ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ମିଡିଆ ଏକାଡେମୀରେ ଏକବିଂଶତମ ପ୍ରତିଷ୍ଠା ଦିବସରେ ପ୍ରଫେସର ରାଜକିଶୋର ମିଶ୍ର  ‘ମିଡିଆ ଏକାଡେମୀ ସମ୍ମାନ’ରେ ସମ୍ମାନିତ ହେଲେ।

“ଓଡ଼ିଆ ଭାଷା ପ୍ରତି ଲୋକଙ୍କର ଆନ୍ତରିକତା କମିଯାଉଛି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନେ ନିଜର ମାତୃଭାଷାକୁ ଭୁଲିବାକୁ ଲାଗିଲେଣି। ଏହାସହ ଲୋକମାନେ ପାଶ୍ଟାତ୍ୟ ସଂସ୍କୃତି ଓ ଇଂରାଜୀ ଭାଷାର ବହୁଳ ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ମଧ୍ୟ ଇଂରାଜୀ, ହିନ୍ଦୀ ଓ ମିଶ୍ରିତ ଭାଷାରେ ପ୍ରକାଶ ପାଉଛି। ତେଣୁ ଏପରି ମାନସିକତାକୁ ବଦଳାଇବାକୁ ପଡ଼ିବ। ତେବେ ଯାଇ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ଉତଥାନ୍ ହୋଇପାରିବ”, କହିଛନ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ।

ମିଡିଆ ଏକାଡେମୀର ଏକବିଂଶତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଏପରି କଥା କହିଛନ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ। ଏହି ଉତ୍ସବରେ ‘ଓଡ଼ିଆ ସମ୍ବାଦପତ୍ରର ଭବିଷ୍ୟତ କେତେ ସୁରକ୍ଷିତ’ ତାକୁ ନେଇ ଏକ ଆଲୋଚନା ହୋଇଥିଲା।

ରବିବାର ଆୟୋଜିତ ଏହି ଉତ୍ସବରେ ମିଡିଆ ଏକାଡେମୀର ସଭାପତି ବସନ୍ତ ଦାସ ସଭାପତିତ୍ୱ କରିଥିଲେ। ତାଙ୍କ ସହ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅବସରପ୍ରାପ୍ତ ପ୍ରଶାସକ ଡକ୍ଟର ବିମଳେନ୍ଦୁ ମହାନ୍ତି , ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ପ୍ରଫେସର ରାଜକିଶୋର ମିଶ୍ର ଓ ମିଡ଼ିଆ ଏକାଡେମୀର ଯୁଗ୍ମ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଅତିଥି ଭାବରେ ଏହି ଉତ୍ସବରେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଫେସର ରାଜକିଶୋର ମିଶ୍ରଙ୍କୁ ‘ମିଡିଆ ଏକାଡେମୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, “ଆଜିର ଦିନରେ ଗଣମାଧ୍ୟମ ସରକାରଙ୍କ ହାତରେ ବନ୍ଧାପଡ଼ିଛି। ଗଣମାଧ୍ୟମ ନିଜର ସ୍ୱାଧୀନତା ହରାଇ ବସିଛି। ତେଣୁ ଏପରି ଅବସ୍ଥା ଲାଗି ରହିଲେ ରାଜ୍ୟରେ ଗଣମାଧ୍ୟମ ଥାଇ ସୁଦ୍ଧା ଏହାର ସୁଫଳ ସାଧାରଣ ଜନସାଧାରଣ ପାଇପାରିବେ ନାହିଁ।”

“ଓଡ଼ିଶାରେ ୧୭୦ରୁ ଅଧିକ ଖବରକାଗଜ ପ୍ରକାଶ ପାଉଛି। କିନ୍ତୁ ତା ଭିତରୁ ମାତ୍ର ୧୩/୧୪ ଖବରକାଗଜ ଆମ ନଜରକୁ ଆସୁଛି। ଯେ ପର୍ଯ୍ୟନ୍ତ ଆମର ଭବିଷ୍ୟତର ଦାୟାଦମାନେ ଓଡ଼ିଆ ଭାଷାକୁ ନିଜର କରିନାହାଁନ୍ତି ସେପର୍ଯ୍ୟନ୍ତ ଓଡ଼ିଆ ସମ୍ବାଦପତ୍ରର ଭବିଷ୍ୟତ ଏକ ପ୍ରଶ୍ନବାଚୀ” କହିଛନ୍ତି ଡକ୍ଟର ବିମଳେନ୍ଦୁ ମହାନ୍ତି।

Comment