ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟେସନରୁ ଷ୍ଟାର ବନିଗଲେ ପଶ୍ଚିମବଙ୍ଗର ମହିଳା ରାନୁ ମଣ୍ଡଳ।

‘‘ତେରୀ ମେରୀ, ଏ କାହାନୀ….’’ ଏବେ ସଭିଙ୍କ ମୁହଁରେ ଏହି ଗୀତ। ସୋସିଆଲ ମିଡିଆରେ ଗୀତକୁ ଖୁବ୍‌ ପସନ୍ଦ କରାଯାଉଛି। ଟିକ୍‌ଟକ୍‌ଠୁ ଆରମ୍ଭ କରି ୟ୍ୟୁଟ୍ୟୁବ ସବୁ ପ୍ଲାଟଫର୍ମରେ ଏବେ ଏହି ଗୀତର ଧୂନ। ହିମେଶ ରେଶମିଆଁଙ୍କ ଆଗାମୀ ଫିଲ୍ମ ହାପି ହାର୍ଡି ହିର୍‌’ର ଏହି ଗୀତ ରିଲିଜ ହେବା ପୂର୍ବରୁ ସୁପରହିଟ ହେବାର କାରଣ ହେଉଛି ଏହାକୁ ଜଣେ ବଲିଉଡ ପ୍ଲେ ବ୍ୟାକ ସିଙ୍ଗର ନୁହେଁ ବରଂ ଜଣେ ଷ୍ଟେସନରେ ଗାଉଥିବା ମହିଳା ଗାଇଛନ୍ତି। ସେହେଲେ ରାନୁ ମଣ୍ଡଳ।

ପ୍ରତିଭା ଥିଲେ ସଫଳତା ନିଶ୍ଚୟ ମିଳେ। ଏକଥା ସତ ପ୍ରମାଣିତ କରି ସମସ୍ତଙ୍କ ପାଇଁ ଏବେ ଉଦାହରଣ ପାଲିଟିଛନ୍ତି ରାନୁ ମଣ୍ଡଳ। ସାରାଦେଶରେ ଏବେ ସେହି ଗୋଟିଏ ନାଁକୁ ନେଇ ଚର୍ଚ୍ଚା। କିଛି ଦିନ ପୂର୍ବରୁ ତାଙ୍କୁ କେହି ଜାଣିନଥିଲେ। ରେଳଷ୍ଟସନରେ ଗୀତ ଗାଇ, ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଏହି ବିଧବା ମହିଳା ଜଣଙ୍କୁ ଏବେ ସାରାଦେଶ ଜାଣିଛି। ରେଳଷ୍ଟେସନରୁ ସେ ଏବେ ବଲିଉଡ ସିଙ୍ଗର ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ଏବେ ତାଙ୍କୁ ଆଉ ରେଳଷ୍ଟେସନରେ ଗୀତ ଗାଇବାକୁ ପଡ଼ିବନି। ବର୍ଷ ବର୍ଷ ଧରି ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କ ଭାଗ୍ୟ ବଦଳିଛି। ସେ ପାଲିଟି ଯାଇଛନ୍ତି ଜଣେ ସେଲିବ୍ରିଟି।

ରାନୁଙ୍କ ସଂଘର୍ଷମୟ କାହାଣୀ

ରାନୁ ମଣ୍ଡଳଙ୍କ ଗୀତ ଯେତିକି ମଧୁର। ତାଙ୍କ ଜୀବନର କାହାଣୀ ସେତିକି କଷ୍ଟକର। ପଶ୍ଚିମବଙ୍ଗ ରାନାଘାଟର ବାସୀନ୍ଦା ହେଉଛନ୍ତି ରାନୁ। ତାଙ୍କ ସ୍ୱାମୀଙ୍କ ନାଁ ଥିଲା ବବ୍‌ଲୁ ମଣ୍ଡଳ। ବିବାହ ପରେ ରାନୁ ମୁମ୍ବାଇ ଯାଇଥିଲେ। ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବାଧ୍ୟ ହୋଇ ପୁଣି ରାନାଘାଟ ଫେରି ଆସିଥିଲେ। ମୁମ୍ବାଇରୁ ଫେରିବା ପରେ ରାନୁ ଏକୁଟିଆ ହୋଇଯାଇଥିଲେ। ପେଟ ପୋଷିବାକୁ ଷ୍ଟେସନରେ ଗୀତ ଗାଉଥିଲେ।

କେମିତି ଚର୍ଚ୍ଚାକୁ ଆସିଲେ ରାନୁ

କିଛିଦିନ ତଳେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣି ଚାରିଆଡେ ତାଙ୍କର ପ୍ରଶଂସା କରାଯାଇଥିଲା। ଲୋକେ ତାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦ୍ୱିତୀୟ ଲତା ଦିଦି ମିଳିଗଲେ ବୋଲି କହିଥିଲେ। ଏବେ ରାନୁଙ୍କୁ ଅନେକ ବଲିଉଡ୍‌ ଶୋ’ରେ ଗୀତ ଗାଇବା ଲାଗି ଅଫର ଆସୁଛି। ସେ ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିଆଁଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ହିର୍‌’ର ତେରି ମେରି କାହାଣୀ ଗୀତରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି।

କିଏ ସେହି ଯୁବକ ଯିଏ ରାନୁଙ୍କ ଭାଗ୍ୟ ବଦଳେଇ ଦେଲେ

୨୬ ବର୍ଷୀୟ ଯୁବକ ଅତୀନ୍ଦ୍ର ଚକ୍ରବର୍ତ୍ତୀ। ସେ ହେଉଛନ୍ତି ଇଞ୍ଜିନିୟର। ରାନୁଙ୍କର ମଧୁର କଣ୍ଠ ଅତୀନ୍ଦ୍ରଙ୍କୁ ଭଲ ଲାଗିଥିଲା। ଏହାପରେ ଅତୀନ୍ଦ୍ର ତାଙ୍କୁ ଲତା ମଙ୍ଗେସଙ୍କର ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇବାକୁ କହିଥିଲେ ଓ ଏହି ସମୟର ଭିଡିଓ ମଧ୍ୟ ରେକର୍ଡ୍ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେୟାର କରିଥିଲେ। ରାତାରାତି ଭିଡିଓଟି ଭାଇରାଲ ହୋଇଥିଲା। ରାନୁ ଷ୍ଟାର ବନିଗଲେ।

ପୂର୍ବରୁ ବି ଗାଉଥିଲେ ଗୀତ

ରାନୁ ପିଲାବେଳୁ ଗୀତ ଗାଇବାକୁ ପସନ୍ଦ କରୁଥିଲେ। ସେ ତାଙ୍କ ଯୁବ ଅବସ୍ଥାରେ ଏକ କ୍ଲବରେ ଗୀତ ଗାଉଥିଲେ। ମାତ୍ର ତାଙ୍କ ପରିବାର ଲୋକଙ୍କ ଏସବୁ ପସନ୍ଦ ନଥିଲା। ସେଥିପାଇଁ ସେ ଗୀତ ଗାଇବା ଛାଡ଼ି ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାନୁଙ୍କୁ ବ୍ୟାକ ଟୁ ବ୍ୟାକ୍‌ ଅଫର ମିଳିଛି। ନିକଟରେ ସୋନୀରେ ପ୍ରସାରିତ ‘ସୁପରଷ୍ଟାର ସିଙ୍ଗର’ ରିଆଲିଟି ସୋ‘ରେ ସେ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିଲେ।

Comment