ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ନିଜ ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଛନ୍ତି ଆସନ୍ତୁ ଜାଣିବା ସିନିଅର ବଚ୍ଚନଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ବିଷୟରେ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ସଂଘର୍ଷ କରି ନିଜ ପାଇଁ ସୁପରଷ୍ଟାରର ଆସନ ତିଆରି କରିଛନ୍ତି। କ୍ୟାରିଅରର ଆରମ୍ଭରେ ସେ ୧୨ଟି ଫ୍ଲପ୍ ସିନେମା ଦେଇଥିଲେ। ସେତେବେଳେ ସେ ଭାବୁଥିଲେ ବୋଧହୁଏ ଚାକିରି ଛାଡ଼ି ଅଭିନୟରେ ପ୍ରବେଶ କରିବା ତାଙ୍କର ଭୁଲ୍‌ ନିଷ୍ପତ୍ତି।

ପ୍ରକାଶ ମେହେରାଙ୍କ ବ୍ଲକବଷ୍ଟର ମୁଭି ‘ଜଞ୍ଜିର’ ଅମିତାଭ ବଚ୍ଚନଙ୍କୁ ନବଜନ୍ମ ଦେଲା। ଏହାପରେ ଲଗାତର ସୁପରହିଟ୍‌ ଫିଲ୍ମ ଦେଇ ଚାଲିଲେ ବିଗ୍‍ ବି।

ଅମିତାଭ ବଚ୍ଚନ ତାଙ୍କ ଜୀବଦଶାରେ କେତେ କଷ୍ଟକର ସମୟ ଦେଖିଛନ୍ତି ଏଥିମଧ୍ୟରୁ ମନମୋହନ ଦେଶାଇଙ୍କ ‘କୁଲି’ ଫିଲ୍ମର ଦୁର୍ଘଟଣା ଅନ୍ୟତମ। ଏହି ସମୟରେ ସେ ଜୀବନ-ମୃତ୍ୟୁର ସଂଘର୍ଷ କରିଥିଲେ। ହେଲେ ତା’ଠାରୁ ଅଧିକ କଷ୍ଟ ପାଇଥିଲେ ବିଗ୍ ବି ଅନ୍ୟ ଏକ ସମୟରେ। ସେହି ବିଷୟରେ ନିଜେ ଅମିତାଭ ବଚ୍ଚନ ଖୁଲାସା କରିଥିଲେ।

ଏହା ହେଉଛି ନବେ ଦଶକର କଥା। ସେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ଏକ ପ୍ରଡକ୍ସନ୍ କମ୍ପାନି ଖୋଲିଥିଲେ। ଏହାର ନାଁ ରଖିଥିଲେ ଅମିତାଭ ବଚ୍ଚନ କର୍ପୋରେସନ୍ ଲିମିଟେଡ୍। ଏହି କମ୍ପାନି ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଖୁବ୍ ଚର୍ଚ୍ଚା ବି ହୋଇଥିଲା। ଏହି କମ୍ପାନି ନୂଆ ନୂଆ ପ୍ରତିଭାଙ୍କର ଆବିଷ୍କାର ପାଇଁ ଯୋଜନା କରିଲା।

ଅମିତାଭ ବଚ୍ଚନଙ୍କର ଏହି କମ୍ପାନି ନବୋଦିତ କଳାକାରମାନଙ୍କୁ ନେଇ ‘ତେରେ ମେରେ ସପନେ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଲା। ସେହି ସମୟରେ ଏହି ବ୍ୟାନରରେ ଅମିତାଭ ବଚ୍ଚନଙ୍କୁ ହିରୋ ଭାବେ ନେଇ ‘ମୃତ୍ୟୁ ଦାତା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଲେ ସେ ସମୟର ହିଟ୍‌ ନିର୍ଦ୍ଦେଶକ ମେହୁଲ୍‌ କୁମାର।

