ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କୌଣସି ଦୂର ଜାଗାକୁ ଯାତ୍ରା କରିବା ପାଇଁ ଲୋକମାନେ ସାଧାରଣତଃ ଟ୍ରେନକୁ ହିଁ ପସନ୍ଦ କରିଥାନ୍ତି। ଭାରତରେ ଏହା ସବୁଠାରୁ ଲୋକପ୍ରିୟ ଯାତ୍ରୀବାହୀ ଗାଡ଼ି। ଜଣେ ସାଧାରଣ ଲୋକଠାରୁ ଆରମ୍ଭ କରି ସମାଜର ସମସ୍ତ ବର୍ଗର ଲୋକ ଟ୍ରେନରେ ଯାଇପାରିବା ଭଳି ବ୍ୟବସ୍ଥା ରହିଛି।

ତେବେ ଆପଣ ଗୋଟିଏ କଥା ଲକ୍ଷ୍ୟ ରଖିଛନ୍ତି କି ଯେ, ଭାରତରେ ବିଭିନ୍ନ ଟ୍ରେନର ବଗିର ରଙ୍ଗ କ’ଣ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ଏହା ପଛର କାରଣ କଣ?

ଆସନ୍ତୁ ଜାଣିବା…

ସାଧାରଣତଃ ଆମେ ଟ୍ରେନରେ ନୀଳରଙ୍ଗର ବଗି ଦେଖିବାକୁ ପାଇଥାଉ। ତେବେ ଏହି ଟ୍ରେନର ରଙ୍ଗ ନୀଳ ହେବାର କାରଣ ହେଲା, ଏହି ରଙ୍ଗର ଡ଼ବା ଥିବା ଟ୍ରେନ୍ ଘଣ୍ଟାପ୍ରତି ୭୦ରୁ ୧୪୦ କିଲୋମିଟର ବେଗରେ ଚାଲିଥାଏ। ଏହିରଙ୍ଗର ବଗି ମୁଖ୍ୟତଃ ମେଲ ଏକ୍ସପ୍ରେସ୍ କିମ୍ବା ସୁପରଫାଷ୍ଟ ଏକ୍ସପ୍ରେସରେ ଦେଖିବାକୁ ମିଳିଥାଏ। ନୀଳ ରଙ୍ଗର ବଗି ସବୁ ଆଇସିଏଫ୍ କୋଚ ଦ୍ୱାରା ନିର୍ମାଣ କରାଯାଇଥାଏ। ଆଇସିଏଫ୍ ହେଉଛି ଚେନ୍ନାଇରେ ଥିବା ଦେଶର ଏକ ରେଳ ବଗି ତିଆରି କାରଖାନା।

ସେହିପରି କେତେକ ଟ୍ରେନରେ ଆପଣ ଲାଲ ରଙ୍ଗର ବଗି ଦେଖିବାକୁ ପାଇଥିବେ। ଏହାର କାରଣ ହେଲା ଯେଉଁ ଆଇସିଏଫ୍ ଟ୍ରେନରେ ଏସିର ବ୍ୟବହାର ହୋଇଥାଏ। ସେଠାରେ ଏହି ଲାଲ ରଙ୍ଗର ବଗି ବ୍ୟବହାର ହୋଇଥାଏ। ମୁଖ୍ୟତଃ ଦେଶରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସମାନଙ୍କରେ ଏହି ଲାଲ ରଙ୍ଗର ବଗି ବ୍ୟବହାର କରାଯାଇଥାଏ।

ସେହିଭଳି କେତେକ ଟ୍ରେନରେ ସବୁଜ ରଙ୍ଗର ବଗି ବ୍ୟବହାର ହୋଇଥାଏ। ଦେଶରେ ଚାଲୁଥିବା ଗରିବ ରଥ ଏକ୍ସପ୍ରେସମାନଙ୍କରେ ଏହି ସବୁଜ ରଙ୍ଗର ବଗି ବ୍ୟବହାର ହୋଇଥାଏ। ସେହିଭଳି ମିଟର ଗେଜ ଟ୍ରେନମାନଙ୍କରେ ଧୂସର ରଙ୍ଗର ବଗି ବ୍ୟବହାର କରାଯାଇଥାଏ।

ଏହାସହ କେତେକ ରେଳ ଜୋନ ନିଜ ନିଜର ଟ୍ରେନର ରଙ୍ଗ ସ୍ୱତନ୍ତ୍ର ଭାବରେ ରଖିଥାନ୍ତି। ଯେପରିକି, ମଧ୍ୟ ରେଳପଥର ବିଭିନ୍ନ ଟ୍ରେନର ରଙ୍ଗ ଧଳା, ଲାଲ୍ ଓ ନୀଳ ରଙ୍ଗର ଦେଖିବାକୁ ମିଳିଥାଏ।

Comment