ଡକ୍ଟର ହରିହର କାନୁନ୍‌ଗୋ

ଉଚ୍ଚଶିକ୍ଷା ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୨)

ସବୁ ବିଷୟ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ। ପ୍ରୟୋଜନ ନଥିଲେ କେହି କୌଣସି ବିଷୟ ଶିଖିବାକୁ ଚାହେଁ ନାହିଁ। ତେଣୁ ପ୍ରଥମେ ବିଷୟ ଏବଂ ତା’ର ପ୍ରୟୋଜନ ବା ପ୍ରୟୋଗାତ୍ମକ ଦିଗ ନିର୍ଦ୍ଧାରଣ କରିବା ଆବଶ୍ୟକ। ଆଜିକାଲିର ପାଠ୍ୟଖସଡ଼ା (Syllabus) ମଧ୍ୟରେ ବହୁତ ଅନାବଶ୍ୟକ ବିଷୟ ରହିଛି, ଯାହା ଭବିଷ୍ୟତର ଛାତ୍ରଛାତ୍ରୀଙ୍କ ଜୀବନରେ କୌଣସି କାମରେ ଲାଗିବ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ସେଗୁଡ଼ିକ କେବଳ ମୁଖସ୍ଥକରି ପରୀକ୍ଷା ଦିଅନ୍ତି ଓ ପରେ  ଭୁଲିଯାଆନ୍ତି। ଏପରି ଶିକ୍ଷାଦାନ ପ୍ରଣାଳୀ ସମାଜର କୌଣସି ଉପକାରରେ ଆସୁନାହିଁ। ଏହି ଦୃଷ୍ଟିରୁ ପାଠ୍ୟଖସଡ଼ାର ପୁନଃମୂଲ୍ୟାୟନ ନିହାତି ଆବଶ୍ୟକ ଏବଂ ପ୍ରତି ତିନି ବର୍ଷରେ ଥରେ ଆବଶ୍ୟକତା ଅନୁସାରେ ପୁନଃନବୀକରଣ ମଧ୍ୟ କରାଯିବା ଆବଶ୍ୟକ। ଅତଏବ ଗୁଣାତ୍ମକ ଶିକ୍ଷା ହାସଲ କ୍ଷେତ୍ରରେ ଆଧୁନିକ ଶିକ୍ଷା ପଦ୍ଧତି ଓ ତା’ର ପାଠ୍ୟଖସଡ଼ାରେ ପରିବର୍ତ୍ତନ ଜରୁରୀ।

ବିଷୟ ଏବଂ ପ୍ରୟୋଜନର କାର୍ଯ୍ୟ-କାରଣ ସମ୍ବନ୍ଧ (Relation of the subject with fulfilling specific necessity) ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହେବା ଆବଶ୍ୟକ। କାରଣ ସବୁ ବିଷୟ ଅଧ୍ୟୟନ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। ଯାହାର ଯେଉଁ ଜନ୍ମଗତ ପ୍ରତିଭା ବା ପାରଦର୍ଶିତା (Proficiency) ଅଛି, ତାହା ସେଇ ବ୍ୟକ୍ତିର ସ୍ୱଭାବ। ସ୍ୱଭାବର ଅଭିବୃଦ୍ଧି କରିବା ଶିକ୍ଷକର ଧର୍ମ- ତାହା ହଁ ତାହାର ସ୍ୱଧର୍ମ। ଶ୍ରୀମଦ୍‌ ଭଗବତ୍ ଗୀତାରେ ଏହି ସ୍ୱଧର୍ମକୁ ବୃଦ୍ଧିକରିବା ପାଇଁ ହିଁ କୁହାଯାଇଛି। ଯେପରି: ‘ସ୍ୱଧର୍ମେ ନିଧନ ଶ୍ରେୟ, ପରଧର୍ମ ଭୟାବହ’। ତେଣୁ ଯେଉଁ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟରେ ସ୍ପୃହା ନାହିଁ, ସେମାନଙ୍କୁ ସେହି ବିଷୟରେ ଶିକ୍ଷିତ କଲେ ସେମାନେ ଜୀବନରେ ବିଶେଷ ଉନ୍ନତି କରିପାରିବେ ନାହିଁ କି ସମାଜର ମଧ୍ୟ ଉନ୍ନତି ହେବ ନାହିଁ। ତେଣୁ ନାମଲେଖା ସମୟରେ ପ୍ରତ୍ୟେକ ବିଷୟରେ ଯୋଗ୍ୟତା ବା ଦକ୍ଷତା ପରୀକ୍ଷା (Proficiency Test) କରାଯାଇ କେବଳ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଚୟନ ପୂର୍ବକ ଉଚ୍ଚଶିକ୍ଷା ଅଧ୍ୟୟନ ନିମନ୍ତେ ସୁଯୋଗ ଦିଆଯିବା ଉଚିତ। ସେହିମାନେ ହିଁ  ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଅଧ୍ୟୟନର ଅଧିକାରୀ।

