ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନ କିଣାକୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ। ଚାଷୀଙ୍କୁ ସମର୍ଥନ ଜଣାଇ ଧାରଣାରେ ବସିଲେ ବିଧାୟକ ତାରାପ୍ରସାଦ ବାହିନୀପତି।

ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦ୍ଵାରା ଧାନ କିଣାକୁ ବିରୋଧ କରି ଆଜି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ଏବଂ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ରାସ୍ତା ଆବରୋଧ କରିଛନ୍ତି। ଚାଷୀମାନଙ୍କ ଦ୍ୱାରା ୨୬ ନମ୍ବର ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରାଯାଇଛି। ତେବେ ଏହାକୁ ସମର୍ଥନ ଜଣାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।

ପୂର୍ବରୁ ଚାଷୀମାନେ ସିଧାସଳଖ ମଣ୍ଡି ଧାନକୁ ଲ୍ୟାମ୍ପ୍‌ସରେ ବିକ୍ରି କରିପାରୁଥିଲେ। ବର୍ତ୍ତମାନ ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଚାଷୀମାନେ ଲ୍ୟାମ୍ପ୍‌ସ ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠି(ଏସଏଚଜି)ଙ୍କୁ ଧାନ ବିକ୍ରି କରିବାକୁ ପଡ଼ିବ। ହେଲେ ଏହା ଦ୍ୱାରା ନିୟମିତ ଧାନ ବିକ୍ରି କରିବା ଏବଂ ଟଙ୍କା ଠିକ ସମୟରେ ପାଇବାରେ ଅସୁବିଧା ସମ୍ମୁଖିନ ହେବେ ବୋଲି ଅଭିଯୋଗ କରିଛନ୍ତି।

ଚାଷୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନଆଯାଇନଥିଲା। ଶେଷରେ ଚାଷୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିବା ପ୍ରକାଶ କରିଛନ୍ତି।

ଦୀର୍ଘ ୩ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରାଯିବା ପରେ ଘଟଣାସ୍ଥଳରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଉପ ଜିଲ୍ଲାପାଳ ଲୋକନାଥ ଦଳବେହେରା ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ।

କୋରାପୁଟ ଜିଲ୍ଲାର ପ୍ରାୟ ୮ଟି ପଞ୍ଚାୟତରେ ବଛା ଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ କିଣା ନେଇ ବ୍ୟବସ୍ଥା କରାଯାଇଛି। ଏସଏଚଜିର ଆର୍ଥିକ ସୁଦୃଢକୁ ବିଚାରକୁ ନେଇ ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରାଯାଉଥିବା କହୁଥିବା ବେଳେ ଚଷା ଦଲାଲ ପୋଷିବାକୁ ସରକାର ଏପରି ଯୋଜନା କରିୁଥିବା ବିଧାୟକ ବାହିନିପତି ଅଭିଯୋଗ କରିଥିଲେ।

ଉପଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଯାଏଁ ଆଲୋଚନା ପରେ କରି ଦାବି ପୁରଣ କରିବାକୁ ପ୍ରତିଶ୍ରୁତି ମୁଳିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ତେବେ ଚାଷୀଙ୍କ ଧାନ ଠିକ ଭାବେ କିଣା ନହେଲେ ହଜାର ହଜାର ବସ୍ତା ଧାନ ରାଜରାସ୍ତାରେ ରଖାଯିବ। ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚାଷୀମାନେ ଚେତାବନି ଦେଇଛନ୍ତି।

Comment