ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୭୫ ମସିହାରୁ ଆରମ୍ଭ ହୋଇଛି କ୍ରିକେଟ ବିଶ୍ୱକପ୍। କ୍ରିକେଟର ଜନ୍ମଦାତା କୁହାଯାଉଥିବା ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ବିଶ୍ୱକପ୍ ଚଳିତ ଥର ମଧ୍ୟ ଇଂଲଣ୍ଡରେ ଶେଷ ହୋଇଛି। ଦୀର୍ଘ ଚାରିଦଶନ୍ଧିରୁ ଅଧିକ ସମୟ ଧରି ବିଶ୍ୱର ବିଭିନ୍ନ ଦେଶରେ ଖେଳାଯାଇଛି ଏହି କ୍ରିକେଟ ବିଶ୍ୱକପ୍। ତେବେ ବିଶ୍ୱକପର ବିଭିନ୍ନ ସଂସ୍କରଣରେ ଭିନ୍ନ ଭିନ୍ନ ଦେଶର ଅଧିନାୟକମାନେ ତୋଳିଧରିଛନ୍ତି ବିଶ୍ୱକପକୁ। ତେବେ ଜାଣନ୍ତୁ କେଉଁମାନେ ଏହି ବିଶ୍ୱକପ୍ ବିଜୟୀ ଅଧିନାୟକ..

କ୍ଲାଇବ୍ ଲଏଡ୍ (ୱେଷ୍ଟଇଣ୍ଡିଜ୍)

ବିଶ୍ୱକପର ପ୍ରଥମ ଦୁଇ ସଂସ୍କରଣରେ ବିଶ୍ୱବିଜୟୀ ହୋଇଥିଲା ୱେଷ୍ଟଇଣ୍ଡିଜ୍ ଦଳ। ଆଉ ଏହି ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଥିଲେ କ୍ଲାଇବ୍ ଲଏଡ୍। ତାଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ଦଳ ଲଗାତାର ୧୯୭୫ ଓ ୧୯୭୯ ମସିହାରେ ବିଶ୍ୱକପ ବିଜୟୀ ହୋଇଥିଲା। ସେ ସମୟରେ ବିଶ୍ୱକ୍ରିକେଟରେ ସେ ଥିଲେ ଜଣେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ। ତାଙ୍କ ନେତୃତ୍ୱରେ ୱେଷ୍ଟ୍ଇଣ୍ଡିଜ ପ୍ରଥମେ ଅଷ୍ଟ୍ରେଲିଆ ଓ ଦ୍ୱିତୀୟରେ ଇଂଲଣ୍ଡକୁ ହରାଇ ବିଶ୍ୱକପ ବିଜେତା ହୋଇଥିଲା।

କପିଳ ଦେବ (ଭାରତ)

ଭାରତର ପ୍ରମୁଖ ଅଲରାଉଣ୍ଡର ତାଲିକାରେ କପିଳ ଦେବଙ୍କ ନାଁ ସର୍ବପ୍ରଥମେ ଆସିବ। ୧୯୮୩ ମସିହାରେ ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ବିଜେତା ହୋଇପାରିଥିଲା। ସେ ସମୟରେ ବିଶ୍ୱକ୍ରିକେଟରେ ଦୁର୍ଦ୍ଧଷ ୱେଷ୍ଟଇଣ୍ଡିଜ୍ ଦଳକୁ ପରାସ୍ତ କରି ଭାରତ ଇଂଲଣ୍ଡରେ ବିଶ୍ୱକପ ତୋଳି ଧରିଥିଲା। ସେ ଭାରତ ପାଇଁ ୧୩୧ଟି ଟେଷ୍ଟ ଖେଳି ୫୪୨୮ ରନ୍ କରିଥିଲାବେଳେ ଦିନିକିଆରେ ୩୭୮୩ ରନ୍ କରିଥିଲେ। ସେହିପରି ବୋଲିଂରେ ସେ ଟେଷ୍ଟରେ ୪୩୪ଟି ୱିକେଟ୍ ଓ ଦିନିକିଆରେ ୨୫୩ଟି ୱିକେଟ ନେଇଛନ୍ତି।

