ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାରା ଦେଶରେ କଂଗ୍ରେସ ସଙ୍ଗଠନ କେମିତି ସୁଦୃଢ଼ ହେବ? କେମିତି ଲୋକଙ୍କ ଆସ୍ଥାଭାଜନ ହେବ ଏହି ପୁରୁଣା ଦଳ? କ’ଣ କଲେ ବିଜେପିକୁ ସବୁଠି ଟକ୍କର ଦେବ କଂଗ୍ରେସ? ଏହି ତମାମ୍‌ ପ୍ରଶ୍ନକୁ ନେଇ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିଥିଲା ବୈଠକ।

କଂଗ୍ରେସକୁ ପୁଣି ଲୋକଙ୍କ ଆସ୍ଥାଭାଜନ କରିବା ପାଇଁ ସୋନିଆ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହି ମାଷ୍ଟର ପ୍ଲାନକୁ ନେଇ ହୋଇଥିଲା ଜୋରଦାର ଚର୍ଚ୍ଚା।

କଂଗ୍ରେସ ଦେବ ଟ୍ରେନିଂ

ଗତ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟରେ କଂଗ୍ରେସ ଆଉ କ୍ଷମତାରେ ନାହିଁ। କେନ୍ଦ୍ରରେ ମଧ୍ୟ କଂଗ୍ରେସ କ୍ଷମତାରେ ନାହିଁ। ନୂଆ ଯୁବପିଢ଼ି କଂଗ୍ରେସର ଆଦର୍ଶ ଏବଂ ବିଚାରଧାରା ସହ ଜଡ଼ିତ ନାହାନ୍ତି।

ଯୁବପିଢ଼ିଙ୍କୁ କଂଗ୍ରେସ ବିଚାରଧାରା ସହ ଯୋଡ଼ିବା ପାଇଁ ସୋନିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ବିଜେପି ଭଳି କଂଗ୍ରେସ ମଧ୍ୟ ସାରା ଦେଶରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି। ନୂଆ ପିଲାଙ୍କୁ କଂଗ୍ରେସ ସହ ଯୋଡ଼ିବା ପାଇଁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଏହାସହ କଂଗ୍ରେସ କର୍ମକର୍ତ୍ତାଙ୍କୁ ତାଲିମ୍ ଦେବାକୁ ସୋନିଆ ଯୋଜନା କରିଛନ୍ତି। କଂଗ୍ରେସର ଆଦର୍ଶ ତୃଣମୂଳ ସ୍ତରରେ କେମିତି ପହଞ୍ଚାଯିବ ସେନେଇ କର୍ମକର୍ତ୍ତାଙ୍କୁ ତାଲିମ ଦିଆଯିବ।

୨୦୧୪ ନିର୍ବାଚନଠାରୁ କଂଗ୍ରେସ କ୍ଷମତାଠାରୁ ଦୂରରେ ରହିଛି। ଦଳ ସବୁଠି ମାଟି କାମୁଡିଛି। ଦଳର ବିପର୍ଯ୍ୟୟକୁ ନିଜ ମୁଣ୍ଡକୁ ନେଇ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସୋନିଆ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ସଙ୍ଗଠନ ସଜାଡ଼ିବା ଉପରେ ସୋନିଆ ଫୋକସ୍‌ ଦେଉଛନ୍ତି।

Comment