ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ଛୋଟ କଥା, କିନ୍ତୁ ଜୀବନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏମିତି ଛୋଟ ଛୋଟ କଥା ବଦଳାଇଦିଏ ଜୀବନ ପ୍ରତି ଜଣେ ମଣିଷର ଦୃଷ୍ଟିଭଙ୍ଗୀ। ଏପରିକି ବଦଳାଇ ଦେଇପାରେ ଗୋଟିଏ ବିଷୟ ପ୍ରତି ବା ଜଣେ ମଣିଷ ପ୍ରତି ଅନ୍ୟମାନଙ୍କର ଦୃଷ୍ଟିଭଙ୍ଗୀ। ଛୋଟ ଛୋଟ କଥା ଜୀବନରେ ଆଣିଦେଇପାରେ ବଡ଼ ପରିବର୍ତ୍ତନ। ଏହା ହେଉଛି ସୁରେଶ ପଟ୍ଟନାୟକଙ୍କ ସର୍ଟ ଫିଲ୍ମ ସିରିଜ୍ ‘ସଫର୍’ର ମୂଳ ଆଧାର।

ହିନ୍ଦୀ ଭାଷାରେ ପ୍ରସ୍ତୁତ ସଫର୍ ସିରିଜ୍‌ରେ ପ୍ରଥମ ଭାଗରେ ରହିଛି ୫ଟି ସର୍ଟ ଫିଲ୍ମ। ସେଗୁଡ଼ିକର ନାଁ ହେଉଛି ଜିନ୍ଦଗୀ, ଉଡ଼ାନ୍, ମୁଖୌଟା, ୟାଦେଁ ଏବଂ ଥ୍ୟାଙ୍କୟୁ। ପ୍ରତି ଫିଲ୍ମର ଲମ୍ବା ମାତ୍ର ଦେଢ଼ରୁ ଦୁଇ ମିନିଟ୍। ଖୁବଶୀଘ୍ର ୟୁଟ୍ୟୁବରେ ଏହି ଫିଲ୍ମକୁ ଦେଖିବାକୁ ମିଳିବ। କିନ୍ତୁ ଏତେ କମ୍ ସମୟ ଭିତରେ ଜୀବନର ବିଭିନ୍ନ ଅବସ୍ଥାକୁ ସଂକ୍ଷେପରେ କିନ୍ତୁ ଗଭୀର ଭାବରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ସଫର୍‌ର ଲେଖକ ଓ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ।

“ମୋର ସର୍ଟ ଫିଲ୍ମ ‘ଫରାଗ୍’ ଗତବର୍ଷ ବମ୍ବେରେ ଅନୁଷ୍ଠିତ ଦାଦା ସାହେବ୍ ଫାଲ୍‌କେ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା। ଫରାଗ୍ ଏକ ଆରବୀୟ ଶବ୍ଦ ଯାହାର ଅର୍ଥ ହେଉଛି ଶୂନ୍ୟତା। ୧୨ ମିନିଟ୍ ଲମ୍ବା ଏହି ସର୍ଟ ଫିଲ୍ମଟି ଏବେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରହିଛି। ଏହି ସିନେମା ପ୍ରତି ଦର୍ଶକ ଏବଂ ସିନେକ୍ରିଟିକ୍‌ମାନଙ୍କର ପ୍ରତିକ୍ରିୟା ହିଁ ମତେ ସଫର୍ ସିରିଜ୍ କରିବାକୁ ଉତ୍ସାହିତ କରିଥିଲା”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁରେଶ ପଟ୍ଟନାୟକ।

ଆଜିର ଡିଜିଟାଲ୍ ଓ ମୋବାଇଲ୍ ମିଡିଆ ଯୁଗରେ ଖୁବ୍ କମ୍ ସମୟ ଭିତରେ ମଣିଷ ଜୀବନର ଗଭୀର ଅନୁଭବକୁ ଶକ୍ତିଶାଳୀ ଢ଼ଙ୍ଗରେ ଭିଡିଓ ମାଧ୍ୟମରେ କହିବା ପାଇଁ ଉଦ୍ୟମ ଚାଲିଛି। ଏହି କ୍ରମରେ ସାରା ପୃଥିବୀରେ ଏବେ ଶହ ଶହ ସର୍ଟ ଫିଲ୍ମ ନିର୍ମାଣ ହେଉଛି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସୁରେଶ ପଟ୍ଟନାୟକଙ୍କ ସଫର୍ ସିରିଜ୍‌ର ପ୍ରତିଟି ଫିଲ୍ମ ଭିତରେ ରହିଛି ଗୋଟିଏ ଗୋଟିଏ ଶକ୍ତିଶାଳୀ ସାମାଜିକ ବାର୍ତ୍ତା।

ସଫର୍ ସିରିଜ୍ ଭିଡିଓର ପ୍ରାୟୋଜକ ହେଉଛନ୍ତି ‘ବାକାଡ଼ି ଏକ୍ସପେରିଏନ୍ସେସ୍‌’।

ଏହି ସିରିଜ୍‌ର କ୍ୟାମେରା କାମ କରିଛନ୍ତି ପ୍ରଫୁଲ କୁମାର ସାହୁ। ସାଉଣ୍ଡ୍ ଡିଜାଇନ୍‌ରେ ଭାବେ ସୁରଜ ସାମଲ ଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଅସଦ୍‌ ନିଜାମ୍‌।

ଏହି ସର୍ଟ ସିରିଜ୍‌ ଫିଲ୍ମ ଖୁବ୍‌ଶୀଘ୍ର ୟୁଟ୍ୟୁବ୍‌ରେ ପ୍ରସାରିତ ହେବ।

ପୂର୍ବରୁ ସୁରେଶ ପଟ୍ଟନାୟକ ପ୍ରସ୍ତୁତ କରିଥିବା ଓଡ଼ିଆ ମ୍ୟୁଜିକ୍ ଭିଡିଓ ନଜ୍‌ଦିକିୟାଁ, ନଜ୍‌ଦିକିୟାଁ-୨ ଓ ସଖୀ ଡିଜିଟାଲ୍ ମିଡିଆରେ ଲୋକପ୍ରିୟତା ହାସଲ କରିଛି। ଏବେ ସଫର୍‌ ସିରିଜ୍‌ର ଏହି ସର୍ଟ ଭିଡିଓ ସବୁବର୍ଗର ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ସୁରେଶ ପଟ୍ଟନାୟକ ଆଶା ରଖିଛନ୍ତି। ବିଶେଷକରି ମୋବାଇଲ୍ ମିଡିଆ ସହ ଯୋଡ଼ି ହୋଇରହିଥିବା ଯୁବପିଢ଼ିଙ୍କ ପାଇଁ ଏହା ବିଶେଷ ସାମାଜିକ ବାର୍ତ୍ତା ଦେବ ବୋଲି ସେ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ସଫର୍‌ର ଫିଲ୍ମଗୁଡ଼ିକ ହିନ୍ଦୀ ଭାଷା ରହିଥିବାରୁ ଏହା ଦେଶବିଦେଶରେ ଏକ ବ୍ୟାପକ ଦର୍ଶକବର୍ଗକୁ ଛୁଇଁବ ବୋଲି ଆଶା କରାଯାଉଛି।

Comment