ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’।

ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି।

ଅକ୍ଷୟ ମହାନ୍ତି ଓଡ଼ିଆ ସାହିତ୍ୟ ଓ ସଙ୍ଗୀତରେ ଏକ ନୂଆ, ନିଆରା ଷ୍ଟାଇଲ୍‌ର ନାଁ।

ଅକ୍ଷୟ ମହାନ୍ତି ଜଣେ କଟକିଆର ନାଁ – ସାରା କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆର ନାଁ।

ଅକ୍ଷୟ ମହାନ୍ତି ଥିଲେ ଜଣେ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ। ଥିଲେ ଜଣେ ସାହିତ୍ୟିକ ଓ ସାହିତ୍ୟର ନିଦା ପାଠକ।

ଅକ୍ଷୟ ମହାନ୍ତିଙ୍କ ରଙ୍ଗ, ଢଙ୍ଗ, ସଙ୍ଗୀତ, ସଙ୍ଗତ – ସବୁଥିଲା ନିଆରା। ଏକବାରେ ଖୋକା ଭାଇ ମାର୍କା।

କଟକ ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ଏକ୍ସପେରିମେଣ୍ଟ। ଏମିତି ଏକ୍ସପେରିମେଣ୍ଟ, ଯାହା ଆଗରୁ ଅନ୍ୟ ସଙ୍ଗୀତକାରମାନେ ସାହସ କରି ନଥିଲେ। ତାଙ୍କ ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ବଲିଉଡର ବଡ଼ ବଡ଼ ସଙ୍ଗୀତକାର କହୁଥିଲେ, ଯଦି ଖୋକା ଭାଇ ବମ୍ବେ ଯାଇଥା’ନ୍ତେ ଓଡ଼ିଶାର ନାଁକୁ ଆହୁରି ଝଲମଲ କରିଥା’ନ୍ତେ।

ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ। ସେଥିପାଇଁ କଟକର ବଦ୍‌ମାସ୍‌ ଟୋକାଙ୍କଠାରୁ ଘର କଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି।

ଖୋକା ଭାଇ ସତରେ ଥିଲେ ଜଣେ ପାଗଳ। କାରଣ ପାଗଳ ନ ହେଲେ ଏଭଳି ସଙ୍ଗୀତ ସୃଷ୍ଟି କରିବା ହୁଏତ ସମ୍ଭବ ନୁହେଁ।

ଅକ୍ଷୟ ମହାନ୍ତି ଆଧୁନିକ ଗୀତ ପାଇଁ ବେଶ୍‌ ପରିଚିତ ଥିଲେ। ହେଲେ ସେ ମଧ୍ୟ ଗାଇଥିଲେ ଅନେକ ହୃଦୟସ୍ପର୍ଶୀ ଭଜନ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଅନେକ ଭକ୍ତି ସଙ୍ଗୀତ ଏବେ ବି ଶ୍ରୋତାଙ୍କୁ ଟାଣି ଧରେ।

ଅକ୍ଷୟ ମହାନ୍ତି ଥିଲେ ଜଣେ ଆଶୁ କବି। କହୁ କହୁ ଲେଖି ପକାଉ ଥିଲେ ଗୀତ। ସବୁ କଥାରେ ତାଙ୍କୁ ଗୀତ ଦିଶୁଥିଲା। ନିଜେ ଲେଖିଥିବା ଗୀତକୁ ସେ ଯେଭଳି ମନ ଦେଇ ସଙ୍ଗୀତ ସୃଷ୍ଟି କରୁଥିଲେ, ଅନ୍ୟ ଗୀତିକାରମାନଙ୍କ ଲେଖାକୁ ମଧ୍ୟ ସେଭଳି ଜୀବନ ଦେଉଥିଲେ।

୧୯୩୬ ମସିହାରେ ଅକ୍ଟୋବର ୧୨ ତାରିଖରେ କଟକରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି। ଆଜି ତାଙ୍କର ଜନ୍ମ ଦିନରେ ଓଡ଼ିଶାଲାଇଭ୍‌ ଟିମ୍‌ର ଗଭୀର ଶ୍ରଦ୍ଧାଞ୍ଜଳି।

Comment