ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ‘ବନ୍ଧନ’ ଚିତ୍ରଟି ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୬୯ରେ ମାତ୍ର ଗୋଟିଏ ଓଡ଼ିଆ ଚଳଚିତ୍ର ନିର୍ମିତ ହୋଇଥିଲା। ଆଉ ସେଇଟି ହେଉଛି ବନ୍ଧନ। ସେ ବର୍ଷର ଏକ ମାତ୍ର ଚଳଚିତ୍ର ହେଲେ ହେଁ ଏହା ସର୍ବାଧିକ ଲୋକପ୍ରିୟତା ହାସଲ କରିପାରିଥିଲା। ସ୍ୱର୍ଣ୍ଣ ପଟ୍ଟନାୟକଙ୍କ ପ୍ରଯୋଜନା ଓ ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବନ୍ଧନ ପଛରେ ନିରଞ୍ଜନ ପଟନାୟକଙ୍କଅବଦାନ ଅତୁଳନୀୟ। ମୂଳ ‘ଆ ଜହ୍ନ ମାମୁଁ ଶରଗ ଶଶୀ’ ନାଟକର କାହାଣୀକୁ ଭିତ୍ତି କରି ଏହି ଚଳଚିତ୍ର ନିର୍ମାଣ କରାଯାଇଥିଲା।
କଳାକାର

ଏହି ଚଳଚ୍ଚିତ୍ରରେ ସେ ସମୟର ଅନେକ ନୂଆ ପୁରୁଣା ଅଭିନେତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶାନ୍ତ ନନ୍ଦ, ଉର୍ବଶୀ ଯୋଶୀ, ଗୋବିନ୍ଦ ତେଜ, ନିରଞ୍ଜନ ଶତପଥୀ, ଧୀର ବିଶ୍ୱାଳ, ଲୀଳା ଦୁଲାଳି, ସାଗର,ପରୀକ୍ଷିତ, ଭୀମ ସିଂ ଓ ଅଭୟ ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ନାୟିକା ଭାବେ ପ୍ରଥମେ ପରଦାକୁ ଆସିଥିଲେ ଗୀତାଞ୍ଜଳି।

କୋର୍ଟ ମାମଲା

ଏହି ଚିତ୍ରଟିକୁ ନିର୍ମାଣ କରିବା ପାଇଁ ୧୯୬୬ରୁ ଉଦ୍ୟମ ଆରମ୍ଭ ହୋଇଥିଲେ ହେଁ ୧୯୬୯ରେ ଯାଇ ଏହା ଫଳବତୀ ହୋଇଥିଲା। ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି ଅନୁସାରେ ଚଳଚ୍ଚିତ୍ରର ନାମ ‘ବନ୍ଧନ’ ରଖା ଯାଇଥିଲା। ବନ୍ଧନ ନିର୍ମାଣ ପଛରେ ଏକ ରୋଚକ କାହାଣୀ ରହିଛି ଓ ଚିତ୍ର ପ୍ରସ୍ତୁତି ସମୟରେ ଏହା କୋର୍ଟ ମାମଲାରେ ଛନ୍ଦି ହୋଇପଡ଼ିଥିଲା।

ସେତେବେଳେ ଓଡ଼ିଶାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅର୍ଥ ଏକ ବଡ଼ ବାଧକ ଥିଲା। ‘ବନ୍ଧନ’ ପାଇଁ ପ୍ରଯୋଜିକାଙ୍କ ପକ୍ଷରୁ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମରୁ ଋଣ ଅଣା ଯାଇଥିଲା। କିନ୍ତୁ ଫିଲ୍ମ ନିର୍ମାଣ ମଝିରେ ଅଧିକ ଅର୍ଥ ଦରକାର ପଡ଼ିଲା। ଫଳରେ ପ୍ରଯୋଜକ କଟକର ଜଣେ ଆଇନଜୀବୀ ସୁବା ରାଓଙ୍କଠାରୁ କରଜ ଆଣି ଚିତ୍ରଟିକୁ ସମ୍ପୂର୍ଣ୍ଣ କଲେ। ଅକ୍ଟୋବର ୩ ତାରିଖ ୧୯୬୯ରେ କଟକର ପ୍ରଭାତ ସିନେମାରେ ଏହା ମୁକ୍ତିଲାଭ କରିଥିଲା ଓ ପ୍ରିମିୟର ସୋ’ ଦିନ ଦର୍ଶକଙ୍କ କରତାଳିରେ ପ୍ରେକ୍ଷାଳୟଟି ଉଠୁଥିଲା ପଡ଼ୁଥିଲା।

ତେବେ, ବନ୍ଧନର ସମସ୍ୟା ସେତିକିରେ ଶେଷ ହୋଇନଥିଲା। ସ୍ଵତ୍ଵାଧିକାର ବା କପିରାଇଟକୁ ନେଇ ରାୟଗଡ଼ାର ଜନୈକ ବଳରାମ ମିଶ୍ର ଏହି ଚିତ୍ରର ପ୍ରଯୋଜକଙ୍କ ବିରୁଦ୍ଧରେ କୋର୍ଟ ଗଲେ। ଖୁସିର ବିଷୟ ଯେ, ଏହି ମାମଲାର ଆପୋଷ ସମାଧାନ ପାଇଁ ସବୁ ସ୍ତରରେ ଉଦ୍ୟମ କରାଗଲା। ରାୟଗଡ଼ା ମୁନିସିପାଲିଟିର ତତ୍କାଳୀନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ମଧ୍ୟସ୍ଥତାରେ ମାମଲାଟି ରଫାଦଫା ହୋଇଥିଲା।

