ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୌର ଭୋଟ ପାଇଁ ଯୁବ ଭୋଟରଙ୍କୁ ସଭ୍ୟ କରୁଛି ବିଜେଡି।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର):୧୧୨ ଆସନ ପାଇଁ ଓଡ଼ିଶାରେ ସରକାର ଗଠନ କରିବା ପରେ ବିଜେଡି ଏବେ ପୌର ଭୋଟକୁ ଯିବା ପାଇଁ ସଜବାଜ ହେଉଛି। ସଭ୍ୟ ସଂଗ୍ରହ ଅଭିଯାନରୁ ଦଳ ପୌର ଭୋଟ ମୁହାଁ ହୋଇଥିବା କୁହାଯାଉଛି। ଏହି ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଯୁବ ଭୋଟରଙ୍କ ଉପରେ ଫୋକସ୍‌ କରୁଛି।

ଅଧିକରୁ ଅଧିକ ଯୁବ ଭୋଟର କେମିତି ବିଜେଡିର ସଭ୍ୟ ହେବେ ସେନେଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାମାନେ ଗୁରୁତ୍ୱ ଦେଉଛନ୍ତି।

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ବିଜେଡିରେ ସାମିଲ!

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଗଠନ ହୋଇଥିଲା ବିଜୁ ଯୁବ ବାହିନୀ। ୬ ହଜାର ୭୯୯ ଗ୍ରାମପଞ୍ଚାୟତ ଏବଂ ୧୧୪ ପୌରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ ହୋଇଥିଲା। ଏମାନଙ୍କୁ ସରକାର ସ୍ୱେଚ୍ଛାସେବୀର ମାନ୍ୟତା ଦେଇଥିଲେ। ହେଲେ ଅସଲ କଥା ହେଲା ଯୁବ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ବିଜୁ ଯୁବ ବାହିନୀରେ ସାରା ରାଜ୍ୟରେ ପ୍ରାୟ ୩ ଲକ୍ଷ ସଦସ୍ୟ ରହିଥିଲେ। ହେଲେ ନିର୍ବାଚନରେ ବିଜେଡିକୁ ଯେତିକି ଯୁବ ବର୍ଗଙ୍କ ଭୋଟ ଆସିବ ବୋଲି ଦଳ ଲକ୍ଷ୍ୟ ରଖିଥିଲା ତାହା ସଫଳ ହୋଇନି।

‘କାଳିଆ’ ଯୋଜନା ଏବଂ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଜେଡି ଅଧିକ ଭୋଟ ପାଇଥିବା ଦାବି କରୁଛି। ବିଜୁ ଯୁବ ବାହିନୀର ଭୋଟ କିଛି ବିଜେପିକୁ ଯାଇଥିବା କୁହାଯାଉଛି।

ଏଣୁ ପୌର ଭୋଟ ପୂର୍ବରୁ ବିଜୁ ଯୁବ ବାହିନୀର ସଦସ୍ୟଙ୍କୁ ବିଜେଡିର ସଦସ୍ୟ କରିବା ପାଇଁ ଦଳ ଜୋର୍ ଦେଉଛି। ଆଗକୁ ପୌର ଭୋଟ୍‌ ଆସୁଥିବାରୁ ଦଳ ପାଇଁ ଏହା ସହାୟକ ହୋଇପାରେ ବୋଲି ବିଜେଡି ମ୍ୟାନେଜର ଅଙ୍କ କଷିଛନ୍ତି।

