ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସ୍ତ୍ରୀ’ ଓଡ଼ିଆ ସିନେମାର ଏକ ମାଇଲଖୁଣ୍ଟ ପାରିବାରିକ କାହାଣୀକୁ ନେଇ ଗଢିଉଠିଥିବା ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋ‍ଇଥିଲା

୧୯୬୮ ମସିହା ଥିଲା ଓଡ଼ିଆ ସିନେମା ପାଇଁ ମରୁଡ଼ିର ବର୍ଷ। ଏହିବର୍ଷ ମାତ୍ର ଦୁଇଟି ହିଁ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା – ‘କିଏ କାହାର’ ଓ ‘ସ୍ତ୍ରୀ’। ସିଦ୍ଧାର୍ଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସ୍ତ୍ରୀ’ ଚିତ୍ରଟି ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସେ ବର୍ଷ ରାଷ୍ଟ୍ରପତିଙ୍କ ସିଲଭର ମେଡାଲ ପାଇଥିଲା।

‘ସ୍ତ୍ରୀ’ ଚଳଚ୍ଚିତ୍ରର ବିଶେଷତ୍ୱ ଥିଲା ଯେ ନିର୍ଦ୍ଦେଶକ, ଅଭିନେତ୍ରୀ ଓ ସଙ୍ଗୀତ ନିର୍ଦ୍ଦେଶକ ସମସ୍ତେ ଛଦ୍ମନାମରେ ଫିଲ୍ମ ସହିତ ଯୋଡି ହୋଇଥିଲେ। ଏହି ଚିତ୍ରର ତିନିଜଣ ନିର୍ଦ୍ଦେଶକ ଥିଲେ:ସିଦ୍ଧାର୍ଥ ଓରଫ ରାମଚନ୍ଦ୍ର ଠାକୁର, ଗୌରପ୍ରସାଦ ଘୋଷ ଓ ପାର୍ବତୀ ଘୋଷ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକୁମାର ଓରଫ ଭୁବନେଶ୍ୱର ମିଶ୍ର ଓ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ ଚନ୍ଦନା ବା ପାର୍ବତୀ ଘୋଷ। ଚିତ୍ରର ସମ୍ପାଦକ ଥିଲେ ମଧୁ ବାନାର୍ଜୀ ଓ ସିନେମାଟୋଗ୍ରାଫି ଥିଲା ବିଜୟ ଦେଙ୍କର। ଶବ୍ଦ ଗ୍ରହଣ ଅନୀଲ ଦାସଗୁପ୍ତ ଓ କଳା ନିର୍ଦ୍ଦେଶନା ଦେଇଥିଲେ ଗୁପି ସେନ।

୧୯୬୮ ମେ ୧୭ ତାରିଖରେ ଚିତ୍ରର ଶୁଭମୁକ୍ତି ହୋଇଥିଲା ‘ସ୍ତ୍ରୀ’। ପାଞ୍ଚ ଦଶନ୍ଧି ତଳେ ଏହି ଫିଲ୍ମ ପାଇଁ ଖର୍ଚ୍ଚ ହୋଇଥିଲା ୧,୮୭,୦୦୦ ଟଙ୍କା। ଚିତ୍ରର କାହାଣୀଟି ବେଶ୍ ହୃଦୟସ୍ପର୍ଶୀ। ଦିନେ ଅନୁରାଧା ଓ ତାଙ୍କ ଭାଇ ପୁରୀ ଯାଇଥିବା ବେଳେ ଦେବବ୍ରତ ନାମକ ଜଣେ ଯୁବକଙ୍କୁ ସମୁଦ୍ର କୂଳରେ ବେହୋସ ଅବସ୍ଥାରେ ପାଆନ୍ତି। ତାଙ୍କୁ ଘରକୁ ଅଣାଯାଇ ଯତ୍ନ ନିଆଯାଏ। ଅନୁରାଧା ଓ ଦେବବ୍ରତ ପରସ୍ପରକୁ ଭଲପାଇ ବସନ୍ତି। ବିବାହ ପରେ ଅନୁରାଧା କିନ୍ତୁ ଆବିଷ୍କାର କରନ୍ତି ଯେ ଦେବବ୍ରତ ପ୍ରକୃତରେ ବିପତ୍ନୀକ ଓ ତାଙ୍କର ପୁଅଟିଏ ଅଛି। ବିଶ୍ୱାସଘାତକତା ସତ୍ତ୍ୱେ ଅନୁରାଧା ଘରେ ସମସ୍ତଙ୍କ ଯତ୍ନ ନିଅନ୍ତି, ଏପରିକି ଦେବବ୍ରତ ଓ ତାଙ୍କ ପୁତ୍ରଙ୍କର ମଧ୍ୟ। ଦେବବ୍ରତଙ୍କ ଭଉଣୀ କିନ୍ତୁ ଏହାକୁ ସହ୍ୟ କରିପାରନ୍ତି ନାହିଁ। ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ସେ ମନୋମାଳିନ୍ୟ ସୃଷ୍ଟି କରାନ୍ତି। ଏହି ପରିସ୍ଥିତିରେ ଅନୁରାଧାଙ୍କୁ ପଛରେ ରଖିଦେଇ ଦେବବ୍ରତ ପୁଅ ସହିତ ଘର ଛାଡ଼ି ପଳାଇଯାନ୍ତି। ଅନୁରାଧା କିନ୍ତୁ ଆଶା ହରାଇନଥାନ୍ତି। ନିଜର ତ୍ୟାଗ ଓ ଅଙ୍ଗୀକାର ଯୋଗୁଁ ଶେଷରେ ସମସ୍ତେ ପୁଣି ଏକାଠି ହୁଅନ୍ତି।

