ଜଗନ୍ନାଥ ପ୍ରସାଦ ଦାସ

ପ୍ରସିଦ୍ଧି ଓ ମହତ୍ଵ ଅଲଗା ଜିନିଷ। ପ୍ରସିଦ୍ଧି ହେଉଛି ଖ୍ୟାତି (ବା ଅପଖ୍ୟାତି), ବ୍ୟାପକ ପରିଚିତ, ବେଶି ଜଣାଣୁଣା ହୋଇଥିବା। ମହତ୍ଵ ହେଉଛି ଉତ୍କର୍ଷ, ଶ୍ରେଷ୍ଠତ୍ୱ। କିଏ କେତେ ପ୍ରସିଦ୍ଧ ତା ସର୍ଭେ କରି ଜାଣି ହେବ; ମହାନତାକୁ ଆକଳନ କରିବାର ଏ ଭଳି କୌଣସି ସହଜ ସୂତ୍ର ନାହିଁ। ହିଟଲର ନିଶ୍ଚୟ ପ୍ରସିଦ୍ଧ ଲୋକ ଥିଲେ; ଗାନ୍ଧୀ ଥିଲେ ମହାନ।

ଲୋକମାନଙ୍କର ରୁଚି ବଦଳୁଥିବାରୁ ବିଭିନ୍ନ ସମୟରେ କରାଯାଇଥିବା ସର୍ବେକ୍ଷଣରେ ପ୍ରସିଦ୍ଧ ଲୋକମାନଙ୍କର ତାଲିକା ଓ ସେଥିରେ ନିର୍ଦ୍ଧାରିତ ସ୍ଥାନ ବଦଳିବାରେ ଲାଗିଥାଏ। ୧୮୯୮ରେ ଆମେରିକାର ଏକ ସର୍ଭେରେ ଲୋକପ୍ରିୟତାର ଶୀର୍ଷରେ ଥିଲେ ଜର୍ଜ ଓ୍ୱାଶିଂଟନ ଓ ହେଲେନ କେଲେରଙ୍କର ଶିକ୍ଷୟିତ୍ରୀ ଆନ୍ ସଲିଭାନ୍। ୧୯୫୦ରେ ସେ ସ୍ଥାନକୁ ଆସିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରଖ୍ୟାତ ଜେନେରାଲ ଡଗ୍‌ଲାସ୍ ମାକ୍ଆର୍ଥର୍ ଓ ଫ୍ଲରେନ୍ସ ନାଇଟିଙ୍ଗେଲ। ୧୯୯୮ରେ ଆସିଲେ ଖେଳାଳି ମାଇକେଲ୍ ଜର୍ଡାନ ଓ ଅଭିନେତ୍ରୀ ଜେନିଫର ଲଭ୍ ହିଓ୍ୱିଟ୍। ଆମ ଦେଶରେ ୨୦୦୦ରେ ହୋଇଥିବା ଏକ ସର୍ଭେରେ ଅଟଳ ବିହାରୀ ବାଜପେୟୀ ଓ ଲତା ମଙ୍ଗେଶକର ସବା ଉପରେ ଥିବାବେଳେ ଅବଦୁଲ କଲାମ ଥିଲେ ଅଷ୍ଟମ ଓ ଅମର୍ତ୍ତ୍ୟ ସେନ ଦଶମ।

ଏଭଳି ପ୍ରସିଦ୍ଧ ଲୋକଙ୍କ ତାଲିକାରେ ସାଧାରଣତଃ ଲେଖକମାନେ ସ୍ଥାନ ପାଆନ୍ତି ନାହିଁ। ଥରେ ଓଡ଼ିଶାର ଏକ ଟିଭି ଚ୍ୟାନେଲର ‘ପ୍ରିୟ ଓଡ଼ିଆ’ କାର୍ଯ୍ୟକ୍ରମରେ ଦଶଜଣଙ୍କ ଭିତରେ ବିଭୂତି ପଟ୍ଟନାୟକ ଓ ମନୋଜ ଦାସଙ୍କର ନାଁ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁହିଁଙ୍କର ନାଁ ସର୍ଭେରୁ କଟିଗଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା।