ଆଲାନ୍ ବର୍ଡର (ଅଷ୍ଟ୍ରେଲିଆ)

୧୯୮୭ ମସିହାରେ ଭାରତ ଓ ପାକିସ୍ତାନରେ ମିଳିତ ଭାବରେ ଆୟୋଜନ ହୋଇଥିଲା କ୍ରିକେଟ ବିଶ୍ୱକପ୍। ଏହି ବିଶ୍ୱକପରେ ଆଲାନ୍ ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱବିଜେତା ହୋଇଥିଲା। କୋଲକାତାର ଇର୍ଡେନ ଗାର୍ଡେନରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍ ତୋଳିଧରିଥିଲେ ଆଲାନ୍ ବର୍ଡର।

ଇମ୍ରାନ ଖାନ୍ (ପାକିସ୍ତାନ)

ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶର ଏକମାତ୍ର କ୍ରିକେଟ ଅଧିନାୟକ ଯିଏ ପାକିସ୍ତାନକୁ ବିଶ୍ୱକପରେ ବିଜୟୀ କରିପାରିଥିଲେ। ତାଙ୍କ ପରେ ଆଉ କୌଣସି ପାକିସ୍ତାନୀ ଅଧିନାୟକ ବିଶ୍ୱକପରେ ପାକିସ୍ତାନକୁ ବିଜୟୀ କରିପାରିନାହାନ୍ତି। ଇମ୍ରାନ ଖାନ ୧୯୯୨ ମସିହାରେ ଇଂଲଣ୍ଡକୁ ହରାଇ ବିଶ୍ୱକପ ବିଜେତା ହୋଇଥିଲା। ଏହି ବିଶ୍ୱକପ ବିଜୟୀ ପାକିସ୍ତାନ ଦଳର ଅଧିନାୟକ ଥିଲେ ଇମ୍ରାନ ଖାନ।

ଅର୍ଜୁନ ରଣତୁଙ୍ଗା (ଶ୍ରୀଲଙ୍କା)

୧୯୯୬ ମସିହାରେ ପୁଣିଥରେ ଭାରତ ଓ ପାକିସ୍ତାନ ମିଳିତ ଭାବରେ ଆୟୋଜନ କରିଥିଲେ ବିଶ୍ୱକପ୍। ଏହି ବିଶ୍ୱକପରେ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା ଶ୍ରୀଲଙ୍କା। ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ତୋଳି ଧରିଥିଲେ ଶ୍ରୀଲଙ୍କା ଦଳର ଖେଳାଳିମାନେ। ସେ ସମୟରେ ଶ୍ରୀଲଙ୍କାର ଜୟସୁରିଆ ଓ କଲୁବର୍ଦ୍ଧନ ଓପନିଂ ଯୋଡି ବିଶ୍ୱ କ୍ରିକେଟରେ ସମସ୍ତ ବୋଲରଙ୍କୁ ଟକ୍କର ଦେଉଥିଲା।

ଷ୍ଟିଭ୍ ୱ  ଏବଂ ରିକି ପଣ୍ଟିଂ ( ଅଷ୍ଟ୍ରେଲିଆ )

୧୯୯୯, ୨୦୦୩ ଏବଂ ୨୦୦୭ ଲଗାତାର ତିନୋଟି ବିଶ୍ୱକପରେ ରାଜୁତି କରିଥିଲା କଙ୍ଗାରୁ ଦଳ। ବିଶ୍ୱକ୍ରିକେଟର ସମସ୍ତ ଦଳକୁ ହରାଇ ଲଗାତାର ତିନି ତିନିଥର ବିଶ୍ୱବିଜୟୀ ମୁକୁଟ ପିନ୍ଧିଥିଲା ଅଷ୍ଟ୍ରେଲିଆ। ଏହି ବିଶ୍ୱବିଜେତା ଅଷ୍ଟ୍ରେଲିଆ ଦଳର ଅଧିନାୟକ ଥିଲେ ଷ୍ଟିଭ୍ ୱ ଓ ରିକି ପଣ୍ଟିଂ।