‘ସ୍ତ୍ରୀ’ ଚଳଚ୍ଚିତ୍ର ସେ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବା ପଛରେ କାରଣ ଥିଲା ଏହାର ପାରିବାରିକ ଆବେଦନ। ତେବେ ସବୁଠୁ ବଡ଼ କଥା ହେଉଛି ‘ସ୍ତ୍ରୀ’ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ। ଗୌରପ୍ରସାଦ ଓ ପାର୍ବତୀ ଘୋଷ, ଯଦୁନାଥ ରାଉତରାୟ, ଅନିମା ପେଦିନି, ଲୀଳା ଦୁଲାଳି, ଦୀନବନ୍ଧୁ ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ସୁଜାତା ଆନନ୍ଦ, ଶରତ, ପ୍ରମୋଦ ପଟ୍ଟନାୟକ ଅଲେଖ ମହାନ୍ତି ଓ କୁଞ୍ଜ ଏବଂ ଶିଶୁ କଳାକାରଙ୍କୁ ନେଇ ପ୍ରାୟ ୫୦ ଜଣ ଏହି ଚଳଚଚ୍ଚିତ୍ରରେ ଅଭିନୟ କରିଥିବାରୁ ଚିତ୍ରଟି ବେଶ୍ ଲୋକପ୍ରିୟ ହୋଇପାରିଥିଲା।

‘ସ୍ତ୍ରୀ’ ଚଳଚ୍ଚିତ୍ରର ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ହିଁ ଫିଲ୍ମଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା। ଗୀତଗୁଡ଼ିକ ଲେଖିଥିଲେ ନିକଟରେ ପରଲୋକ ଗମନ କରିଥିବା ନାରାୟଣ ପ୍ରସାଦ ସିଂହ,  ସାରଦା ପ୍ରସନ୍ନ ନାୟକ, ନରସିଂହ ମହାପାତ୍ର, ଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତି ଓ ସ୍ୱରୂପ ନାୟକ। ‘ସଞ୍ଜ ସକାଳେ ତୁମ ଛବି ଖୋଜେ’ ହେଉ କି ‘ଝୁମି ଝୁମି ଆସେ ଆଖି’ ହେଉ ଅଥବା ‘ତୁମ ବିନା ଏଇ ରାତି ଭଲ ଲାଗେନା’ କିମ୍ବା ‘ତୁମେ ଯଦି ସାଥି ମୋର ନିଅ ମୋତେ ଭୁଲାଇ’ ଏ ପର୍ଯ୍ୟନ୍ତ ଦର୍ଶକଙ୍କ ସ୍ମୃତିରେ ଗୁଞ୍ଜରିତ ହେଉଛି। ଠିକ୍ ସେହିଭଳି ‘କଳି ଯୁଗ କୃଷ୍ଣ ମୁହିଁ’, ତୁ ମୋ ହିରୋଇନ’, ‘ବିତି ଯାରେ’ ଓ ଦେଶାତ୍ମବୋଧକ ଗୀତ ‘ଗଙ୍ଗା ଯେ ଦେଶେ ବହେ’ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସୁଜାତା ମୁଖାର୍ଜୀ, ସନ୍ଧ୍ୟା ମୁଖାର୍ଜୀ ଓ ପ୍ରଣବ ପଟ୍ଟନାୟକ ପ୍ରମୁଖ ପ୍ରଚ୍ଛଦପଟ ଗାୟକ-ଗାୟିକା ଭାବରେ ଗୀତଗୁଡିକୁ ଲୋକପ୍ରିୟ କରାଇପାରିଥିଲେ।