ଛାତ୍ର-ଶିକ୍ଷକ ମଧ୍ୟରେ ସ୍ନେହ-ଶ୍ରଦ୍ଧା-ଭକ୍ତିର ସମ୍ପର୍କ ରହିଲେ ଶୈକ୍ଷିକ ବାତାବରଣ ସଦୃଢ଼ ଓ ପ୍ରଭାବଶାଳୀ ହେବ। ଶିକ୍ଷକର ଆଚରଣ ଓ ଉଚ୍ଚାରଣ ନୈତିକ ମୂଲ୍ୟବୋଧ ଆଧାରିତ ହେଲେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଏହାର ପ୍ରଭାବ ଛାତ୍ରସମାଜ ଉପରେ ପଡ଼ିବ। ତେଣୁ ଶିକ୍ଷକଟି ତା’ ପାଇଁ ଆଦର୍ଶ ସ୍ଥାନୀୟ ହେବା ଦରକାର। ଭୁଲ୍ର ସଂଶୋଧନରୁ ଜନ୍ମନିଏ ସଂସ୍କାର। ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନ କଲେ, ବିଦ୍ୟାର୍ଥୀକୁ ତାହା ବିଷତୁଲ୍ୟ ମନେହୁଏ। ବିଦ୍ୟା ଅଧ୍ୟୟନ ବେଳେ ଅସନ୍ତୋଷ ରହିଲେ ତାହା ବ୍ୟର୍ଥ ବା ପରାଜୟରେ ପରିଣତ ହୁଏ। ତେଣୁ ଜନ୍ମଦାତା, ଅନ୍ନଦାତା, ସେବାଦାତା ଓ ଗୁରୁ ବା ଆଚାର୍ଯ୍ୟ ହିଁ ସର୍ବଦା ଏ ସମାଜରେ ଶ୍ରେଷ୍ଠ।

ପ୍ରତ୍ୟେକ ଶିକ୍ଷାୟତନ ପରିବେଶରେ ସ୍ୱଚ୍ଛତା, ଶ୍ରେଣୀଗୃହ ଓ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଗୋଟିଏ ଶିକ୍ଷଣୀୟ ପରିବେଶ ସର୍ବଦା ସୃଷ୍ଟିକରେ। ସେଥିପ୍ରତି ଛାତ୍ର-ଶିକ୍ଷକ-କର୍ମଚାରୀ ଓ ଅଭିଭାବକ ସଚେତନ ରହିବା ଦରକାର। ସେଥିପାଇଁ ଏକ ଅଭିଯୋଗ ବାକ୍ସ ବା ରେଜିଷ୍ଟର ରହିବା ଉଚିତ୍। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବା ଭିତ୍ତିଭୂମିର ମୂଳ ହେଉଛି ସ୍ୱଚ୍ଛତା ବା ପରିଚ୍ଛନ୍ନତା। ଏପରିକି ଶିକ୍ଷାୟତନ ଭିତରେ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ଭିତରେ କୌଣସି ଦଳ ବା ଗୋଷ୍ଠୀ ରହିବା କିମ୍ବା ସୃଷ୍ଟିହେବା ଉଚିତ ନୁହେଁ।

 

