ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ନିୟନ୍ତ୍ରଣରେ ଥିବା ଓ ରୁଗ୍‌ଣ ହୋଇପଡ଼ିଥିବା ଭାରତ ସଞ୍ଚାର ନିଗମ (ବିଏସ୍‌ଏନଏଲ) ଓ ମହାନଗର ଟେଲିଫୋନ ନିଗମ (ଏମଟିଏନ୍‌ଏଲ)କୁ ଉଚ୍ଛେଦ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୁପାରିଶ କରାଯାଇଛି।

ଟେଲିକମ ବିଭାଗ ପକ୍ଷରୁ ଏହି ଦୁଇ ନିଗମର ପୁନରୁଦ୍ଧାର ପାଇଁ ୭ ଲକ୍ଷ ୪ ହଜାର କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ଅନୁରୋଧ କରାଯାଇଥିଲା। ଏହାକୁ ଅନୁଧ୍ୟାନ କରିବା ପରେ ଅର୍ଥ ବିଭାଗ ବନ୍ଦ ସୁପାରିଶ କରିଛି। ଟେଲିକମ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ଦୁଇଟି ଯାକ ନିଗମକୁ ବନ୍ଦ କରିଦେଲେ ପ୍ରାୟ ୯ ଲକ୍ଷ ୫ ହଜାର କୋଟି ଟଙ୍କା ବ୍ୟୟ ହେବ।

ଉଭୟ ନିଗମର ୧ ଲକ୍ଷ ୬୫ ହଜାର କର୍ମଚାରୀଙ୍କୁ ଭିଆରଏସ ଯଦି ଦିଆଯାଏ ସେମାନଙ୍କ ବକେୟା ବାବଦକୁ ଏତିକି ଅର୍ଥ ଖର୍ଚ୍ଚ ହେବ ବୋଲି ଟେଲିକମ ବିଭାଗ ପ୍ରସ୍ତାବ ଦେଇଥିଲେ। ତେବେ ଉଭୟ ନିଗମକୁ ବନ୍ଦ କଲେ ଏତେ ଅର୍ଥ ଖର୍ଚ୍ଚ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ହିସାବ କରାଯାଇଛି।

ଏହାର କାରଣ ଏହି ଦୁଇଟି ନିଗମରେ ଭାରତୀୟ ସଞ୍ଚାର ସେବା ବା ଆଇଟିଏସ ଅଫିସର ବି ଅଛନ୍ତି, ଯେଉଁମାନେ କି ଡେପୁଟେସନରେ ଯାଇଛନ୍ତି। ଅର୍ଥ ବିଭାଗର ପ୍ରସ୍ତାବ ହେଉଛି ଏହି ସବୁ ଅଧିକାରୀମାନଙ୍କୁ ଅନ୍ୟ ବିଭାଗରେ ଥଇଥାନ କରାଯାଇ ପାରିବ। ଏହାର ଅର୍ଥ ଯେଉଁମାନେ ଏହି ଦୁଇ ନିଗମରେ ସିଧାସଳଖ ଭର୍ତ୍ତି ହୋଇଥିଲେ ସେମାନଙ୍କୁ ହିଁ ଭିଆରଏସ କ୍ଷତିପୂରଣ ଦେବା ପାଇଁ ହେବ।

ଏମାନଙ୍କ ସଂଖ୍ୟା ମୋଟ କର୍ମଚାରୀ ସଂଖ୍ୟାର ମାତ୍ର ଏକ ଦଶମାଂଶ ବୋଲି ଅର୍ଥ ବିଭାଗ ଅନୁଧ୍ୟାନ କରିଛନ୍ତି। ଏଣୁ ଏହି କର୍ମଚାରୀମାନଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଯୋଜନା ଲାଗୁ କଲେ ବହୁତ କମ ଖର୍ଚ୍ଚ ହେବ ବୋଲି ଅର୍ଥ ବିଭାଗ ଯୁକ୍ତି କରିଛି। ଏଣୁ ଉଭୟ ସଂସ୍ଥାକୁ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ  ପରାମର୍ଶ ଦିଆଯାଇଛି।

Comment