ଓଡ଼ିଶାଲାଇଭ୍ ବ୍ୟୁରୋ

ବିବିଧତାରେ ପରିପୂର୍ଣ୍ଣ ଆମ ଦେଶ ଭାରତ। ସେଥିପାଇଁ ଭାରତର ବିଭିନ୍ନ ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ସମୟରେ ଦେଶର ବିଭିନ୍ନ ରାଜ୍ୟକୁ ବୁଲିବାକୁ ଆସିଥାନ୍ତି। ତେବେ ଆମଦେଶ ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଆପଣ ବିନା ଅନୁମତିରେ ପ୍ରବେଶ କରିପାରିବେ କି ବୁଲିପାରିବେନି। ସେହି ଅଞ୍ଚଳକୁ ଆପଣଙ୍କୁ ଯିବାକୁ ହେଲେ ଆପଣଙ୍କୁ ‘ଇନର ଲାଇନ୍ ପରମିଟ୍’ ଆଣିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଆମ ଦେଶର ଏମିତି କିଛି ରାଜ୍ୟ ତଥା ଅଞ୍ଚଳମାନଙ୍କ ବିଷୟରେ।

ଭାରତର ଉତ୍ତର-ପୂର୍ବ ରାଜ୍ୟ ହେଉଛି ଅରୁଣାଚଳ ପ୍ରଦେଶ। ଏହି ରାଜ୍ୟ ପଶ୍ଚିମରେ ଭୂଟାନ, ପୂର୍ବରେ ମିଆଁମାର ସହ ଉତ୍ତରରେ ଚୀନର ସୀମା ସହ ଯୋଡ଼ି ହୋଇରହିଛି। ତେବେ ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ଲୋକମାନଙ୍କୁ ଏଠାରେ ବୁଲିବାକୁ ହେଲେ ‘ଇନର ଲାଇନ୍ ପରମିଟ୍’ର ଆବଶ୍ୟକ ପଡ଼ିଥାଏ। ଏହି ପରମିଟ୍ ସେହି ରାଜ୍ୟର ରେସିଡେଣ୍ଟ କମିଶନର୍ ଦେଇଥାନ୍ତି। ଏହାସହ କୋଲକାତା, ନୂଆଦିଲ୍ଲୀ, ସିଂଲି ଓ ଗୌହାଟୀ ସହ ଅନଲାଇନ୍ ଜରିଆରେ ଆପଣ ଏହି ଅନୁମତି ପାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ କିମ୍ବା ଭୋଟର କାର୍ଡ ସହ ପାସପୋର୍ଟ ସାଇଜ୍ ଫୋଟୋ ଦରକାର ପଡ଼ିଥାଏ।

ନିଜର ସୁନ୍ଦରତା ପାଇଁ ମିଜୋରାମ ରାଜ୍ୟ ବେଶ ପ୍ରସିଦ୍ଧ ଅର୍ଜନ କରିଛି। ଏଠାରେ ବିଭିନ୍ନ ପ୍ରକାର ଜନଜାତି ବସବାସ କରିଥାନ୍ତି। ଏହି ରାଜ୍ୟ ବାଂଲାଦେଶ ଓ ମିଆଁମାର ଅନ୍ତର୍ଜାତୀୟ ସୀମା ସହ ଲାଗିରହିଛି। ତେବେ ମିଜୋରାମରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ଅନୁମତି ପତ୍ରର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ପତ୍ର ମିଜୋରାମ ସରକାରଙ୍କ ସୂଚନା ଅଧିକାରୀ ଦେଇଥାନ୍ତି। ଏହାସହ ଏହି ଅନୁମତି ପତ୍ର ଲୋକମାନେ କୋଲକାତା, ସିଲଚର, ସିଂଲି, ଗୌହାଟୀ ସହ ନୂଆଦିଲ୍ଲୀରୁ ପାଇପାରିବେ। ଅନ୍ୟପଟେ ବିମାନରେ ମିଜୋରାମ ଆସୁଥିବା ଲୋକ ଲେଙ୍ଗପୁଇ ବିମାନବନ୍ଦର କିମ୍ବା ଆଇଜଲ୍ ପହଞ୍ଚିବା ପରେ ସେଠାରୁ ଏହି ଅନୁମତି ପତ୍ର ଆଣିପାରିବେ। ଏଥିପାଇଁ ଆପଣଙ୍କର ଚାରୋଟି ପାସପୋର୍ଟ ସାଇଜ୍ ଫୋଟୋ ଓ କୌଣସି ପରିଚୟ ପତ୍ରର ଆବଶ୍ୟକ ପଡ଼ିଥାଏ।