ଯୋଗ୍ୟତା ଆଧାରରେ ଶିକ୍ଷକଙ୍କ ଚୟନ ହେଉ

ଶିକ୍ଷକମାନଙ୍କୁ ମେଧା ବା ଯୋଗ୍ୟତା ଆଧାରରେ ଚୟନ କରାଯିବା ଆବଶ୍ୟକ; ମାତ୍ର ସଂରକ୍ଷଣ କ୍ଷେତ୍ରରେ ଶିକ୍ଷକମାନଙ୍କୁ ଚୟନ କଲାବେଳେ ସର୍ବନିମ୍ନ ନମ୍ବର (Cutoff Mark) ୫୦% ତଳକୁ ଖସା ନଯାଉ। ଏତେ ରିହାତି ସତ୍ତ୍ୱେ ଯଦି ଶିକ୍ଷକ ପଦବୀ ଖାଲି ରହେ, ତାହାକୁ ଅଣସଂରକ୍ଷିତ ବର୍ଗରେ ସାମିଲ କରାଯାଉ। ଏହି ବ୍ୟବସ୍ଥାକୁ ନିୟମିତ କଡ଼ାକଡ଼ି ଭାବରେ ପାଳନ କରାଯିବା ଉଚିତ୍। ଏହି ସଂରକ୍ଷଣ ବର୍ଗର ଶିକ୍ଷକମାନଙ୍କୁ ଚାକିରିରେ ପ୍ରବେଶ ପୂର୍ବରୁ ନିଜ ବିଷୟ (Subject)ରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉ। ତା’ପରେ ପ୍ରାଥମିକ ବିଷୟ ପ୍ରବେଶ ପ୍ରଶିକ୍ଷଣ (Pre-service induction training) ଚାରି ସପ୍ତାହ ପର୍ଯ୍ୟନ୍ତ ଦିଆଯାଉ। ତାଲିମ ପାଇବା ପରେ ଛାତ୍ର-ଶିକ୍ଷକ (Student – Teacher) ଅତିଥି ବକ୍ତା (Guest Speaker)ଙ୍କର ତାଲିମ ପ୍ରଦାନରେ ଗୁଣବତ୍ତା ସମ୍ବନ୍ଧୀୟ ଅଭିମତ (Feedback) ମୂଲ୍ୟାୟନ କରିପାରିବେ। ଏଥିସହିତ ପରସ୍ପର ପରସ୍ପରର ଗୁଣବତ୍ତା ସମ୍ବନ୍ଧୀୟ ଅଭିମତ (Cross feedback) ମଧ୍ୟ ରହିବ। ଏହି ଛାତ୍ର ଶିକ୍ଷକମାନେ ତାଲିମ ପାଇବା ପରେ ସେମାନେ Objective ବିଷୟରେ ୫୦ ନମ୍ବର ଓ Subjective ବିଷୟରେ ୫୦ ନମ୍ବରର ଏକ ଲିଖିତ ପରୀକ୍ଷା ଦେବେ। ଶ୍ରେଷ୍ଠ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବା ଆବଶ୍ୟକ।

ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ସେମାନେ ପୁଣି ପରବର୍ତ୍ତୀ ବ୍ୟାଚ୍ରେ Odisha Teachers Eligibility Test (OTET) ପରି ଆଉଥରେ ପରୀକ୍ଷା ଦେବେ। ସେଥିରେ ଅକୃତକାର୍ଯ୍ୟ ହେଲେ ଶେଷରେ ପୁଣିଥରେ ତାଙ୍କୁ ସୁଯୋଗ ଦିଆଯିବା ଉଚିତ୍। ଯେ ପର୍ଯ୍ୟନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ବାର୍ଷିକ Increment ପାଇବାରୁ ବଞ୍ଚିତ ହେବେ। ଏ କଥା ଚାକିରୀ ପାଇଁ ଆବେଦନ କରିବା ସମୟରେ ବିଜ୍ଞାପନରେ ସ୍ପଷ୍ଟ ଉଲ୍ଲେଖ ରହିବ।

ଶ୍ରେଣୀ ଗୃହରେ ଶିକ୍ଷାଦାନ କିମ୍ବା ତାଲିମରେ ଅକୃତକାର୍ଯ୍ୟ ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ତାଙ୍କୁ ଅଣଶିକ୍ଷା ପଦବୀରେ ଆଇନ୍ ଅନୁସାରେ ଥଇଥାନ କରାଯାଇ ପାରିବ। ଯେଉଁ ଅତିଥିବକ୍ତା ପ୍ରଶିକ୍ଷକଙ୍କ ତାଲିମ ସମ୍ବନ୍ଧୀୟ ଛାତ୍ରଶିକ୍ଷକଙ୍କ ଅଭିମତ (Remarks) ଅନୁସାରେ ସେହି ବକ୍ତାଙ୍କୁ ପୁନଃ ତାଲିମ ପାଇଁ ଡକାଯିବ କି ନାହିଁ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଉପଯୁକ୍ତ ତାଲିମ (Proper training), ଗୁଣବତ୍ତା ସମ୍ବନ୍ଧୀୟ ଅଭିମତ (Feedback) ଓ ମୂଲ୍ୟାୟନ (Evaluation) କଡ଼ାକଡ଼ି ଭାବରେ କରା ନଗଲେ କେବଳ ବିଧି ରକ୍ଷାକରି ତାଲିମ କାର୍ଯ୍ୟକ୍ରମର ଆୟୋଜନ କଲେ ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷକ ଚୟନ ହୋଇପାରିବ ନାହିଁ।