ଲେଖକମାନଙ୍କର ପ୍ରସିଦ୍ଧି ବିଷୟରେ କହିବା ବେଳେ ସେହିପରି ଭାବେ ତାଙ୍କର ଲେଖାର ଗୁଣବତ୍ତା ବିଷୟରେ ନୁହେଁ ତାଙ୍କର ଖ୍ୟାତି ହିଁ ଆଲୋଚନାକୁ ଆସିବ। ତା’ର ଅର୍ଥ ହେଲା ମପାଯିବ ସେ କେତେ ବହି ଲେଖିଛନ୍ତି, କି କି ସମ୍ମାନ ପାଇଛନ୍ତି ଓ ତାଙ୍କୁ କେତେକାଳ ଯାଏଁ ଲୋକେ ମନେ ରଖିବେ ବୋଲି ଆଶା କରାଯାଏ।

ଲେଖକଙ୍କର ପ୍ରସିଦ୍ଧି ମୂଳରେ ହେଉଛି ତାଙ୍କ ବହିର ପ୍ରସାର। ନେତା, ଅଭିନେତା, ଖେଳାଳି, ନର୍ତ୍ତକୀ ଓ ସଂଗୀତଜ୍ଞଙ୍କ ପ୍ରସାର ପାଇଁ ବିଭିନ୍ନ ପ୍ରକାରର ମାଧ୍ୟମ ଅଛି, ଯଥା, ଖବରକାଗଜ, ରଙ୍ଗମଞ୍ଚ, ଫିଲ୍ମ, ରେଡିଓ, ଟିଭି, ସୋସିଆଲ ମିଡିଆ ଇତ୍ୟାଦି। ଲେଖକଙ୍କର ପ୍ରସିଦ୍ଧି କିନ୍ତୁ ଛପା (ବା ବର୍ତ୍ତମାନ ଡିଜିଟାଲ) ବହି ଉପରେ ନିର୍ଭରଶୀଳ। ଅବଶ୍ୟ ଦିନ ଥିଲା ଯେତେବେଳେ ଛପା ହେବା ତ ଦୂରର କଥା, ପାଠ କେବଳ ଶ୍ରୁତିରେ ଥିଲା, ଲେଖାରେ ନୁହେଁ। ସେ ସମୟରେ ସାହିତ୍ୟ ସମେତ ସବୁ ଜ୍ଞାନ ଶ୍ରୁତିନିର୍ଭର ଥିଲା। ଶୁଣି ଶୁଣି ହିଁ ପିଢ଼ି ପରେ ପିଢ଼ିର ଲୋକ ଜ୍ଞାନ ପାଉଥିଲେ। ଏପରିକି ଆମର ସବୁଠାରୁ ପୁରୁଣା ପାଠ ବେଦର ପ୍ରସାର ମାଧ୍ୟମ ମୁଖନିଃସୃତ ଥିଲା ଏବଂ ସେଥିପାଇଁ ଏହାର ଅନ୍ୟନାମ ଥିଲା ଶ୍ରୁତି। ଇଉରୋପରେ ମଧ୍ୟ ହୋମର୍‌ଙ୍କ ସମୟରେ ଶ୍ରୁତିର ହିଁ ପ୍ରାଧାନ୍ୟ ଥିଲା। ଏପରିକି ଯେତେବେଳେ ପାଠକୁ ଲିପିବଦ୍ଧ କରାଗଲା ପ୍ଲେଟୋ ତା’ର ବିରୋଧ କରିଥିଲେ। ଏହି କାରଣରୁ ପାଠର ପ୍ରସାର ଅତି ସୀମିତ ଥିଲା।