‘ସ୍ତ୍ରୀ’ ଚଳଚ୍ଚିତ୍ରଟି ସେଇ ସମୟରେ ବକ୍ସଅଫିସ ହିଟ ହୋଇଥିଲା କାରଣ ଚିତ୍ରର ପ୍ରତିଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ସାରଥୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଚିତ୍ରର କାହାଣୀ ଲେଖିଥିଲେ ଶ୍ରାବଣୀ (ପାର୍ବତୀ ଘୋଷ)। ସିଦ୍ଧାର୍ଥ ନାମଧାରୀ ତିନିଜଣ ନିର୍ଦ୍ଦେଶକଙ୍କ ଏହା ଥିଲା ଦ୍ୱିତୀୟ ଚଳଚ୍ଚିତ୍ର। ଏହି ଫିଲ୍ମର ପ୍ରିମିୟର ରାଉରକେଲାରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଶିଳ୍ପ ମନ୍ତ୍ରୀ ହରିହର ପଟେଲ ପ୍ରିମିୟରରେ ଉପସ୍ଥିତ ଥିଲେ।

‘ସ୍ତ୍ରୀ’ ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ବହୁ କଳାକାର ଏଥିରେ ଡେବ୍ୟୁ କରିଥିଲେ। ଗୌର ଓ ପାର୍ବତୀ ମିଶି ନୂଆ ପ୍ରତିଭା ଅନ୍ୱେଷଣର ଯେଉଁ ମୂଳଦୁଆ ପକାଇଲେ ତା’ ଫଳରେ ଯଦୁନାଥ, ଶ୍ୟାମଳେନ୍ଦୁ ଓ ସୁନିତା ପ୍ରଥମ ଥର ପାଇଁ ପରଦାକୁ ଆସିଥିଲେ। ଏହି ଚିତ୍ରରେ ଗୁରୁ ରଘୁନାଥ ଦତ୍ତ ନୃତ୍ୟ ନିର୍ଦ୍ଦେଶକ ଭାବରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ। କୁକୁମିନା, ରତ୍ନା ରାୟ ଓ ଆଲୋକ ବହିଦାର ପ୍ରମୁଖ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଥମ ଥର ଲାଗି ରୂପେଲି ପରଦାରେ ନୃତ୍ୟ ପରିବେଷଣ କରିଥିଲେ।

ସବୁଠାରୁ ବଡ଼ ବିଷୟ ସୁଜାତା ଆନନ୍ଦ ଏଥିରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ପରବର୍ତ୍ତୀ ସମୟରେ ଜଣେ ଆଗଧାଡ଼ିର କଳାକାର ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ। ବଙ୍ଗଳା ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ରୁମା ଗୁହା ଠାକୁରତା ଏଥିରେ ଅତିଥି କଳାକାର ଭାବେ ଆସିଥିଲେ। ସ୍ୱରୂପ ନାୟକ ମଧ୍ୟ ‘ସ୍ତ୍ରୀ’ ଚଳଚିତ୍ରରୁ ହିଁ ଗୀତ ଲେଖିବା ଆରମ୍ଭ କରିଥିଲେ।

ପଚାଶ ବର୍ଷ ତଳେ ନିର୍ମିତ ଏହି ଚଳଚିତ୍ର ଗୌରପ୍ରସାଦ ଓ ପାର୍ବତୀଙ୍କ ସଫଳ ଚିତ୍ର କେବଳ ନଥିଲା, ଏହା ପରଠାରୁ ଓଡ଼ିଆ ସିନେମା ଏକରକମ ସଠିକ ରାସ୍ତାରେ ପଡ଼ିଥିଲା। ଗୌରପ୍ରସାଦଙ୍କ ପାଖରୁ ହିଁ ଆରମ୍ଭ ହେଲା ଫିଲ୍ମ ନିର୍ମାଣ ପାଇଁ ଓଏଫଡିସିର ଋଣ ଦିଆ ବ୍ୟବସ୍ଥା। ଓଡ଼ିଆ ଚଳଚ୍ଚିତ୍ରକୁ ଶିଳ୍ପର ସ୍ୱୀକୃତି ଦିଆଇବାରେ ଗୌରପ୍ରସାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଓ ‘ସ୍ତ୍ରୀ’ ଥିଲା ସେହି ଉଦ୍ୟମର ଆଦ୍ୟ ଫଳ।

(ଫଟୋ ସୌଜନ୍ୟ:ରାତ୍ରି ଘୋଷ)

Comment