ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନାଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ କଶ୍ମୀର ବାରମୂଳାରୁ  ଲସ୍କର ଇ ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି ସେନା। ବୁଧବାର ସେନା ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଚିନ୍ନାର ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍‌ ଡଲ୍ଲନ, ଜମ୍ମୁ କଶ୍ମୀର ପୋଲିସର ଏଡିଜି ମୁନୀର ଖାନ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦୁଇ ଆତଙ୍କବାଦୀଙ୍କ ଭିଡିଓ ମଧ୍ୟ ଜାରି କରାଯାଇଛି।

ଏହି ଦୁଇ ଆତଙ୍କବାଦୀ ଏଲଓସି ପାର କରି ପ୍ରବେଶ କରିଥିବା ଜଣାପଡ଼ିଛି।  ଏଥିରେ କେଉଁଠି ନା କେଉଁଠି ପାକିସ୍ତାନ ସେନାର ସହଯୋଗ ରହିଛି। ଏବେ ବି ଘାଟିରେ ପାକିସ୍ତାନ ପକ୍ଷରୁ କିଛି ଅନୁପ୍ରବେଶକାରୀ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍‌ ଡଲ୍ଲନ କହିଛନ୍ତି।

ଅଗଷ୍ଟ ୨୧ ତାରିଖିରେ ଜମ୍ମୁ କଶ୍ମୀରର ବାରମୂଳାରୁ ଏହି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ସେନା। କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏପରି କରି ପୁଣି ଥରେ ନିଜର ଅସଲ ମୁଖା ସାମ୍ନାକୁ ଆଣିଛି।

Comment