ଯେତେବେଳେ ଲେଖା ଆରମ୍ଭ ହେଲା, ବହି ସଂଖ୍ୟା ଅତି କମ୍‌ ଥିଲା, କାରଣ ହାତଲେଖାରେ ବହିକୁ ବହିରୁ ଉତାରିବାକୁ ହେଉଥିଲା। ଲେଖନକାର ବା ଲିପିକାରମାନେ ଭୂର୍ଜପତ୍ର, କାଗଜ ଓ ତାଳପତ୍ର ଉପରେ ପାଠକୁ ନକଲ କରୁଥିଲେ। ଏଥିପାଇଁ ଆମ ଦେଶରେ, ଏବଂ ବିଶେଷରେ ଓଡ଼ିଶାରେ, ତାଳପତ୍ର ହିଁ ବ୍ୟବହୃତ ହେଉଥିଲା। ଇଉରୋପରେ ଧର୍ମଗ୍ରନ୍ଥ ନକଲ କରିବା ପାଇଁ ଖ୍ରୀଷ୍ଟିଆନ ମଠର ସନ୍ନ୍ୟାସୀ ନିଯୁକ୍ତ ହେଉଥିଲେ। ଲେଖିଲେଖି ଥକି ଯାଇଥିବା ସନ୍ନ୍ୟାସୀ ସେ ସମୟରେ ଏ ଭଳି ଲେଖିଥିଲେ: ପାଣିଚିଆ ସ୍ୟାହି, ଖରାପ କାଗଜ, କଠିନ ପାଠ। ଥ୍ୟାଙ୍କ୍ ଗଡ୍, ଏବେ ଅନ୍ଧାର ହେବାକୁ ଯାଉଛି; ମୁଁ ଲେଖା ପୂରା କରଦେଲି। ଖ୍ରୀଷ୍ଟଙ୍କ ଦ୍ୱାହି, ଏବେ ମତେ ଗୋଟିଏ ଡ୍ରିଙ୍କ୍ ଦିଅ। ସମାନ ପରିସ୍ଥିତିରେ ଓଡ଼ିଶାରେ ତାଳପତ୍ର ଉପରେ ଲୁହା ଲେଖନୀରେ ପାଠ ଉତାରୁଥିବା ଆମର କରଣ ଲିପିକାର ଲେଖିଛନ୍ତି : ଭଗ୍ନ ପୃଷ୍ଠ କଟୀ ଗ୍ରୀବା ତୁଲ୍ୟ ଦୃଷ୍ଟି ଅଧୋମୁଖମ, ଦୁଃଖେନ ଲିଖିତ ଗ୍ରନ୍ଥ ପୁତ୍ରବତ୍ ପରିପାଳୟେତ।

ଶ୍ରୁତି ଓ ହାତ ଲେଖା ପରେ ପଞ୍ଚଦଶ ଶତାବ୍ଦୀରେ ଆସିଲା ଗୁଟେନବର୍ଗଙ୍କ ଟାଇପ ଓ ଛପାର ଯୁଗ। ହାତ ଲେଖା ପୋଥିର ସଂଖ୍ୟା ସବୁବେଳେ କମ ଥିଲା ଏବଂ ଏହାକୁ କେବଳ ଧନୀ ଲୋକମାନେ ହିଁ କିଣି ପାରୁଥିଲେ। ଗୁଟେନବର୍ଗଙ୍କ ପୂର୍ବରୁ ଇଉରୋପରେ ମାତ୍ର ୩୦,୦୦୦ ବହି ଥିଲା। ପଚାଶ ବର୍ଷ ଭିତରେ ଛପା ବହିର ସଂଖ୍ୟା ହୋଇଗଲା ପ୍ରାୟ ନବେ ଲକ୍ଷ। ଏହି ଜ୍ଞାନର ବିସ୍ଫୋରଣ ହିଁ ଇଉରୋପକୁ ଆଣି ଦେଲା ରେନେସାଁ।

ଆମ ଓଡ଼ିଶାରେ କିନ୍ତୁ ଜଗନ୍ନାଥ ଦାସଙ୍କ ଭାଗବତର ଲୋକପ୍ରିୟତା ଦୃଷ୍ଟିରୁ ଏହା ତାଳପତ୍ର ପୋଥିରେ ବହୁଳ ଭାବରେ ନକଲ କରା ହେଉଥିଲା ଏବଂ ବହୁ ସଂଖ୍ୟାରେ ଉପଲବ୍ଧ ଥିଲା। ଏହି ପୋଥି ମାଧ୍ୟମରେ ହିଁ ଆମ ଗାଁ’ର ଝିଅମାନେ ପଢ଼ିବା ଶିଖୁଥିଲେ ଏବଂ ଗାଁ ଗହଳରେ ସାକ୍ଷରତା ବ୍ୟାପିଥିଲା। ଓଡ଼ିଆରେ ଛପା ବହିର ପ୍ରଚଳନ ହେଲା ଅନେକ ଡେରିରେ; ବିଂଶ ଶତାବ୍ଦୀ ପ୍ରଥମ ଦୁଇ ଦଶକ ପର୍ଯ୍ୟନ୍ତ ତାଳପତ୍ର ପୋଥିରେ ହିଁ ଆମର ଜ୍ଞାନ, ପଠନ ଓ ଶିକ୍ଷା ସୀମାବଦ୍ଧ ଥିଲା।