‘ମୃତ୍ୟୁଦାତା’ ସୁପରଫ୍ଲପ୍ ହେଲା ଓ ଏବିସିଏଲର ଯୋଜନା ସବୁ ଫେଲ୍ ମାରିଲା। ସେତେବେଳକୁ ଅମିତାଭ ବଚ୍ଚନ କରଜରେ ବୁଡ଼ି ଯାଇଥିଲେ। ସେହି ସମୟରେ ଅମିତାଭ ବଚ୍ଚନଙ୍କ ଋଣର ପରିମାଣ ଥିଲା ପ୍ରାୟ ୯୦ କୋଟି।

ପ୍ରତିଦିନ ଋଣଦାତାମାନେ ଅମିତାଭ ବଚ୍ଚନଙ୍କ ଘରକୁ ଆସି ଟଙ୍କା ମାଗୁଥିଲେ। କିନ୍ତୁ ନିରାଶ ହୋଇ ଫେରୁଥିଲେ। ସେମାନେ ଅନେକ ସମୟରେ ଅମିତାଭଙ୍କ ଘର ଆଗରେ ଗାଳିଗୁଲଜ ବି କରୁଥିଲେ। ଏଭଳି ପରିସ୍ଥିତି ଉପୁଜିଥିଲା ଯେ ଋଣଦାତାମାନେ ବିଗ୍ ବିଙ୍କ ଘରକୁ ଅକ୍ତିଆର କରିବା ଲାଗି ବି ଧମକ ଦେଉଥିଲେ।

ସେହି ସମୟରେ ଅମିତାଭ ଦେବାଳିଆ ହୋଇଯାଇଥିଲେ। ଏଣେ ତାଙ୍କ ଫିଲ୍ମ ବି ଫ୍ଲପ୍ ହେଲା। ଏଣୁ କୌଣସି ପ୍ରଯୋଜକ ଆଉ ତାଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ନ ଥିଲେ। ଏହି ସମୟକୁ ସେ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ସମୟ ବୋଲି ଅମିତାଭ ବଚ୍ଚନ ସ୍ୱୀକାର କରିଛନ୍ତି।

ଏଥିରୁ ମୁକୁଳିବା ଲାଗି ସେ ବିଭିନ୍ନ ଉପାୟ କରିଲେ, ହେଲେ କୌଣସି ସୁଫଳ ମିଳିଲାନାହିଁ। ଠିକ୍ ସେହି ସମୟରେ ନିର୍ମାତା ୟଶ ଚୋପ୍ରା ’ମୋହବତେଁ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଥାନ୍ତି। ୟଶ୍ ଅମିତାଭଙ୍କର ଘର ପଛପଟେ ରହୁଥିଲେ।

ବିଗ୍ ବି ଦିନେ ୟଶ ଚୋପ୍ରାଙ୍କ ଘରକୁ ଯାଇ ତାଙ୍କୁ କାମ ମାଗିଲେ। ତାଙ୍କୁ ଫିଲ୍ମରେ ରୋଲ୍ ଦିଅନ୍ତୁ ବୋଲି କହିଲେ। ୟଶ ଚୋପ୍ରା ’ମୋହବତେଁ’ରେ ଅମିତାଭ ବଚ୍ଚନଙ୍କୁ କାମ ଦେଲେ। ସେହି ସମୟରେ ତାଙ୍କ ପାଖକୁ ’କୌନ୍ ବନେଗା କରୋଡପତି’ (କେବିସି)ର ଅଫର୍ ଆସିଲା। ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନ ଚାହୁଁନଥିଲେ ଅମିତାଭଙ୍କ ଭଳି ଜଣେ ଟପ୍ ଆକ୍ଟର୍ ଏତେ ଶୀଘ୍ର ଟେଲିଭିଜନରେ ପ୍ରବେଶ କରନ୍ତୁ। କିନ୍ତୁ ବିଗ୍ ବିଙ୍କୁ ଟଙ୍କା ଦରକାର ଥିଲା, ଋଣ ଶୁଝିବା ପାଇଁ। ଏଣୁ ସେ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ। ଏଥିରୁ ମିଳୁଥିବା ଅର୍ଥରେ ଅମିତାଭ ବଚ୍ଚନ ଋଣ ଶୁଝି ଦେଇ ଋଣମୁକ୍ତ ହୋଇଥିଲେ।

Comment