଶ କରିପାରିବେ’’, କହିଛନ୍ତି ରାଣା ପ୍ରତାପ ପାତ୍ର।

ଛାତ୍ରମାନଙ୍କ ଅଧିକାରକୁ ହତ୍ୟା କରାଯାଇଛି – ଅଭିଳାଷ ପଣ୍ଡା

କଲେଜ ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଅଧିକାରକୁ ହତ୍ୟା କରିଛନ୍ତି। କଲେଜ ନିର୍ବାଚନ ବନ୍ଦ କରି ଶାସକ ବିଜେଡି ନିଜ ଅପରାଗତାକୁ ଲୁଚାଇବାକୁ ଚେଷ୍ଟା କରିଥିବା କହିଛନ୍ତି ଏବିଭିପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା।

‘‘ବିଜୁ ଛାତ୍ର ଜନତା ଦଳରେ ବହୁତ ଫାଟ। ତାଙ୍କ ସଙ୍ଗଠନ ଦୁର୍ବଳ ହୋଇଯାଇଛି। ଏଣୁ ପରାଜୟକୁ ଭୟ କରି ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷା ସମସ୍ୟାକୁ ନେଇ ଏବିଭିପି ଗତ ୩ ବର୍ଷ ହେଲା ଆନ୍ଦୋଳନ କରି ଆସୁଛି। ଶିକ୍ଷାର ଅବ୍ୟବସ୍ଥାକୁ ନେଇ ଛାତ୍ରମାନଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଛି। ତାକୁ ଲଚେଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି’’, କହିଛନ୍ତି ଅଭିଳାଷ।

‘’୧୯ ବର୍ଷ ହେଲା ବିଜେଡି ରାଜ୍ୟରେ ଶାସନ କରୁଛି। ଛାତ୍ରମାନଙ୍କ ବୃହତ୍ତର ସ୍ୱାର୍ଥ କଥା ଚିନ୍ତା କରିବାକୁ ବିଜେଡିକୁ ଏବେ ସମୟ ମିଳିଲା। ଛାତ୍ରମାନଙ୍କ ସ୍ୱାର୍ଥ କଥା ଚିନ୍ତା କରିବାକୁ ସରକାର କାହାର ପରାମର୍ଶ ନେଇଛନ୍ତି? କ୍ୟାମ୍ପସରେ କ’ଣ କରିବା ଦରକାର ଏବଂ କ’ଣ ନୁହେଁ ସେ ବିଷୟରେ ସରକାର ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି କି?, ଏହି ପ୍ରଶ୍ନ ଉଠାଇଛନ୍ତି ଅଭିଳାଷ।

ଭାରତର ଅନ୍ୟ ସବୁ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଛି। ହେଲେ ସେଠି କ’ଣ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଯାଇଛି କି? ଛାତ୍ରମାନଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ରାଜ୍ୟ ସରକାର ବୃହତ୍ତର ସ୍ୱାର୍ଥ କଥା କହୁଛନ୍ତି ବୋଲି କହିଛନ୍ତି ଅଭିଳାଷ ପଣ୍ଡା।

ଛାତ୍ର ବିଜେଡି ଚାରି ଭାଗ – ଇତିଶ ପ୍ରଧାନ

ବିଭିନ୍ନ କଲେଜ କ୍ୟାମ୍ପସରେ ଛାତ୍ର ବିଜେଡିର ସ୍ଥିତି ଦୁର୍ବଳ ହୋଇଯାଇଛି। ଛାତ୍ର ବିଜେଡି ଏବେ ଚାରି ଭାଗ ହୋଇଯାଇଛି। ସେମାନଙ୍କ ଭିତରେ କନ୍ଦଳ ଦେଖାଦେଇଛି। ଏଣୁ ଏହାକୁ ଘୋଡ଼ାଇବା ପାଇଁ ରାଜ୍ୟ ସରକାର ଜାଣିଶୁଣି କଲେଜ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।

‘‘ଯଦି କଲେଜ ନିର୍ବାଚନ ହୁଏ ତାହାଲେ ସବୁଠି ଏବିଭିପି ଏବଂ ଛାତ୍ର କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହୋଇଥାନ୍ତା। ଛାତ୍ର ବିଜେଡି ସବୁଠି ଦୁର୍ବଳ ରହିଛି। ଏହାକୁ ଭୟ କରି ଉଚ୍ଚ ଶିକ୍ଷା ବିଭାଗ କଲେଜ ନିର୍ବାଚନ ବନ୍ଦ କରିଛି’’, କହିଛନ୍ତି ଇତିଶ।

‘‘ସାରା ଭାରତର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେଉଛିା ସେଠି ତ କେବେ ଛାତ୍ର ବିଶୃଙ୍ଖଳାକୁ ଆଳ କରି ନିର୍ବାଚନ ବାତିଲ କରାଯାଉ ନାହିଁ। ତେବେ ଓଡ଼ିଶାରେ କାହିଁକି ବାତିଲ କରାଯାଉଛି। ଛାତ୍ର ବିଶୃଙ୍ଖଳା ରୋକିବା ପାଇଁ ସରକାର ସ୍ଥାୟୀ ପ୍ରତିକାର ନକରି ନିର୍ବାଚନ ବନ୍ଦ କରିବା ନିନ୍ଦନୀୟ’’, କହିଛନ୍ତି ଇତିଶ।

କଲେଜ କ୍ୟାମ୍ପସ୍‌ରେ ଛାତ୍ର ବିଜେଡିର ଦବ୍‌ଦବା ନାହିଁ – ଶୁଭଦର୍ଶିନୀ

ଛାତ୍ର ସଂସଦ ନିର୍ବାଚନ ହେବା ଦରକାର। କାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ହେଉଛି ଛାତ୍ରଛାତ୍ରୀମାନଙ୍କର ଅଧିକାର। ନିଜର ଅପରାଗତା ଲୁଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

‘‘ନିର୍ବାଚନ ବାତିଲ ପାଇଁ ସରକାର ଛାତ୍ର ଅଶାନ୍ତି କଥା କହୁଛନ୍ତି। ହେଲେ ଏହା ବଡ଼ କାରଣ ନୁହେଁ। କୌଣସି କ୍ୟାମ୍ପସ୍‌ରେ ଛାତ୍ର ବିଜେଡିର ସ୍ଥିତି ଭଲ ନାହିଁ। ଏଣୁ ପରାଜିତ ହେବା ଭୟରେ ଆଗୁଆ ନିର୍ବାଚନ ବାତିଲ କରାଯାଇଛି’’, କହିଛନ୍ତି ଏବିଭିପି ସଦସ୍ୟ ତଥା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଶୁଭଦର୍ଶିନୀ ପରିଡ଼ା।

‘‘ଭାରତ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଉତ୍ତମ ରାଷ୍ଟ୍ର ନିର୍ମାଣ ପାଇଁ କଲେଜ ନିର୍ବାଚନ ହେବା ଦରକାର। କାରଣ କଲେଜ ନିର୍ବାଚନରୁ ହିଁ ଛାତ୍ରଛାତ୍ରୀମାନେ ରାଜନୀତି ଶିଖିଥାନ୍ତି। ହେଲେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ଏହା ହେଉଛି ଏକ ପ୍ରି ପ୍ଲାନ୍’’, କହିଛନ୍ତି ଶୁଭଦର୍ଶିନୀ।

Comment