୭୦ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ବିଜେଡି ଏଥର ୭୦ ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ବିଜେଡିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ଥିଲା। ନିକଟରେ ବିଜେପି ଓଡ଼ିଶାରୁ ୫୦ ଲକ୍ଷ ସଭ୍ୟ ସଂଗ୍ରହ କରିଥିବା ଦାବି କରୁଛି। ସଭ୍ୟ ସଂଗ୍ରହରେ ବିଜେପିକୁ ଟପିବାକୁ ବିଜେଡି ଚାହୁଁଛି। ୪୭ ଲକ୍ଷ ସଭ୍ୟଙ୍କୁ ନେଇ ବିଜେଡି ୨୦୧୯ ନିର୍ବାଚନରେ ୪୪.୭ ପ୍ରତିଶତ ଭୋଟ ପାଇଥିଲା। ସେହିପରି ବିଜପି ୩୬ ଲକ୍ଷ ସଭ୍ୟଙ୍କୁ ନେଇ ୩୨.୫ ପ୍ରତିଶତ ଭୋଟ ପାଇଥିଲା। କଂଗ୍ରେସ ୧୬.୧୨ ପ୍ରତିଶତ ଭୋଟ ପାଇଥିଲା। ହେଲେ ବିଜେଡି ଅଧିକ ସଭ୍ୟ ସଂଗ୍ରହ କରି ପୌର ଭୋଟରେ ପୁଣି ଜିତାପଟ ହାସଲ କରିବାକୁ ଗୋଟି ଚାଳନା କରୁଛି।

ଯୁବ ଭୋଟର ନେବେ ନିର୍ଣ୍ଣାକୟ ଭୂମିକା

ଗତ ନିର୍ବାଚନରେ ବିଜେଡି ଯାହା ବି କିଛି ଯୋଜନା କରିଥିଲା ସବୁ ଗ୍ରାମାଞ୍ଚଳ ପାଇଁ। ତେବେ ସହରରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ସରକାର ଜାଗା ମିଶନ ଶୁଭାରମ୍ଭ କରିଥିଲେ। ହେଲେ ଏହି ମିଶନ ସଫଳ ହୋଇପାରିଲା ନାହିଁ। ବିଶେଷକରି ଭୁବନେଶ୍ୱର, କଠକ, ବ୍ରହ୍ମପୁର ଏବଂ ରାଉରକେଲା ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାମାନେ ବିଜେଡି ଉପରେ କ୍ଷୁବ୍ଧ ଅଛନ୍ତି। ଏହାର ପ୍ରମାଣ ୨୦୧୯ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ବସ୍ତି ଭୋଟ ବିଜେଡିର ବୋଲି ଯାହା କୁହାଯାଉଥିଲା ତାହା ବିଭାଜିତ ହୋଇଥିଲା। ବିଜେପି ମଧ୍ୟ ବସ୍ତି ଭୋଟ ପାଇଥିଲା। ଏଣୁ ବିଜେଡି ପୌର ଭୋଟରେ ଅଧିକରୁ ଅଧିକ ଯୁବକଙ୍କୁ ଯୋଡ଼ି ଯୁବ ଭୋଟରଙ୍କୁ ବିଜେଡି ଖାତାକୁ ଆଣିବା ପାଇଁ ଯୋଜନା କରୁଛି।

ଗତ ଦେଢ଼ ବର୍ଷ ତଳୁ ଅଧିକାଂଶ ପୌର ପରିଷଦ ଏବଂ ମହାନଗର ନିଗମର କାର୍ଯ୍ୟକାଳ ଶେଷ ହୋଇଛି। ନିର୍ବାଚିତ ପ୍ରତିନିଧିମାନେ ଆଉ କ୍ଷମତାରେ ନାହାନ୍ତି। ପ୍ରଶାସକମାନେ ପୌର ପରିଷଦ ଦାୟିତ୍ୱରେ ଅଛନ୍ତି। ପୌର ଭୋଟରେ ସଂରକ୍ଷ ଆଳ ଦେଖାଇ ରାଜ୍ୟ ସରକାର ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ। ଆଗକୁ ପୌର ଭୋଟ ହେବା ସୁନିଶ୍ଚିତ। ଏଣୁ ବିଜେଡି ଏବେଠୁ ଭୋଟରଙ୍କୁ ମନାଇବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

Comment