ବନ୍ଧନ ଚଳଚ୍ଚିତ୍ର ପାଇଁ ନିତାଇ ପାଲିତଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ସାମୁଏଲ ସାହୁ(ବାବି)ଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରାଯାଇଥିଲା।

ଗୀତରେ ଭରପୂର

ବନ୍ଧନ ଚଳଚିତ୍ରଟି ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ତେବେ ଏହି ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି ଏହାର ଗୀତ ଓ ସଙ୍ଗୀତ ଯାହାକି ଥିଲା ଅତି ଚମତ୍କାର। ‘ବନ୍ଧନ’ ଚଳଚ୍ଚିତ୍ର ପାଇଁ ପ୍ରକୃତରେ ଛଅଟି ଗୀତ ରେକର୍ଡିଂ କରାଯାଇଥିଲେ ହେଁ ପ୍ରଣବ ପଟନାୟକ ଗାଇଥିବା ‘ମା କାଳିଯାଇ ଲୋ’ ଗୀତକୁ ଚଳଚିତ୍ରରେ ବ୍ୟବହାର କରାଯାଇନଥିଲା। ଅବଶିଷ୍ଟ ପାଞ୍ଚଟି ଯାକ ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ଆଜି ଯାଏଁ ଶ୍ରୋତା ସେହି ସବୁ ଗୀତକୁ ପସନ୍ଦ କରିଥାନ୍ତି।

ଭୁବନ-ଶ୍ରୀବତ୍ସ

ବନ୍ଧନ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଭୁବନେଶ୍ୱର ମିଶ୍ର ଓ ତାଙ୍କୁ ସହାୟତା କରିଥିଲେ ଶ୍ରୀବତ୍ସ ପଟନାୟକ। ବନ୍ଧନର ସବୁଠାରୁ ଆକର୍ଷଣୀୟ ଗୀତ ଥିଲା ‘ଆ ଜହ୍ନ ମାମୁଁ ଶରଦ ଶଶୀ।’ ଏହି ନାନାବାୟା ଗୀତକୁ କିଏ ଅବା ପିଲା ଦିନେ ନଶୁଣିଛି? ଏହି ଗୀତର ଗୀତିକାର ଥିଲେ ନରସିଂହ ମହାପାତ୍ର ଓ ଏହାକୁ ଗାଇଥିଲେ ନିର୍ମଳା ମିଶ୍ର।ବନ୍ଧନର ଅନ୍ୟ ଏକ ଲୋକପ୍ରିୟ ଗୀତ ଥିଲା ‘ଏ ନୀଳ ଆଖି ଜଳେ ଭାସନା।’ ଏହାକୁ ଗାଇଥିଲେ ପ୍ରଣବ ପଟନାୟକ ଓ ନିର୍ମଳା ମିଶ୍ର। ଲେଖା ନରସିଂହ ମହାପାତ୍ର।

ତେବେ ବନ୍ଧନ ଚିତ୍ରର ଏହି ଗୀତଟି ସବୁଠାରୁ ବେଶ୍ ମନଛୁଆଁ ଥିଲା: ‘ପୂର୍ଣ୍ଣିମା.. ଜହ୍ନ ସତେ ଧରା ବୁକେ ହସିଲା।’ ଏହି ଗୀତକୁ ମଧ୍ୟ ପ୍ରଣବ ପଟନାୟକ ଓ ନିର୍ମଳା ମିଶ୍ର ଗାଇଥିଲେ। ଗୀତର ଅନ୍ତରାରେ ପ୍ରଣବ ପଟନାୟକଙ୍କ ‘ରୂପର ରୂପସୀ ଲାବଣ୍ୟବତୀ ଗୋ, ଛାଡ଼ି ମୁଁ ଆସିଛି ଅମରାବତୀ ଗୋ’  ଶ୍ରୋତାଙ୍କ ପାଇଁ ଏକ ଚମତ୍କାର ଅନୁଭବ ହୋଇ ଆସିଛି।

ବନ୍ଧନ ଚିତ୍ରର ଅନ୍ୟ ଏକ ଚମତ୍କାର ଗୀତ ହେଉଛି ‘ସାବି ସାବି … ତୁ ତ ମୋର ନାଲି ପାନ ବିବି।’ ଏହି ଗୀତକୁ ନିଜେ ଅକ୍ଷୟ ମହାନ୍ତି ଲେଖିଥିଲେ ଓ ଗାଇଥିଲେ। ବନ୍ଧନ ପାଇଁ ସେ ସମୟର ସମସ୍ତ ଗାୟକ ଗାୟିକା କଣ୍ଠ ଦେଇଥିଲେ। ସିକନ୍ଦର ଆଲାମ ଓ ସିପ୍ରା ବୋଷ ଗାଇଥିବା ଡୁଏଟ ‘ନା ନା ନା ନା ରେ ମନ ମାରିଦେନା’ ଗୀତକୁ ଆଜି ବି ଶ୍ରୋତା ମନେ ପକାଇଥାନ୍ତି।

ପରବର୍ତ୍ତୀ ସମୟରେ ‘ବନ୍ଧନ’ ନାଁରେ ଆହୁରି ଅନେକ ଓଡ଼ିଆ ଚିତ୍ର ନିର୍ମିତ ହୋଇଛି ସତ ହେଲେ ପଚାଶ ବର୍ଷ ତଳେ ନିର୍ମିତ ଏହି ଚିତ୍ର ଓଡ଼ିଆ ଚଳଚିତ୍ର ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା ହୋଇ ରହିଛି।

Comment