ବର୍ତ୍ତମାନ ପ୍ରସାରର ଆଉ ଗୋଟିଏ ଯୁଗ ଆସିଛି ଡିଜିଟାଲ ବ୍ୟବସ୍ଥା। ଏହା ଲିଖିତ ପାଠକୁ ଆହୁରି ସହଜରେ ଓ ଆହୁରି ଶସ୍ତାରେ ଅଗଣିତ ପାଠକଙ୍କ ପାଖରେ ପହଞ୍ଚାଇ ଦେଇପାରିବ। ଓଡ଼ିଆ ସାହିତ୍ୟ କେତେ ଶୀଘ୍ର ଏଥିରେ ସାମିଲ ହେବ, ଦେଖିବାର କଥା।

ଛପା ବହି ମିଳିବା ପରେ ଲେଖକର ପ୍ରସିଦ୍ଧି ମାପିବାର ଗୋଟିଏ ମାନକ ହେଲା ଲେଖକ କେତେ ବହି ଲେଖିଛନ୍ତି ଓ ତାହା କେତେ ସଂଖ୍ୟାରେ ବିକ୍ରି ହୋଇଛି। ଆମ ଦେଶରେ ବେଶି ବହି ଲେଖିଥିବା ବିଷୟରେ ପଡ଼ୋଶୀ ବଙ୍ଗଳାର ଲେଖକମାନେ ବିଶେଷ ଜଣାଶୁଣା। ଆଶାପୂର୍ଣ୍ଣା ଦେବୀ ଷାଠିଏ ଦଶକର ଦଶ ବର୍ଷରେ ୬୨ଟି ଉପନ୍ୟାସ ଲେଖିଥିଲେ; ସୁନୀଲ ଗଙ୍ଗୋପାଧ୍ୟାୟ ୧୯୬୬ରେ ତାଙ୍କର ପ୍ରଥମ ଉପନ୍ୟାସ ଲେଖିବାର ଦଶବର୍ଷ ଭିତରେ ୪୧ଟି ଉପନ୍ୟାସ ଲେଖିଥିଲେ। ଓଡ଼ିଆ ସାହିତ୍ୟରେ ଏ ଭଳି ପ୍ରଜନନଦକ୍ଷତା ବିଷୟରେ କୌଣସି ତଥ୍ୟ ସହଜରେ ଉପଲବ୍ଧ ନୁହେଁ। ବୋଧହୁଏ ଓଡ଼ିଆରେ ସବୁଠାରୁ ବେଶି ବହି ଲେଖିଥିବାର ଶ୍ରେୟ ଯିବ ବିଭୂତି ପଟ୍ଟନାୟକଙ୍କୁ। ସେ ଥରେ କହୁଥିଲେ ଯେ ସେ ନିଜେ ହିସାବ ରଖିପାରିନାହାନ୍ତି ସେ କେତୋଟି ବହିର ଲେଖକ।

ଇଂରେଜୀ ସାହିତ୍ୟରେ ଶହ ଶହ ବହି ଲେଖିଥିବା ଲେଖକଙ୍କ ସଂଖ୍ୟା  ଅନେକ। ଇଲିଅଟ କହିଥିଲେ ଯେ ଜଣେ ଲେଖକ ଦୁଇ ପ୍ରକାର ଭାବେ ପ୍ରସିଦ୍ଧ ହୋଇପାରେ, ଅନେକ ବେଶି ଲେଖି କିମ୍ବା ଖୁବ କମ ଲେଖି। ସେ ନିଜେ ଦ୍ୱିତୀୟ ଶ୍ରେଣୀର ଉଦାହରଣ। ତାଙ୍କର ମୋଟ କବିତା ସଂଖ୍ୟା ୫୪। ଏହାର ଅନ୍ୟ ଦିଗରେ ଅଛନ୍ତି ଓ୍ୱାର୍ଡସଓ୍ୱାର୍ଥ ଯେ କି ଏକ ହଜାରରୁ ଅଧିକ କବିତା ଲେଖିଥିଲେ। ଆମର ଗୁରୁପ୍ରସାଦ ମହାନ୍ତି ପ୍ରସିଦ୍ଧି ପାଇଛନ୍ତି ଅଳ୍ପ ସଂଖ୍ୟକ କବିତା ଲେଖି।

