ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିକ୍ଷାବିତ ଓ ବୈଜ୍ଞାନିକ ବରଦାକାନ୍ତ ମିଶ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାକୁ ସିବିଆଇ ବନ୍ଦ କରିଦେଇଛି। ଭୁବନେଶ୍ୱରସ୍ଥିତ ଭାରତୀୟ ଖଣିଜ ଓ ଧାତୁ ପ୍ରତିଷ୍ଠାନର ପୂର୍ବ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ୨୦୧୭ ଜୁନ ମାସରେ ସିବିଆଇ ପକ୍ଷରୁ ଏହି କେସ ରୁଜୁ କରାଯାଇଥିଲା। ୨୦୦୬ ଏପ୍ରିଲ ଓ ଅଗଷ୍ଟ ମାସ ମଧ୍ୟରେ ଏକ କୋଟି ଚଉଦ ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ହାସଲ କରିଥିଲେ ବୋଲି ସିବିଆଇ ତା ଅଭିଯୋଗ ପତ୍ରରେ  କହିଥିଲା। ପ୍ରଫେସର ମିଶ୍ର ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ୪ ଲକ୍ଷରୁ ହଠାତ୍‌ ଦୁଇ କୋଟି ବଢ଼ିଛି ବୋଲି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଅଭିଯୋଗ ଆଣିଥିଲା।

ଦୀର୍ଘ ଦୁଇ ବର୍ଷ ଧରି ତଦନ୍ତ ଚାଲିବା ପରେ ସିବିଆଇ ଏବେ ହାତ ଖାଲି କରିଛି। ସମ୍ପତ୍ତି ଠୁଳ ଅଭିଯୋଗର କୌଣସି ପ୍ରମାଣ ମିଳିନଥିବାରୁ ସିବିଆଇ ଏହି ମାମଲାକୁ ବନ୍ଦ କରିଛି। ଶ୍ରୀ ମିଶ୍ର କହିଛନ୍ତି ଯେ, ତାଙ୍କୁ ବଦନାମ କରିବା ପାଇଁ କେହି ଜଣେ ସିବିଆଇକୁ ଭୁଲ ତଥ୍ୟ ଦେଇଥିଲେ।

‘‘୧୯୮୪ରୁ ୧୯୯୩ ପର୍ଯ୍ୟନ୍ତ ଆମେରିକାରେ ଥିବା ବେଳେ ୧୯୯୩ରୁ ୨୦୦୫ ପର୍ଯ୍ୟନ୍ତ ମୁଁ ଆଇଆଇଟି କାନପୁରରେ ଫାକଲ୍ଟି ଥିଲି। ୨୦୦୫ରେ ଆଇଆଇଏମଟିର ସର୍ବ କନିଷ୍ଠ ନିର୍ଦ୍ଦେଶକ ଥିଲି। ଏଣୁ ଏତେ ସମୟ ଚାକିରି ଭିତରେ ମୁଁ ମାତ୍ର ୪ ଲକ୍ଷ ଟଙ୍କା ରୋଜଗାର କରିଛି ବୋଲି କହିବା ହାସ୍ୟାସ୍ପଦ’’ ସେ କହିଛନ୍ତି।

ସିବିଆଇ ତା’ର ଯାଞ୍ଚ ଠିକ୍ ଭାବେ କରିଛି ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ଭଳି ଜଣେ ସଚୋଟ ଓ ନିଷ୍ଠାପର ବ୍ୟକ୍ତିଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଥିବା କାରଣରୁ ତାଙ୍କ ପରିବାର ଅନେକ ମାନସିକ ଦୁଶ୍ଚିନ୍ତା ଭିତର ଦେଇ ଗତି କରିଥିଲା। ଫଳରେ ତାଙ୍କ ସମ୍ମାନରେ ମଧ୍ୟ ଆଞ୍ଚ ଆସିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

Comment