ଏଥିପାଇଁ ‘ଉଚ୍ଚଶିକ୍ଷା ତାଲିମ ଏକାଡେମୀ ବା ପ୍ରତିଷ୍ଠାନ’ ଗଠନ କରାଯାଇ ଶିକ୍ଷାଦାନ ପଦ୍ଧତିରେ ପାଠ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବା ଆବଶ୍ୟକ। କେବଳ ଦକ୍ଷ-ଯୋଗ୍ୟ-ଅଭିଜ୍ଞ ଜ୍ଞାନୀ ବ୍ୟକ୍ତି ବା ଅବସରପ୍ରାପ୍ତ ଓ କାର୍ଯ୍ୟରତ ଅଧ୍ୟକ୍ଷ/ଅଧ୍ୟାପକ/ପ୍ରାଧ୍ୟାପକ/ପ୍ରଫେସରମାନଙ୍କୁ ନେଇ ଏହି ତାଲିମ ବା ଶିକ୍ଷାଦାନ ପଦ୍ଧତିର ପାଠ୍ୟଖସଡ଼ା ପ୍ରସ୍ତୁତି ସହିତ ତାଙ୍କୁ ତାଲିମ ପ୍ରଦାନରେ ନିୟୋଜିତ କରାଯାଇ ପାରିବ। ଏହି ଏକାଡେମୀ ମଧ୍ୟ ଆବଶ୍ୟକ ପଡ଼ିଲେ ଅଧ୍ୟାପକମାନଙ୍କୁ Refresher Course ଏବଂ Orientation Programme ଆଦି ତାଲିମ ଦେଇପାରିବେ।

ପ୍ରତ୍ୟେକ ଶିକ୍ଷକଙ୍କୁ ଚାକିରୀର ପ୍ରଥମ ୧୫ ବର୍ଷ ଭିତରେ ଅନୁୟନ ଚାରିଥର ପ୍ରଶିକ୍ଷଣ ନେବା ଆବଶ୍ୟକ। ଏହା ବ୍ୟତୀତ ଶିକ୍ଷାଦାନ କ୍ଷେତ୍ରରେ ଭାବର ଆଦାନପ୍ରଦାନ ଶୈଳୀ(Communication skill) ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ଅଧ୍ୟାପକମାନଙ୍କୁ ପ୍ରଦାନ କରାଯିବା ଆବଶ୍ୟକ। ଶ୍ରେଣୀ ଗୃହରେ ସୂଚନା ପ୍ରଯୁକ୍ତି ବିଦ୍ୟା(Information Technology)ର ସହଯୋଗରେ ଉପସ୍ଥାପନ ଶୈଳୀରେ ପ୍ରଶିକ୍ଷଣ, ନାମଲେଖା, ପରୀକ୍ଷା ପରିଚାଳନା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପ୍ରଯୁକ୍ତି ବିଦ୍ୟା ମଧ୍ୟମରେ ସୂଚନା ଦିଆଯିବା ଆବଶ୍ୟକ।

ଏପରିକି ଶିକ୍ଷାଦାନକୁ ଜୀବନର ବୃତ୍ତି କରିଥିବା ଆଗ୍ରହୀ ସଦ୍ୟ(Fresher) ମେଧାବୀ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସରୁ ଅସ୍ଥାୟୀ ଚୟନ ଓ ତାଲିମ ପ୍ରଦାନ ପରେ ଛଅ ମାସରୁ ବର୍ଷକ ମଧ୍ୟରେ ଲୋକସେବା ଆୟୋଗ ମାଧ୍ୟରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସ୍ଥାୟୀ ନିଯୁକ୍ତି ପରେ ଚାକିରିର ପାଞ୍ଚ ବର୍ଷ ଭିତରେ ଦୁଇ ବର୍ଷ ପାଇଁ ପିଏଚ୍.ଡି. ଗବେଷଣା ନିମନ୍ତେ Study leave ବା Teacher fellowship ପ୍ରଦାନର ବ୍ୟବସ୍ଥା କରାଯାଉ।

କଲେଜରୁ ପାଶ୍ କରିଥିବା ଓ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ଥିବା ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇ ତାଙ୍କ ଛାତ୍ର ଜୀବନର ସଫଳତାର ଅନୁଭୂତି କଲେଜରେ ପଢୁଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟିପାରିଲେ ଏହାର ପ୍ରେରଣାରେ ସେମାନେ ଆଗକୁ ବଢ଼ି ନିଜକୁ ଗଢ଼ି ପାରିବେ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ଶିକ୍ଷାବିତ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ପୂର୍ବତନ ନିର୍ଦ୍ଦେଶକ ଓଡ଼ିଶା ଭାଷା ପ୍ରତିଷ୍ଠାନ)

Comment