ଓଡ଼ିଶାଲାଇଭ ବ୍ୟୁରୋ

ଆଗାମୀ ଆଇପିଏଲ୍ ସଂସ୍କରଣରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଭାବରେ ଖେଳିପାରନ୍ତି କେ.ଏଲ୍.ରାହୁଲ। ଭାରତୀୟ କ୍ରିକେଟ୍ ଦଳର ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଅଧିନାୟକ ଭାର ଦେବାକୁ ଚିନ୍ତା କରୁଛି ତାଙ୍କ ଆଇପିଏଲ୍ ଦଳ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ।

ପୂର୍ବବର୍ଷ ଦଳର ଅଧିନାୟକ ଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ହଟାଇ ରାହୁଲଙ୍କୁ ଏହି ଦାୟିତ୍ୱ ଦେବାକୁ ଯୋଜନା କରୁଛି ଦଳ। ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟମ୍ୟାଚରେ ମଧ୍ୟ ଚୂଡାନ୍ତ ଏକାଦଶରେ ଅଶ୍ୱିନୀଙ୍କୁ ସ୍ଥାନ ମିଳିନି। ଭାରତର ଏହି ଅଫସ୍ପିନରଙ୍କୁ ୨୦୧୮ରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ୭.୬ କୋଟିରେ କିଣିଥିଲା। ଏହାପରେ ଦଳ ତାଙ୍କୁ ଅଧିନାୟକ ପଦର ମଧ୍ୟ ଦାୟିତ୍ୱ ଦେଇଥିଲା। ହେଲେ ଗତ ଦୁଇ ସିଜିନରେ ଦଳର ପ୍ରଦର୍ଶନ ସେଭଳି ଆଖିଦୃର୍ଶିଆ ହୋଇପାରିନାହିଁ।

ଆଗାମୀ ଆଇପିଏଲ ସଂସ୍କରଣରେ ଯଦି ଅଶ୍ୱିନୀଙ୍କୁ ପଞ୍ଜାବ ଛାଡ଼ିଦେବ ତେବେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ଦଳ ନେବାରେ ଆଗ୍ରହୀ ଥିବା ଜଣାପଡିଛି। ଯଦି ସେ ଏହି ଦଳରେ ସାମିଲ ହୁଅନ୍ତି ତେବେ ସେ ଯୁବ କ୍ରିକେଟର ଶ୍ରେୟସ ଆୟାର କିମ୍ବା ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱରେ ଖେଳିବେ।

କିଙ୍ଗସ୍ ଏକାଦଶ ପଞ୍ଜାବ ତରଫରୁ ଅଶ୍ୱିନୀ ୨୮ଟି ମ୍ୟାଚ୍ ଖେଳି ୨୫ଟି ୱିକେଟ୍ ନେଇଛନ୍ତି। ସେ ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ୍ ଦଳରୁ ଆଇପିଏଲରେ ପଦାର୍ପଣ କରିଥିଲେ। ସେ ୨୦୧୦ରେ ୧୩ଟି ଓ ୨୦୧୧ ମସିହାରେ ୨୦ଟି ୱିକେଟ ଅକ୍ତିଆର କରିଥିଲେ। ଏହାପରେ ସେ ପୁନେ ସୁପରଜ୍ୟାଣ୍ଟ୍ସ ଦଳରୁ ଖେଳିଥିଲେ। ଗତ ଦୁଇବର୍ଷ ଧରି ସେ ପଞ୍ଜାବ ଦଳରୁ ଖେଳିବା ସହ ଅଧିନାୟକ ରହିଥିଲେ।

Comment