ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପ୍ରମୋଦ କୁମାର ମିଶ୍ର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ନେଲେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର। ଗୁଜୁରାଟ୍‌ କ୍ୟାଡର ଆଇଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ଏହି ଦାୟିତ୍ୱ ନେଇଛନ୍ତି ପିକେ ମିଶ୍ର। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖସଚିବ ଥିଲେ ଶ୍ରୀ ମିଶ୍ର।

୨୦୦୯ରେ ସେ ଚାକିରିରୁ ଅବସର ନେଇଥିଲେ। ଗୁଜୁରାଟ କ୍ୟାଡରର ୧୯୭୨ ବ୍ୟାଚ୍ ଆଇଏଏସ୍‌ ଅଫିସର ହେଉଛନ୍ତି ଶ୍ରୀ ମିଶ୍ର।

ପ୍ରମୋଦ କୁମାର ମିଶ୍ରଙ୍କ ଘର ହେଉଛି ସମ୍ବଲପୁର ଜିଲ୍ଲାରେ। ସେ ଗଙ୍ଗାଧର ମେହେର କଲେଜରୁ ଗ୍ରାଜୁଏସନ ପାସ୍ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କରିଥିଲେ। ପରେ ସେ ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଣ୍ଟ ଇକୋନମିକ୍ସରେ ପିଏଚଡି କରିଥିଲେ।

ନରେନ୍ଦ୍ର ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀ ମିଶ୍ର ସେତେବେଳେ ତାଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୧-୨୦୦୪ ଯାଏଁ ସେ ମୋଦିଙ୍କ ପ୍ରମୁଖ ସଚିବ ରହିଥିଲେ। ୨୦୦୬ରୁ ୨୦୦୮ ଯାଏଁ ସେ କୃଷି ବିଭାଗର ସଚିବ ମଧ୍ୟ ଥିଲେ।

୨୦୦୮ରେ ଗୁଜୁରାଟ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନର ଅଧ୍ୟକ୍ଷ ଥିବା ବେଳେ ୨୦୦୯ରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିଲେ ଶ୍ରୀ ମିଶ୍ର।

ଏହାସହ ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଫିସରେ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ।

ଶ୍ରୀ ମିଶ୍ର କିଛି ବହି ମଧ୍ୟ ଲେଖିଛନ୍ତି। ଦି କୁଚ୍ ଆର୍ଥକୁଏକ ୨୦୦୧, ରିକଲେକ୍ସନସ୍, ଲେସନ୍ସ ଆଣ୍ଡ ଇନସାଇଟ୍‌ସ୍, ଏଗ୍ରିକଲଚରାଲ ରିସ୍କ ଇନସ୍ୟୁରାନ୍ସ ଆଣ୍ଡ ଇନକମ୍ ଭଳି ବହି ଲେଖି ସେ ଲୋକପ୍ରିୟତା ହାସଲ କରିଛନ୍ତି।

Comment