ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୟା ଦଶମୀ ପୂର୍ବରୁ ରାଜ୍ୟ ରାଜନୀତିରେ ରାମ, ରାବଣ ଉପାଖ୍ୟାନ।

ରାତି ପାହିଲେ ବିଜୟା ଦଶମୀ। ଚାରିଆଡ଼େ ଉତ୍ସବର ମାହୋଲ। ବିଜୟା ଦଶମୀରେ ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜନୀତି ରାମ, ରାବଣ ଉପାଖ୍ୟାନ ଜୋର ଧରିଛି।

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ରାଜନୀତିରେ ରାବଣ ରହିଥିବା କଥା କହିଥିବା ବେଳେ ଏଥିରେ ପାଳି ଧରିଛନ୍ତି ବିଜେଡିର ବରିଷ୍ଠ  ନେତା ପ୍ରସନ୍ନ ପାଟ୍ଟାଶାଣୀ।

ପାଟ୍ଟଶାଣୀ ରାଜନୀତିରେ ରାମଙ୍କ ଉପାଖ୍ୟାନ କରି ରାଜନୀତିକୁ ସରଗରମ କରିଛନ୍ତି। ପାଟ୍ଟଶାଣୀ ନବୀନଙ୍କୁ ‘ରାମ’ କହିଥିବା ବେଳେ ନିଜକୁ ‘ହନୁମାନ’ କହିଛନ୍ତି।

‘‘ନବୀନ ହେଉଛନ୍ତି ରାମଚନ୍ଦ୍ର। ମୁଁ ତାଙ୍କ ହନୁମାନ। ପୂର୍ବରୁ ମୁଁ ବିଜୁ ଏବଂ ଜାନକୀଙ୍କର ହନୁମାନ ଥିଲି। ବିଜେଡିରେ ନବୀନ, ବିଜେପିରେ ଧର୍ମେନ୍ଦ୍ର ଏବଂ କଂଗ୍ରେସରେ ନିରଞ୍ଜନ ହେଉଛନ୍ତି ରାମଚନ୍ଦ୍ର। ତେବେ ଅନ୍ୟ ଦଳ ପରି ବିଜେଡିରେ ବି ରାବଣ ଅଛନ୍ତି। ହେଲେ ସେ ରାବଣ କିଏ ମୁଁ କହିବିନି’’, କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

ପାଟ୍ଟଶାଣୀ ହେଉଛନ୍ତି ବିଜେଡିର ବରିଷ୍ଠ ନେତା। ଭୁବନେଶ୍ୱର ଲୋକସଭା ଆସନରୁ ସେ ପାଞ୍ଚ ଥର ନିର୍ବାଚିତ ହୋଇଛନ୍ତି। ୨୦୧୯ ନିର୍ବାଚନ ବେଳେ ତାଙ୍କୁ ଟିକେଟ ମିଳି ନଥିଲା। ଏହି ସମୟରେ ପାଟ୍ଟଶାଣୀ ଚର୍ଚ୍ଚାରେ ରହିଥିଲେ। ଏବେ ରାଜନୀତିରେ ରାମ, ରାବଣ ଉପାଖ୍ୟାନ କରି ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି।

‘‘ଓଡ଼ିଶା ରାଜନୀତିରେ ରାବଣ ୨ରୁ ୩ ଜଣ ଅଛନ୍ତି। ସବୁ ଦଳରେ ରାବଣ ଅଛନ୍ତି ଏବଂ ଆମ ଦଳରେ ବି ରାବଣ ଅଛନ୍ତି। ସେମାନେ ରାବଣର ସ୍ୱର୍ଣ୍ଣ ଲଙ୍କା ଭଳି ମହଲ ତିଆରି କରିଛନ୍ତି। ହେଲେ ଏବେ ଆମ ଦଳରେ କମ୍‌ ରାବଣ ଅଛନ୍ତି’’, କହିଥିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।

ବିଜୟା ଦଶମୀ ପୂର୍ବରୁ ସୁର ଏବଂ ପାଟ୍ଟଶାଣୀଙ୍କ ରାମ, ରାବଣ ଉପାଖ୍ୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Comment