ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରାଧୀମାନଙ୍କ ପାଇଁ ସତର୍କ ଘଣ୍ଟି ! ଅପରାଧ ଘଟାଇ ଆଖି ପିଛୁଳାକେ ଚମ୍ପଟ ମାରୁଥିବା ଅପରାଧୀମାନେ ଆଉ ସହଜରେ ଖସି ଯାଇ ପାରିବେନି। ସିସିଟିଭି କ୍ୟାମେରାରେ କଏଦ ହେବ ସେମାନଙ୍କ ଚେହେରା। ବିଶେଷକରି ପାର୍ବଣ ସମୟରେ ନିୟମ ଭଙ୍ଗ କରୁଥିବା ମେଢ଼ମାନଙ୍କର ଗତିବିଧି ଲକ୍ଷ କରିବ ପ୍ରଶାସନ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସିରିଜ୍ ଅପରାଧ ଘଟାଇ ପୋଲିସ ପ୍ରଶାସନର ନିଦ ହଜାଇଦେଉଥିବା ଅପରାଧୀମାନଙ୍କୁ ପୋଲିସ କାବୁକରି ଜେଲ ହାଜତକୁ ପଠାଇ ଦେଇଛି।

ଅପରାଧୀମାନଙ୍କୁ ଧରିବା ପାଇଁ କେନ୍ଦ୍ରାପଡ଼ା ପୋଲିସ ଆରମ୍ଭ କରିଛି ନୂଆ ଯୋଜନା। ଦୃତ ଗତିରେ ଗାଡ଼ି ଚଳାଇବା, ଜୋରରେ ହର୍ଣ୍ଣ ବଜାଇବା, ଗାଡ଼ି ଡିକି ଭାଙ୍ଗି ଚୋରି କରିବା, ଦୋକାନ ସଟର ଭାଙ୍ଗି ଚୋରି ଆଦି ଘଟାଉଥିବା ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏହି ଯୋଜନା ଆପଣେଇଛନ୍ତି।

ଏଣିକି ଏସବୁ ଅପରାଧୀଙ୍କ ମାମଲା ଉପରେ ଦିନରାତି ନଜର ରଖିବାକୁ କେନ୍ଦ୍ରାପଡ଼ା ସହରରେ ଲାଗିବ ୩୬ଟି ସିସିଟିଭି କ୍ୟାମେରା। ସହରର ୧୨ଟି ଛମାନଙ୍କରେ ଏହି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଲଗାଇବ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ଆଗକୁ ଆସୁଛି କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜାରେ କେତେକ ପୂଜା ମେଢ଼ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ବିଶେଷକରି ଗଜଲକ୍ଷ୍ମୀ ମେଢ଼ ଭସାଣ ବେଳେ ନୀତିନିୟମ ଭଙ୍ଗ ହେବାର ନଜିର ରହିଛି। ଏସବୁ ଏଥର ଦେଖିବ ସିସିଟିଭି। କେନ୍ଦ୍ରାପଡ଼ା ସହରର ପୁରୁଣା ମଟରଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡିରେ ଏହି ସିସିଟିଭିର କଣ୍ଟ୍ରୋଲ ରୁମ୍ ରହିବ। ଚବିଶ ଘଣ୍ଟିଆ ଡ୍ୟୁଟିରେ ରହିବେ ପୋଲିସ ଅଧିକାରୀମାନେ। ଫଳରେ ଟିକନିଖ ଅପରାଧୀକ ଖବର ପୋଲିସ ଜାଣିବାର ସୁଯୋଗ ପାଇ ତାହାର ପ୍ରତିକାର କରିବ ବୋଲି କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର ସୂଚନା ଦେଇଛନ୍ତି ।

Comment