ନିଜର ରାଜ୍ୟର ସ୍ୱତନ୍ତ୍ର ଭାଷା ତଥା ସଂସ୍କୃତିକୁ ନାଗାଲାଣ୍ଡ ରାଜ୍ୟ ଭଲ ଭାବେ ପରିଚିତ। ଏହି ରାଜ୍ୟ ମିଆଁମାର ସୀମାକୁ ଲାଗି ରହିଛି। ତେବେ ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ନାଗାଲାଣ୍ଡ ବୁଲିବାକୁ ହେଲେ ‘ଇନର ଲାଇନ୍ ପରମିଟ୍’ର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ଦୀମାପୁର, କୋହିମା, ମୋକୋକଚୁଙ୍ଗ, ନୂଆଦିଲ୍ଲୀ, କୋଲକାତା ସହ ସିଂଲିର ଡେପୁଟି କମିଶନରଙ୍କଠାରୁ ପାଇପାରିବେ। ଏହାସହ ଏହି ସୁବିଧା ଅନଲାଇନରେ ମଧ୍ୟ ଉପଲବ୍ଧ ଅଛି। ଏଥିପାଇଁ ପର୍ଯ୍ୟଟକମାନଙ୍କୁ ନିଜର ପ୍ୟାନକାର୍ଡ, ଆଧାର କାର୍ଡ କିମ୍ବା ଭୋଟର କାର୍ଡ ସହ ପାସପୋର୍ଟ ସାଇଜ୍ ଫୋଟୋର ଆବଶ୍ୟକତା ପଡ଼ିଥାଏ।

ଲଦାଖର ସୀମା ପାକିସ୍ତାନ ଓ ଚୀନ ସହ ଲାଗି ରହିଥିବାରୁ ଏହି ରାଜ୍ୟର କିଛି ସ୍ଥାନରେ ବୁଲିବାକୁ ପର୍ଯ୍ୟଟକଙ୍କୁ ବାରଣ ହୋଇଥାଏ। ଯେମିତି କି ଦାହ, ହନୁ ବିଲେଜ୍, ମରକ, ତ୍ସୋ ମୋରୀରୀ, ନ୍ୟୋମା, ଲୋମା ବେଣ୍ଡ, ଖାରଦୁଙ୍ଗ ଲା ଆଦି ଯାଗାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ‘ଇନର ଲାଇନ୍ ପରମିଟ୍’ର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ଲେହ ସହରର ଡିସି କାର୍ଯ୍ୟାଳୟରେ ମିଳିପାରିବ। ସକାଳ ୯ଟାରୁ ସଂଧ୍ୟା ୭ଟା ଭିତରେ ପର୍ଯ୍ୟଟକମାନେ ଏହି ଅନୁମତି ଆଣିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଦେଶର ନାଗରିକ ବୋଲି ସବୁ କାଗଜପତ୍ରର ନକଲ ସହ ଫଟୋ ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ।

ସିକିମ୍ ଉତ୍ତରରେ ଚୀନ, ପୂର୍ବରେ ଭୁଟାନ ଓ ପଶ୍ଚିମରେ ନେପାଳ ସହ ଲାଗିରହିଛି। ସିକିମ ରାଜ୍ୟର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ନାହିଁ। ସେହିପରି ଜଣେ ଭାରତୀୟ ନାଗରିକ ଭାବରେ ଲାଚୁଙ୍ଗ, ତସମୋଗ ହ୍ରଦ, ନାଥୁଲା, ଯୁମଥାଙ୍ଗ ଆଦି ଅନେକ ସ୍ଥାନକୁ ଯିବାକୁ ହେଲେ ‘ଇନର ଲାଇନ୍ ପରମିଟ୍’ର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ରାଜ୍ୟର ପର୍ଯ୍ୟଟନ ଓ ନାଗରିକ ଉନ୍ନୟନ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହାସହ ପର୍ଯ୍ୟଟକମାନେ ଏହାକୁ ବାଗଡୋଗରା ବିମାନବନ୍ଦର କିମ୍ବା ରଙ୍ଗପୋ ଚେକ ପୋଷ୍ଟରୁ ଆଣିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଫଟୋ ପରିଚୟ ପତ୍ର , ଭୋଟର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ପଡ଼ିଥାଏ।

Comment