ଓଡ଼ିଶାଲାଇଭ୍ ବ୍ୟୁରୋ

ଗୟାର ଏକ ସରକାରୀ ଡାକ୍ତରଖାନାରେ ହାଇଡ୍ରୋସିଲ ଅପରେସନ ପାଇଁ ଆସିଥିବା ରାମଭଜନ ଯାଦବଙ୍କ ଗୋଡ଼କୁ ଅପରେସନ କରିଛନ୍ତି ଡାକ୍ତରୀ ଟିମ। ଫାଇଲେରିଆ ସମସ୍ୟା ଥିବା କହି ଡାକ୍ତରୀ ଟିମ ଗୋଡ଼ରେ ଅପରେସନ କରିଥିବା ରାମଭଜନଙ୍କ ପୁଅ ଭୁବନେଶ୍ୱର ଅଭିଯୋଗ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ବିପର୍ଯ୍ୟସ୍ଥ ପରିସ୍ଥିତିରେ ସରକାରୀ ଡାକ୍ତରଖାନା। ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଡାକ୍ତର। ଦେଶ ହେଉ କି ରାଜ୍ୟ, ସରକାରୀ ଡାକ୍ତରଖାନା କଥା ଉଠିଲେ ଚିକିତ୍ସା କ୍ଷେତ୍ରରେ ଅବ୍ୟବସ୍ଥା ଓ ଅବହେଳାର ଛବି ହିଁ ମନକୁ ଆସୁଛି। ଆଲୋଚ୍ୟ ସରକାରୀ ହସ୍ପିଟାଲରେ ଚିକିତ୍ସାକୁ ନେଇ ଅବହେଳା ମାମଲା କେବଳ ଗୁରୁତର ନୁହେଁ ଦାୟିତ୍ୱବୋଧର ଅଭାବ ବି।

ଘଟଣାଟି ଏହିଭଳି। ବିହାର ପରୈୟା ବ୍ଲକର ପୁନାକଲା ଗାଁର ରାମଭଜନ ଯାଦବ ସୋମବାର ହାଇଡ୍ରୋସିଲ ଜନିତ ସମସ୍ୟା ନେଇ ଗୟାର ଏକ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ମଧ୍ୟ ହାଇଡ୍ରୋସିଲ ଅପରେସନ ହେବ କହି ଓଟିରେ ଭର୍ତ୍ତି କରାଇଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ହାଇଡ୍ରୋସିଲ ବଦଳରେ ରାମଭଜନଙ୍କ ଗୋଡ଼ ଅପରେସନ କରାଯାଇଥିଲା।

ରାମଭଜନଙ୍କୁ ଯେତେବେଳେ ଅପରେସନ ଥିଏଟରକୁ ନିଆଯାଉଥିଲା, ସେତେବେଳେ ସମସ୍ତେ ହାଇଡ୍ରୋସିଲ ଅପରେସନ କଥା କହୁଥିଲେ ବୋଲି ରାମଭଜନଙ୍କ ପୁଅ ଭୁବନେଶ୍ୱର ଯାଦବ କହିଛନ୍ତି। ହେଲେ ବାପାଙ୍କୁ ବାହାରକୁ ଅଣାଯିବା ପରେ ତାଙ୍କ ଗୋଡ ଅପରେସନ ହୋଇଥିବା ଦେଖିବାକୁ ମିଳିଥିଲା। ଫାଇଲେରିଆ ସମସ୍ୟା ଥିବା କହି ଡାକ୍ତରୀ ଟିମ୍‌ ଗୋଡ଼ରେ ଅପରେସନ କରିଥିବା ଭୁବନେଶ୍ୱର ଅଭିଯୋଗ କରିଛନ୍ତି। ଡାକ୍ତର ନିଜ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ହାଇଡ୍ରୋସିଲକୁ ଫାଇଲେରିଆ ସହ ଯୋଡୁଥିବା ଭୁବନେଶ୍ୱର କହିଛନ୍ତି। ଏପରି ଅବହେଳା କେବଳ ସରକାରୀ ଡାକ୍ତରଖାନାରେ ହୋଇପାରେ। ଏହି ଘଟଣା ସରକାରୀ ହସ୍ପିଟାଲର ଅସଲି ଛବିକୁ ପଦାରେ ପକାଇ ଦେଇଥିବା କହିଛନ୍ତି ଭୁବନେଶ୍ୱର ଯାଦବ।

Comment