ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରିଗଲା ମାନବିକତା। ଶବକୁ କାନ୍ଧ ଦେବା ପାଇଁ କେହି ଆସିଲେନି। ଶେଷରେ ଭଉଣୀର ଶବକୁ ସାଇକେଲରେ ବୋହି ଠେଲି ଠେଲି ଶ୍ମଶାନକୁ ନେଲେ ଦୁଇ ଭାଇ। ଏଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ, ଯାହା ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଚହଳ ସୃଷ୍ଟି କରିଛି।

ଚନ୍ଦାହାଣ୍ଡି ବ୍ଲକର ମୋତିଗାଁ କୁମ୍ଭାର ସାହିର ସ୍ୱାମୀ ପରିତ୍ୟକ୍ତା ନୂଆଁଖାଇ ଦୀର୍ଘଦିନ ଧରି ନିଜ ଭାଇଙ୍କ ଘରେ ରହୁଥିଲେ। ବହୁ ଦିନ ଧରି ଅସୁସ୍ଥତା କାରଣରୁ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ଭାଇଙ୍କ ସହ ଜାତିଭାଇଙ୍କ ବିବାଦ ଲାଗି ରହିଥିବାରୁ ଶବ ସତ୍କାର ପାଇଁ କେହି ଆସିନଥିଲେ।

ଶବକୁ ଶ୍ମଶାନ ନେବା ପାଇଁ କେହି ନଆସିବାରୁ ଶେଷରେ ମୃତ ମହିଳାଙ୍କ ଦୁଇ ଭାଇ ସାଇକେଲ ଯୋଗେ ନେଇଥିଲେ। ରବିବାର ସକାଳୁ ଶବକୁ ସାଇକେଲରେ ବାନ୍ଧି ଦୁଇ ଭାଇ ଗାଁ ଦାଣ୍ଡରେ ଠେଲି ଠେଲି ଶ୍ମଶାନ ଯାଏଁ ନେଇଥିଲେ। ଏହି ଦୃଶ୍ୟକୁ ଗାଁ ଲୋକେ ମୋବାଇଲରେ କଏଦ କରୁଥିଲେ ସିନା ହେଲେ ସହାନୁଭୂତିର ହାତ ବଢ଼େଇନଥିଲେ। ଦୁଇ ନିକଟସ୍ଥ ଭଣ୍ଡାରନଦୀ କୂଳରେ ଭଉଣୀର ଶବ ସତ୍କାର କରିଥିଲେ।

Comment