ଓଡ଼ିଶାଲାଇଭ୍ ବ୍ୟୁରୋ    

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ଜିଲ୍ଲାର ମଣ୍ଡଳ କୁରିଡି ପଞ୍ଚାୟତର ପୁତଲବନ୍ଦ ଗ୍ରାମରେ ସୀମା ଟପିଲା ବର୍ବରତା। ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକକୁ ଗ୍ରାମବାସୀ ଜୀଅନ୍ତା ଜାଳି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏହି ଗାଁରେ ପହଞ୍ଚି ଛାନ୍‌ଭିନ୍‌ କରିଛି।

ବିଶାଖାପାଟଣା ଜିଲାର ଆରକୁ ନିର୍ବାଚନମଣ୍ଡଳୀ ଗୋଟିଏ ମାଓ ପ୍ରବଣ ଅଞ୍ଚଳ। ଏଣୁ ଏଠାରେ ସବୁ ସମୟରେ ପୋଲିସ, ଗ୍ରେ ହୋଉଣ୍ଡ୍ସ ଓ ସିଆରପିଏଫ ପୋଲିସ ସଜାଗ ରହିଥାନ୍ତି। ଏଣୁ ଏଠାରେ ଗୁଣି ଗାରେଡିକୁ ସନ୍ଦେହ କରି ହତ୍ୟା କରିବା ଘଟଣା କେବେ ଘଟିନଥିଲା। କିନ୍ତୁ ଆଜିର ଘଟଣା ସାରା ଅଞ୍ଚଳରେ ଚହଳ ପକାଇ ଦେଇଛି।

ପୁତଲବନ୍ଦ ଓ ଆଖପାଖ ଗ୍ରାମରେ କିଛି ଲୋକଙ୍କ ଅକାଳ ମୃତ୍ୟୁ ଯୋଗୁ ଏହା ଗୁଣିଗାରେଡି ଯୋଗୁ ହେଉଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏହି ଘଟଣା ପାଇଁ ଗ୍ରାମବାସୀ ପୁତଲବନ୍ଦର ଜୟରାମ ଖିଲକୁ ସନ୍ଦେହ କରିଥିଲେ। ମଙ୍ଗଳବାର ଦିନ ସନ୍ଧ୍ୟାରେ ଜୟରାମ ଘରେ ବସିଥିବା ବେଳେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଜୟରାମକୁ ଘରୁ ବାହାରକୁ ଡାକି ପ୍ରଥମେ ଗୋଡହାତ ବାନ୍ଧିବା ସହ ଗାଁ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଏହାକୁ ତାଙ୍କ ପରିବାର ବିରୋଧ କରିବାରୁ ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଗ୍ରାମବାସୀ। ଏଣୁ ସେମାନେ ଭୟରେ ଗାଁ ଛାଡି ଚାଲି ଯାଇଥିଲେ। ଆଜି ଦୁମ୍ବିରିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ପାଉଶ ସଂଗ୍ରହ କରିବା ସହ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପଚରା ଉଚରା କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନଥିବା ପୋଲିସ କହିଛି।

Comment