୧୯୯୯ ମସିହାରେ ଷ୍ଟିଭ୍ ୱଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିଥିଲା। ଏହାପରେ  ରିକି ପଣ୍ଟିଂଙ୍କ ନେତୃତ୍ୱରେ ଲଗାତାର ଆଉ ଦୁଇଥର ବିଶ୍ୱକପ ଜିତିଥିଲା ଅଷ୍ଟ୍ରେଲିଆ।

ମହେନ୍ଦ୍ର ସିଂହ ଧୋନି (ଭାରତ)

ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଭାରତକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ବିଜେତା କରିଥିଲେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଛକା ମାରି ଦଳକୁ ବିଶ୍ୱକପ ଦେଇଥିଲେ ଧୋନି। ପ୍ରଥମ ଥର ପାଇଁ ଗୋଟିଏ ଦଳ ବିଶ୍ୱକପ୍ ନିଜ ଦେଶରେ ଆୟୋଜନ କରି ଘରୋଇ ମାଟିରେ ବିଶ୍ୱକପ୍ ଜିତିଥିଲା ଭାରତ।

ମାଇକେଲ କ୍ଲାର୍କ (ଅଷ୍ଟ୍ରେଲିଆ)

ମାତ୍ର ଗୋଟିଏ ସଂସ୍କରଣ ପରେ ପୁଣିଥରେ ବିଶ୍ୱକପକୁ ତୋଳିଧରିଥିଲା ଅଷ୍ଟ୍ରେଲିଆ। ଏଥର କିନ୍ତୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଥିଲେ ମାଇକେଲ କ୍ଲାର୍କ। ଅଷ୍ଟ୍ରେଲିଆର ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ୨୦୧୫ ମସିହାର ବିଶ୍ୱକପ ବିଜେତା ହୋଇଥିଲା ଅଷ୍ଟ୍ରେଲିଆ ଦଳ। ଏହି ବିଶ୍ୱକପରେ ବିଜୟୀ ହେବାସହ ଅଷ୍ଟ୍ରେଲିଆ ପଞ୍ଚମ ଥର ପାଇଁ ବିଶ୍ୱକପ ବିଜେତା ହୋଇଥିଲା।

ଇଅନ୍ ମୋର୍ଗାନ (ଇଂଲଣ୍ଡ)

ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜନ ହୋଇଥିଲା କ୍ରିକେଟ ବିଶ୍ୱକପ୍। କ୍ରିକେଟର ଜନ୍ମଦାତା ହୋଇ ମଧ୍ୟ କୌଣସି ସଂସ୍କରଣରେ ବିଶ୍ୱକପକୁ ନିଜ ନାମରେ କରିପାରିନଥିଲା ଇଂଲଣ୍ଡ ଦଳ। ୨୦୧୯ ବିଶ୍ୱକପରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା ଇଂଲଣ୍ଡ। ଇଅନ୍ ମୋର୍ଗାନଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଲର୍ଡସ ଗ୍ରାଉଣ୍ଡରେ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଥିଲା ଇଂଲଣ୍ଡ।

ବର୍ତ୍ତମାନ ସୁଦ୍ଧା ବିଶ୍ୱକପର ମୋଟ ୧୨ଟି ସଂସ୍କରଣ ହୋଇଥିଲା ବେଳେ କେବଳ ୧୦ ଜଣ ଅଧିନାୟକ ନିଜ ଦେଶପାଇଁ ବିଶ୍ୱକପ ବିଜୟୀ ଅଧିନାୟକ ହୋଇପାରିଛନ୍ତି। ସେଥିମଧ୍ୟରୁ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ବିଶ୍ୱକପ ଜିତିଥିଲାବେଳେ, ଭାରତ ଓ ୱେଷ୍ଟଇଣ୍ଡିଜ ଦୁଇଥର ଏବଂ ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ପ୍ରତ୍ୟେକ ଥରେ ଲେଖାଏଁ ବିଶ୍ୱକପ୍ ଜିତିପାରିଛନ୍ତି।

Comment