ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟର ହରଭଜନ ସିଂହ ଓ ପାକିସ୍ତାନୀ ଅଭିନେତ୍ରୀ ବିନା ମଲ୍ଲିକ ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୟୁଏନଜିଏରେ ଦିଆଯାଇଥିବା ଭାଷଣକୁ ନେଇ ତାଙ୍କ ଭିତରେ ଟୁଇଟରରେ ଯୁକ୍ତିତର୍କ ଲାଗିଛି।

ଇମ୍ରାନ ୟୁଏନଜିଏରେ ଯେଉଁ ଭାଷଣ ଦେଇଥିଲେ ତାକୁ ନେଇ ହରଭଜନ ସିଂହ ଟୁଇଟରରେ କହିଥିଲେ, “ୟୁଏନଜିଏର ଭାଷଣରେ ଭାରତ ବିରୋଧରେ ନ୍ୟୁକ୍ଲିୟର ଲଢେଇର ଧମକ ଦିଆଯାଇଥିଲା। ଜଣେ ମୁଖ୍ୟବକ୍ତା ହିସାବରେ ଇମ୍ରାନ ଖାନଙ୍କ ଦ୍ଵାରା ‘ରକ୍ତ ସଂଘର୍ଷ’, ‘ଶେଷ ଲଢ଼େଇ’ ଆଦି ଶବ୍ଦ ପ୍ରୟୋଗ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରୁଛି। ଜଣେ ଖେଳାଳି ହିସାବରେ ମୁଁ ତାଙ୍କଠାରୁ କେବେବି ଏହା ଆଶା କରିନଥିଲି।”

ଏହି ଟୁଇଟରେ ବିନା ମଲ୍ଲିକ ଉତ୍ତର ଦେଇ କହିଥିଲେ, “ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଭାଷଣରେ ଶାନ୍ତିର କଥା କହିଥିଲେ। ସେ ସେହି ଡର ଓ ସତ୍ୟତାର କଥା କହିଥିଲେ, ଯାହା କର୍ପ୍ୟୁ ହଟିବା ପରେ ନିଶ୍ଚିତ ଆସିବାର ଥିଲା। ସେ ସଫା ସଫା କହିଥିଲେ ଯେ ଏହା ଏକ ଭୟାନକ କଥା ଏହା ଧମକ ନୁହେଁ। କ’ଣ ତମେ ଇଂରାଜୀ ବୁଝନି।”

ବିନାଙ୍କ ଦ୍ଵାରା କରାଯାଇଥିବା ଏହି ଟୁଇଟରେ ‘ସିଓରଲି’ ଇଂରାଜୀ ଶବ୍ଦରେ ‘ଇ’ ନଥିଲା। ଏହାପରେ ହରଭଜନ ତାଙ୍କୁ ଟୁଇଟରରେ କହିଥିଲେ, “ଆପଣଙ୍କ surlyର ମାନେ କ’ଣ? ଆଚ୍ଛା ଏହା surely। ଏଥର ଇଂରାଜୀରେ କିଛି ପୋଷ୍ଟ କରିବା ଆଗରୁ ଟିକେ ପଢ଼ିଦେବେ।”

Comment