ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ବେଳେ ଗଠନ ହୋଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସର ସବୁ କମିଟି ଭଙ୍ଗାଯାଇଛି। ଗତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନଥିବାରୁ ଏଆଇସିସି ଏହି ପଦକ୍ଷେପ ନେଇଛି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିଛନ୍ତି। ଆଗାମୀ ଦିନରେ ନୂଆ ସଙ୍ଗଠନ ଗଢ଼ା ହେବ ବୋଲି ସୂଚନା ମିଳିଛି।

ଗତ ୪ ଦିନ ତଳେ ଦିଲ୍ଲୀରେ କଂଗ୍ରେସର ବୈଠକ ବସିଥିଲା। ଓଡ଼ିଶାର ସବୁ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକାଯାଇଥିଲା। ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାପତ୍ର ଗ୍ରହଣ ନକରିବାକୁ ଅନେକ ନେତା ଦାବି କରିଥିଲେ।

ଦିଲ୍ଲୀ ବୈଠକର ଚାରି ଦିନ ପରେ ଏଆଇସିସି ପିସିସିର ସବୁ କମିଟିକୁ ଅକାମୀ କରି ଦେଇଛନ୍ତି। କେବଳ ପିସିସି ସଭାପତିଙ୍କ ସମେତ, ୨ ଜଣ କାର୍ଯ୍ୟକାରୀ ସଭାପତି ରଖାଯାଇଛି।

୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଦ୍ୱିତୀୟ ସ୍ଥାନରୁ ତୃତୀୟକୁ ଖସି ଆସିଥିଲା କଂଗ୍ରେସ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିଲା। ଏଥିପାଇଁ ନିଜକୁ ଦାୟୀ କରି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇ ନଥିଲା।

ଇତିମଧ୍ୟରେ ଏଆଇସିସି ସଭାପତି ବଦଳିଛନ୍ତି। ରାହୁଲଙ୍କ ଜାଗାରେ ସୋନିଆ ଗାନ୍ଧିଙ୍କୁ ଅସ୍ଥାୟୀ ଭାବେ ସଭାପତି କରାଯାଇଛି। ସୋନିଆ ଏବେ ସାଙ୍ଗଠନିକ ସ୍ଥିତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଓଡ଼ିଶା କଂଗ୍ରେସର ସବୁ କମିଟିକୁ ଭାଙ୍ଗି ଦିଆଯାଇଥିବା କୁହାଯାଉଛି।

Comment