ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ଏଟିଏମ୍‌ ନେଣଦେଣ ମଧ୍ୟରେ ୬ ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ଦିଲ୍ଲୀ ଷ୍ଟେଟ୍‌ ଲେବଲ୍‌ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଏଟିଏମରୁ ଥରେ ଟଙ୍କା ଉଠାଇବାର ୬ ଘଣ୍ଟା ପରେ ହିଁ ଜଣେ ଗ୍ରାହକ ଦ୍ୱିତୀୟ ଥର ଟଙ୍କା ଉଠାଇବା ପାଇଁ ସମର୍ଥ ହେବ। ଏଟିଏମ୍‌ ଠକେଇ ମାମଲା ଉପରେ ଲଗାମ ଲଗାଇବା ପାଇଁ ଏସ୍‌ଏଲ୍‌ବିସି ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି।

ଏହି ଯୋଜନାକୁ ନେଇ ଗତ ସପ୍ତାହରେ ୧୮ଟି ବ୍ୟାଙ୍କ ପ୍ରତିନିଧିଙ୍କୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ଏଭଳି ପ୍ରସ୍ତାବ ଦିଆଯାଇଛି। ବୈଠକରେ ବ୍ୟାଙ୍କ ଠକେଇରୁ ବର୍ତ୍ତିବା ପାଇଁ ଅନ୍ୟାନ୍ୟ ଉପାୟ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଏଟିଏମରୁ ଟଙ୍କା ବାହାର କରିବା ପରେ ଜମାକାରୀଙ୍କୁ ଆଲର୍ଟ କରିବା ପାଇଁ ଓଟିପି ପଠାଯିବା ଉପରେ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଛି। ଯଦି ଏହି ପ୍ରସ୍ତାବ ଉପରେ ମୋହର ଲାଗେ ତାହେଲେ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ମଧ୍ୟ ପଡ଼ିବ।ତେବେ ଏହା ସମଗ୍ର ଦେଶରେ ଲାଗୁ ହେବ କି ନା ତାହା ଜଣା ପଡ଼ିନାହିଁ।

ଦୁଇଟି ଏଟିଏମ୍‌ ଉଠାଣ ମଧ୍ୟରେ ବ୍ୟବଧାନ ୬ରୁ ୧୨ ଘଣ୍ଟା ରଖାଗଲେ ଠକେଇ ମାମଲାକୁ କିଛି ମାତ୍ରାରେ ହ୍ରାସ କରାଯାଇ ପାରିବ ବୋଲି ଦିଲ୍ଲୀ ଏସ୍‌ଏଲବିସି ଆୟୋଜକ ଓ ଓରିଏଣ୍ଟଲ ବ୍ୟାଙ୍କ ଅଫ୍‌ କମର୍ସର ଏମ୍‌ଡି ଓ ସିଇଓ ମୁକେଶ କୁମାର ଜୈନ୍‌ କହିଛନ୍ତି।

ଏଟିଏମ୍‌ ସହିତ ଜଡ଼ିତ ଅଧିକାଂଶ ଠକେଇ ସାଧାରଣତଃ ଅଧାରାତିରୁ ନେଇ ସକାଳ ଭିତରେ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଏଟିଏମ ନେଣଦେଣ ଉପରେ ଲଗାମ ଲଗାଇଲେ ଏହି ସମସ୍ୟାକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।

Comment