ଓଡ଼ିଶାଲାଇଭ୍ ବ୍ୟୁରୋ


ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ ଅବଗତ ଓ ସଚେତନ କରିବ ବିଜେପି। କାହିଁକି ଏହି ଧାରାକୁ ଉଚ୍ଛେଦ କରାଗଲା ବିଜେପି ନେତାମାନେ ତାହା ବଖାଣିବେ। ଏନେଇ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ ବୋଲି ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୩୭୦ ଧାରା ସମ୍ପର୍କରେ ସୂଚନା ଏବଂ ଧାରା ଉଚ୍ଛେଦ ପରବର୍ତ୍ତୀ ପରିବର୍ତ୍ତନକୁ ଦେଶର ପ୍ରତ୍ୟେକଙ୍କ ନିକଟରେ ପହଁଚାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ଵରେ ଆୟୋଜିତ ଚୂଡ଼ାନ୍ତ ବୈଠକରେ ଏହି  ନିଷ୍ପତ୍ତି ନିଆଯାଇଛି।

ଏକ ମାସବ୍ୟାପୀ ହେବାକୁ ଥିବା ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ସମୟରେ ଦଳର ଶୀର୍ଷ ନେତୃତ୍ଵ, କେନ୍ଦ୍ରରେ ବରିଷ୍ଠ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତା ଏବଂ ଦଳର ରାଷ୍ଟ୍ରୀୟ ପଦାଧିକାରୀମାନେ ସମାଜର ପ୍ରମୁଖ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବେ। ସେମାନଙ୍କୁ ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କ’ଣ ଲାଭ ହୋଇଛି ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଶୈଳୀରେ କ’ଣ ପରିବର୍ତ୍ତନ ହୋଇଛି ସେ ବିଷୟରେ ଅବଗତ କରାଇବେ।

ଜନଜାଗରଣ ଅଭିଯାନରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ୩୫ଟି ବଡ଼ ଜନସଭା ଆୟୋଜନ କରାଯିବ। ପୂର୍ବରୁ ଲାଗୁଥିବା ଧାରା ୩୭୦ ଫଳରେ ଦେଶ ଏବଂ ଜମ୍ମୁ ଓ କଶ୍ମୀରରେ କେଉଁ ପ୍ରକାର କ୍ଷତି ଘଟୁଥିଲା ତାହାକୁ ବିଜେପି ନେତାମାନେ ଅବଗତ କରାଇବେ। ଜନ ଜାଗରଣ ଅଭିଯାନ ବେଳେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଉଧମପୁର, ଶ୍ରୀନଗର, ଅନନ୍ତନାଗ, ବାରାମୁଳା, ସୋପିଆନ, ଲେହ ଏବଂ କାରଗିଲରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସ୍ୱାଧୀନତା ପରେ ଦେଶ ଇତିହାସରେ ଏପରି ଏକ ସମୟ ଆସିଛି ଯେବେ ସମଗ୍ର ଦେଶ ଭେଦଭାବକୁ ଭୁଲି ଯାଇ ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଛି। ବିଜେପିର ସବୁ ପିଢ଼ିର ନେତା ଏହା ମାନି ଆସିଛନ୍ତି ଯେ ଅନୁଚ୍ଛେଦ ୩୭୦ ଦେଶ ଏକତାର ବିରୋଧରେ ଥିଲା। ୩୭୦ ଧାରା ଉଚ୍ଛେଦ ଐତିହାସିକ ଏବଂ ରାଷ୍ଟ୍ରୀୟ ଏକତା ପାଇଁ ଜରୁରୀ ନିର୍ଣ୍ଣୟ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଛି ଏବଂ ଏତଦଦ୍ୱାରା ଏବେ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଭାରତ ସରକାରଙ୍କ ପ୍ରାୟ ସବୁ ଯୋଜନା ଲାଗୁ ହେବ। ସ୍ଥାନୀୟବାସୀମାନେ ବିକାଶର ସମାନ ସୁବିଧା ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଜନସମ୍ପର୍କ ଅଭିଯାନର ଆୟୋଜନ କମିଟିର ଗଠନ ସଂଯୋଜକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କରାଯାଇଛି। ଏହି କମିଟିରେ ସହ-ସଂଯୋଜକ ଭାବେ ରାଷ୍ଟ୍ରୀୟ ମହାସଚିବ ମୂରଲୀଧର ରାଓ, ସଦସ୍ୟ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ଏବଂ ଗୌରବ ଭାଟିଆ ଅଛନ୍ତି।

ସେହିପରି ଜନଜାଗରଣ ଅଭିଯାନର କାର୍ଯ୍ୟକୁ ତଦାରଖ ଦାୟିତ୍ୱ ଦଳ ପକ୍ଷରୁ ଗଜେନ୍ଦ୍ର ସିଂହଙ୍କୁ ନ୍ୟସ୍ତ କରାଯାଇଛି। ଗଜେନ୍ଦ୍ରଙ୍କ ନେତୃତ୍ଵରେ ଗଠିତ ହୋଇଥିବା କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଦଳର ରାଷ୍ଟ୍ରୀୟ ସଚିବ ସତ୍ୟା କୁମାର ଏବଂ ଲେହର ଲୋକପ୍ରିୟ ସାଂସଦ ଜାମୟାଙ୍ଗ ସୋରେଙ୍ଗ୍ ନାମଗ୍ୟାଲ ଏବଂ ଯୁବ ସାଂସଦ ତେଜସ୍ଵୀ ସୂର୍ଯ୍ୟ ଅଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ ମଧ୍ୟ ଉପସ୍ଥିତ ରହିଥିଲେ।

Comment