ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୯ ବର୍ଷରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଲିଉଡ ତଥା ସାଉଥ୍‌ ଇଣ୍ଡିଆନ ଫିଲ୍ମରେ ନିଜର ଯାଦୁ ଦେଖାଇଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ଆଜି ଜନ୍ମଦିନ। ଜନ୍ମ ଦିନ ଅବସରରେ ବଲିଉଡ ଇଣ୍ଡଷ୍ଟ୍ରୀରୁ ପୂଜାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ବର୍ତ୍ତମାନ ପୂଜା ନିଜ ଆଗାମୀ ଫିଲ୍ମ ‘ହାଇସ୍‌ଫୁଲ-୪’କୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ପୂଜାଙ୍କ ବିଷୟରେ କିଛି ଅଜଣା କଥା।

୧୯୯୦ ମସିହା ଅକ୍ଟୋବର ୧୩ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ପୂଜା। ତାଙ୍କ ବାପା-ମା କର୍ଣ୍ଣାଟକର ମାଙ୍ଗାଳୁରୁର ବାସିନ୍ଦା। ପୂଜା ନିଜର ଶିକ୍ଷା ମୁମ୍ବାଇର ମିଠୀବାଇ କଲେଜରେ କରିଛନ୍ତି। ଏହା ସହିତ ଭାରତନାଟ୍ୟମ ନୃତ୍ୟରେ ମଧ୍ୟ ସେ ପାରଙ୍ଗମ।

କଲେଜ୍‌ ସମୟରୁ ହିଁ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପାଇଁ ପୂଜା ସ୍ଥିର କରିଥିଲେ। ଏଥିପାଇଁ ସେ କଲେଜର ବିଭିନ୍ନ ନୃତ୍ୟ ପ୍ରତିଯୋଗିତା ଏବଂ ଫେସନ ସୋ’ରେ ଭାଗ ନେବା ଆରମ୍ଭ କରିଦେଇଥିଲେ।ପୂଜା ୨୦୦୯ ମସିହାରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ହେଲେ ସେଥିରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

୨୦୧୨ ମସିହାରେ ତାମିଲ ଫିଲ୍ମ ‘ମୁଗାମୁଡି’ ଜରିଆରେ ଫିଲ୍ମ ଦୁନିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ପୂଜା। ଏହା ପରେ ଓକା ଲୈଲା କସମ, ମୁକୁନ୍ଦା ଭଳି ଦୁଇଟି ତେଲୁଗୁ ଫିଲ୍ମ ଅଫର ମିଳିଥିଲା। ନିଜର ଚମତ୍କାର ଅଭିନୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଖୁବ୍‌ କମ୍‌ ଦିନରେ ପୂଜା ନିଜର ଅଲଗା ଫ୍ୟାନ ଫଲୋଇଙ୍ଗ୍‌ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ।

୨୦୧୪ ମସିହାରେ ପୂଜାଙ୍କ ଭାଗ୍ୟ ଖୋଲିଥିଲା, ଯେତେବେଳେ ତାଙ୍କୁ ବଲିଉଡ୍‌ ଫିଲ୍ମ ପାଇଁ ଅଫର ମିଳିଥିଲା। ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ‘ମହେଞ୍ଜୋଦାରୋ’ରେ ମୁଖ୍ୟ ଅଭିନେତ୍ରୀ ଭାବେ ପୂଜା ଅଭିନୟ କରିଥିଲେ। ତାଙ୍କ ବିପକ୍ଷରେ ମୁଖ୍ୟ ନାୟକ ହୋଇଥିଲେ ବଲିଉଡ୍‌ ଡ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋସନ। ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି।

ବାସ୍ତବରେ ଫିଲ୍ମର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ପତ୍ନୀ ରବୀର କପୁରଙ୍କ ସହ ଏକ ବିଜ୍ଞାପନରେ ପୂଜାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ। ଏଥିରେ ପ୍ରଭାବିତ ହୋଇ ସେ ‘ମହେଞ୍ଜୋଦାରୋ’ ଫିଲ୍ମ ପାଇଁ ପୂଜାଙ୍କ ନାଁ ସୁପାରିଶ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଏତେ ଭଲ ବ୍ୟବସାୟ କରିପାରିନଥିଲେ। ହେଲେ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ସମସ୍ତଙ୍କ ନଜରକୁ ଆସିଥିଲେ ପୂଜା ହେଗ୍‌ଡେ।

Comment