ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

  • ଘରୋଇ କମ୍ପାନିର କର୍ପୋରେଟ୍‌ ଟ୍ୟାକ୍ସ ୨୨ ପ୍ରତିଶତକୁ କମିଲା
  • ଅକ୍ଟୋବର ପହିଲାରୁ ନୂଆ ମ୍ୟାନୁଫ୍ୟାକ୍ଚରିଂ କମ୍ପାନିକୁ ୧୫ ପ୍ରତିଶତ ଜିଏସ୍‌ଟି
  • ଡଲାର ତୁଳନାରେ ୨୭ ପଇସା ବଢ଼ିଲା ଟଙ୍କାର ମୂଲ୍ୟ
  • ଷ୍ଟକ୍‌ ମାର୍କେଟ୍‌ରେ ହଇଚଇ, ବଢ଼ିଲା ସେନସେକ୍ସ ଓ ନିଫ୍ଟି

ଦେଶର ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ଘରୋଇ କମ୍ପାନିର କର୍ପୋରେଟ୍‌ ଟ୍ୟାକ୍ସକୁ ୩୦ ପ୍ରତିଶତକୁ କମାଇ ୨୨ ପ୍ରତିଶତ କରାଯାଇଛି। ସେହିପରି ଅକ୍ଟୋବର ପହିଲାରୁ ନୂଆ ମ୍ୟାନୁଫ୍ୟାକ୍ଚରିଂ କମ୍ପାନି ପାଇଁ ଟ୍ୟାକ୍ସ ୨୫ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରାଯାଇଛି।

ଇନ୍‌କମ୍‌ ଟ୍ୟାକ୍ସ ଏବଂ ଫାଇନାନ୍ସ ଆକ୍ଟରେ ଏହି ପରିବର୍ତ୍ତନକୁ ଏକ ଅଧ୍ୟାଦେଶ ଜରିଆରେ କାର୍ଯ୍ୟକାରୀ କରାଯିବ। ଯାହା ନିଶ୍ଚିତ ଭାବେ ଅର୍ଥମନ୍ତ୍ରୀଙ୍କ ଏକ ବଡ଼ ଘୋଷଣା।

ସୀତାରମଣଙ୍କ ଏହି ଘୋଷଣା ପରେ ଷ୍ଟକ୍‌ ମାର୍କେଟ୍‌ର ହଇଚଇ ସୃଷ୍ଟି ହୋଇଥିଲା। ଫଳରେ ଷ୍ଟକ୍‌ ମାର୍କେଟ୍‌ର ଦୁଇଟି ଯାକା ସୂଚକାଙ୍କ ସେନସେକ୍ସ ଓ ନିଫ୍ଟିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ସେନସେକ୍ସ ୧୯୦୦ ପଏଣ୍ଟ ବଢ଼ିଥିବା ବେଳେ ନିଫ୍ଟି ୬୦୦ ପଏଣ୍ଟ ବଢ଼ିଯାଇଛି। ଯାହା ବିଗତ ୧୦ ବର୍ଷରେ ମଧ୍ୟରେ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇଛି।

ଏହାର ପ୍ରଭାବ ଡଲାର ଏବଂ ଭାରତୀୟ ଟଙ୍କା ଉପରେ ପଡ଼ିଛି। ଟଙ୍କା ତୁଳନାରେ ଡଲାର ମୂଲ୍ୟ ୨୭ ପଇସା କମିଯାଇଛି। ଗୁରୁବାର ଡଲାରର ମୂଲ୍ୟ ୭୧ ଟଙ୍କା ୩୪ ପଇସା ଥିବା ବେଳେ ସୀତାରମଣଙ୍କ ଘୋଷଣା ପରେ ଏହା କମିଯାଇ ୭୧ ଟଙ୍କା ୭ ପଇସା ରହିଛି।

ଆଜି ଗୋଆରେ ହେବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଦେଶର ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆଣିବା ପାଇଁ ଏହି ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି।

ଘରୋଇ କମ୍ପାନିଗୁଡ଼ିକର କର୍ପୋରେଟ୍‌ ଟ୍ୟାକ୍ସକୁ ୩୦ ପ୍ରତିଶତରୁ କମାଇ ଦିଆଯାଇ ୨୨ ପ୍ରତିଶତ କରାଯାଇଛି। ତେବେ ଏହା ସେସ୍‌ ଏବଂ ସରଚାର୍ଜ ସହିତ ୨୫.୧୭ ପ୍ରତିଶତ ହୋଇଛି। ଏହା ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ଲାଗୁ ହୋଇଛି।

ସେହିପରି ଆସନ୍ତା ଅକ୍ଟୋବର ପହିଲାରୁ ନୂତନ ଭାବେ ପଞ୍ଜିକରଣ କରାଯାଉଥିବା ମ୍ୟାନୁଫ୍ୟାକ୍ଚରିଂ କମ୍ପାନିଗୁଡ଼ିକର ଜିଏସ୍‌ଟି ୧୫ ପ୍ରତିଶତକୁ କମାଇ ଦିଆଯାଇଛି। ଏଥିପାଇଁ କମ୍ପାନିଗୁଡ଼ିକ ସରକାରଙ୍କଠାରୁ କୌଣସି ଆୟକର ଛାଡ଼ କିମ୍ବା ରିହାତି ସବସିଡ୍‌ ପାଉନଥିବା ଆବଶ୍ୟକ। ତେବେ ସରଚାର୍ଜ ଏବଂ ସେସ୍‌କୁ ମିଶାଇ ଏହି କମ୍ପାନିଗୁଡ଼ିକ ଟ୍ୟାକ୍ସ ୧୭.୦୧ ପ୍ରତିଶତ ହେବ ବୋଲି ଅର୍ଥମନ୍ତ୍ରୀ ନିମର୍ଳା ସୀତାରମଣ ଘୋଷଣା କରିଛନ୍ତି।

ଏଥିପାଇଁ ସରକାରଙ୍କ ରାଜକୋଷରୁ ପାଖାପାଖି ୪.୫ ଲକ୍ଷ କୋଟି ଟଙ୍କା ଖାଲି ହୋଇଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ଏହାର ପ୍ରଭାବ ଟ୍ୟାକ୍ସ ଆଦାୟ ଉପରେ ପ୍ରଭାବ ପକାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଟ୍ୟାକ୍ସ ଆଦାୟର ପରିମାଣ କମିବ। ଏଥିପାଇଁ ସରକାରୀ ବ୍ୟୟ ଉପରେ କଟକଣା ଲଗାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆର୍ଥିକ ମାନ୍ଦାବସ୍ଥା ସମୟରେ ଭାରତରେ ନିବେଷକଙ୍କୁ ବଢ଼ାଇବା, ପୁଞ୍ଜିପତିମାନଙ୍କୁ ନିବେଶ କରିବାପାଇଁ ଆକୃଷ୍ଟ କରିବା, ମେକ୍‌ ଇନ୍‌ ଇଣ୍ଡିଆର ବିକାଶ ତଥା ଶିଳ୍ପର ବିକାଶ ପାଇଁ ଏହି ଘୋଷଣା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ମାନ୍ଦାବସ୍ଥା ସମୟରେ ଏହା ଅର୍ଥନୀତିକୁ ଏକପ୍ରକାରର ବୁଷ୍ଟ୍‌ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

Comment