ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିସଂଘରୁ ଖାଲି ହାତରେ ଫେରିଲା ପାକିସ୍ତାନ।

ଜାତିସଂଘରେ ପାକିସ୍ତାନ ପୁଣି ହଟହଟା ହୋଇଛି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନକୁ ସଫା ସଫା ମନା କରିଦେଇଛି ଜାତିସଂଘ। କଶ୍ମୀର ମାମଲା ଭାରତ-ପାକିସ୍ତାନର ଦ୍ୱାପାକ୍ଷିକ ସମସ୍ୟା ହୋଇଥିବାରୁ ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି।

‘‘କଶ୍ମୀର ପ୍ରସଙ୍ଗ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଉଭୟ ଦେଶ ଏହି ପ୍ରସଙ୍ଗରେ ଆଲୋଚନା କରି ସମସ୍ୟା ସମାଧାନ କରିବା ଦରକାର। ଯଦି ଭାରତ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କହିବ ତାହାଲେ ବିଚାର କରାଯିବ’’, କହିଛନ୍ତି ଏଣ୍ଟୋନିଓ ଗୁଟେରେସ୍‌।

ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି ଦାବି କରିଥିଲେ। ଏନେଇ ସେ ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ଙ୍କ ନିକଟରେ ଫେରାଦ ହୋଇଥିଲେ।

ମଙ୍ଗଳବାର ଦିନ ଜେନେଭାରେ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗ ଉଠିଥିଲା। ଏହାକୁ ନେଇ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଜାତିସଂଘ ଏଥିରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ ଦାବି କରିଥିଲା। ହେଲେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଜାତିସଂଘ ମହାସଚିବ।

କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବାଉଳି ଖାଉଛିା ଜାତିସଂଘ ସୁରକ୍ଷା ପରିଷଦରେ ହଟହଟା ହେବା ପରେ ଏବେ ଜାତିସଂଘ ମହାସଚିବ ପାକିସ୍ତାନକୁ ବଡ଼ ଝଟ୍‌କା ଦେଇଛନ୍ତି। ଫଳରେ ପାକିସ୍ତାନର ସବୁ ବାଟ ବନ୍ଦ ହୋଇଯାଇଛିା

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ଭାରତକୁ ଘେରିବାକୁ ପ୍ରୟାସ କରିଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ଫେଲ୍ ମାରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଥିଲା।

ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ନକରିବାକୁ କହିଥିଲେ। ଶେଷରେ ଟ୍ରମ୍ପ ବି ପାକିସ୍ତାନକୁ ନାସ୍ତିବାଣୀ ଶୁଣାଇଥିଲେ।

Comment