ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅଯୋଗ୍ୟ ହିତାଧିକାରୀଙ୍କଠାରୁ କେମିତି ଆଦାୟ ହେବ ‘କାଳିଆ’ ଟଙ୍କା।

ରାଜ୍ୟ ସରକାରଙ୍କୁ ଏବେ କାଳିଆ ଟେନ୍‌ସନ୍‌। ୨ ଲକ୍ଷ ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ କେମିତି ଟଙ୍କା ଫେରାଇ ଆଣିବେ ତାକୁ ନେଇ ସଚିବାଳୟରେ ମାନସ ମନ୍ଥନ ଚାଲିଥିଲେ ମଧ୍ୟ ଅଙ୍କ ଛିଡୁନି। ଫଳରେ ରାଜ୍ୟ ସରକାରଙ୍କର ୧୪୦ କୋଟିରୁ ଅଧିକ ଟଙ୍କା ପାଣିରେ ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରଣୟନ କରିଥିଲେ ‘କାଳିଆ’ ଯୋଜନା। ଏହି ଯୋଜନା ନିର୍ବାଚନ ବେଳେ ଗେମ୍‌ ଚେଞ୍ଜର ହେବ ବୋଲି କୁହାଗଲା। ‘କାଳିଆ’କୁ ଅସ୍ତ୍ର କରି ଶସକ ବିଜେଡି ନିର୍ବାଚନ ବୈତରଣୀ ପାର୍‌ ହୋଇଥିବା ବିରୋଧୀ ଅଭିଯୋଗ ଆଣିଲେ।

ନିର୍ବାଚନ ସରିଗଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମ ଥର ପାଇଁ ସରକାର ଗଠନ କଲା। ନୂଆ ସରକାର ଆସିବାର ମାତ୍ର ଅଢ଼େଇ ମାସ ଭିତରେ ବିଭିନ୍ନ ଗଣମାଧ୍ୟମରେ ‘କାଳିଆ’ ବିଜ୍ଞାପନ ଦିଆଗଲା। କୁହାଗଲା ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଅ। ଏଥିପାଇଁ ସରକାର ଆକାଉଣ୍ଟ ନମ୍ବର ବି ଦେଲେ।

ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପାଇଁ ସରକାର ପ୍ରତି ପଞ୍ଚାୟତ, ବ୍ଳକ ଏବଂ ଜିଲ୍ଲା ସ୍ତରରେ କାଳିଆ କମିଟି ଗଠନ କରି ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ୨୭ ତାରିଖ ଯାଏଁ ଯାଞ୍ଚ ଚାଲିବ। ତେବେ ୨୨ ତାରିଖ ସୁଦ୍ଧା ସରକାରଙ୍କ ରିପୋର୍ଟ ଅନୁଯାୟୀ ୨ ଲକ୍ଷ ୮୦ ହଜାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯାଞ୍ଚ ଶେଷ ହେବା ବେଳକୁ ଏହି ସଂଖ୍ୟା ୩ ଲକ୍ଷ ଟପିପାରେ ବୋଲି ଆକଳନ କରାଯାଉଛି।

୭୧ ଲକ୍ଷ ପରିବାରକୁ କାଳିଆ ସହାୟତା ଦେବେ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଦୁଇଟି କିସ୍ତିରେ ସରକାର ୫୧ ଲକ୍ଷଙ୍କୁ ଦେଇଛନ୍ତି କାଳିଆ ଟଙ୍କା। ଜଣେ ହିତାଧିକାରୀଙ୍କୁ ସରକାର ୫ ହଜାର ଟଙ୍କା ଦେଇଥିଲେ। ଏବେ ଏହି ୫୧ ଲକ୍ଷଙ୍କ ଭିତରୁ ୨ ଲକ୍ଷ ୮୦ ହଜାର ହିତାଧିକାରୀଙ୍କୁ ଅଯୋଗ୍ୟ ଚିହ୍ନଟ କରାଯାଇଛି।

୨ ଲକ୍ଷ ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ହିସାବରେ ୧୪୦ କୋଟି ଟଙ୍କା ଦେଇଛନ୍ତି। ଏବେ ଏହି ଟଙ୍କା କେମିତି ଫେରିବକୁ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।

ଯଦି ସରକାର ହିତାଧିକାରୀଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବେ ତାହାଲେ ଅଡୁଆ। ଯଦି ନ ଆଦାୟ କରିପାରୁଛନ୍ତି ତାହାଲେ ବି ଅଡୁଆ। ଯଦି ଟଙ୍କା ଆଦାୟ ହୋଇ ନପାରେ ତାହାଲେ ରାଜ୍ୟ ରାଜକୋଷରୁ ଯାଇଥିବା ଟଙ୍କା କେମିତି ଭରଣା ହେବ ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା।

ହିତାଧିକାରୀମାନେ ପଞ୍ଚାୟତ ଅଫିସକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇ ପକାଇଲେ। ହିତାଧିକାରୀଙ୍କ ନାଁ ସରକାରଙ୍କ ୱେବ୍‌ ସାଇଟ୍‌ରେ ପଞ୍ଜିକୃତ ହେବା ପରେ ଯାଞ୍ଚ କରାଗଲା। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଆକାଉଣ୍ଟରେ ଦିଆଯାଇଥିଲା।

ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ କିଛି ହିତାଧିକାରୀ ନିର୍ବାଚନ ପୂର୍ବରୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସମାବେଶ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ସରକାର ତାଙ୍କ ପ୍ରତିଶ୍ରୁତି ରଖିଥିଲେ। କିଛି ହିତାଧିକାରୀଙ୍କୁ ଟଙ୍କା ବି ଦେଇଥିଲେ।

ହେଲେ ଏବେ ଅଯୋଗ୍ୟ ହିତାଧିକାରୀଙ୍କ କଥା ଉଠାଇ ସରକାର ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ହିତାଧିକାରୀମାନଙ୍କୁ ଅଡୁଆରେ ପକାଇବା ସହ ନିଜେ ବି ଚିନ୍ତାରେ ପଡ଼ିଛନ୍ତି।

Comment