ହିନ୍ଦୀ ସାହିତ୍ୟରେ ଚନ୍ଦ୍ରଧର ଶର୍ମା ଗୁଲେରୀ ପ୍ରସିଦ୍ଧ ତାଙ୍କର ଗୋଟିଏ ଗଳ୍ପ ‘ଉସନେ କହା ଥା’ ପାଇଁ। ବୁକର ବିଜୟିନୀ ଅରୁନ୍ଧତୀ ରାୟଙ୍କର ସାହିତ୍ୟିକ କୃତୀ ମାତ୍ର ଗୋଟିଏ ଉପନ୍ୟାସ।

ସେହିଭଳି ଜଣେ ଲେଖକ ବେଶି ଲେଖୁଥିଲେ ମଧ୍ୟ ପ୍ରସିଦ୍ଧ ହୋଇଥାଏ ଅଳ୍ପ କିଛି ଲେଖା ପାଇଁ। ପ୍ରେମଚନ୍ଦ ପ୍ରାୟ ୭୦୦ ଗଳ୍ପ ଲେଖିଥିଲେ ହେଁ ଦଶ ପନ୍ଦରଟି ଶ୍ରେଷ୍ଠ ଗଳ୍ପ ପାଇଁ ମନେ ରହିବେ।

ଫକୀରମୋହନ ଜଣାଶୁଣା ଆଠ ଦଶଟି ଗଳ୍ପ ପାଇଁ। ସଚ୍ଚି ରାଉତରାୟଙ୍କ ଗଳ୍ପ ସଂଖ୍ୟା କମ ହୋଇଥିଲେ ମଧ୍ୟ ସେଥିରୁ କେତୋଟି ନିଶ୍ଚୟ ସ୍ମରଣୀୟ।

ବିକ୍ରି ସଂଖ୍ୟା ହିସାବ କଲା ବେଳେ ଓଡ଼ିଆ ବହି କଥା ନ କହିବା ଭଲ। ଇଂରେଜୀ ପଢୁଥିବା ପାଠକ ବିଶ୍ୱବ୍ୟାପୀ ହୋଇଥିବାରୁ ସେ ଭାଷାର ବେଷ୍ଟସେଲର୍ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହୁଏ। ଆମ ଦେଶର ବିଭିନ୍ନ ଭାଷାଭାଷୀଙ୍କ ସଂଖ୍ୟାକୁ ନେଇ ସେ ଭାଷାର ବହି କେତେ ବିକ୍ରି ହୁଏ ତା’ର କୌଣସି ତୁଳନାତ୍ମକ ପରିସଂଖ୍ୟାନ କରାଯାଇ ନାହିଁ। ତେବେ ଏ କଥା ଜଣାଶୁଣା ଯେ ଓଡ଼ିଆ ବହି କିଣିବା ଲୋକ ସବୁ ସମୟରେ ଅଳ୍ପ ସଂଖ୍ୟକ। ଗୋଟିଏ ବହି କିଛି ଶହ ବିକ୍ରି ହେଲେ ବୋଧହୁଏ ତା’କୁ ଆମର ବେଷ୍ଟ୍ ସେଲର୍ ତାଲିକାରେ ରଖାଯାଇପାରିବ।

ଏଠାରେ ଗୋଟିଏ ସତର୍କବାଣୀ ଦେବା ଉଚିତ ହେବ। ଅଧିକ ସଂଖ୍ୟକ ବହି ବିକ୍ରି ହେବା ଲେଖକକୁ ଜନପ୍ରିୟ କରି ଦେଇପାରେ ଓ ତା’ ପାଇଁ ଆର୍ଥିକ ସଫଳତା ଆଣି ଦେଇପାରେ, କିନ୍ତୁ ଏହା ଅନେକ ସମୟରେ ତା’ର ସାହିତ୍ୟିକ ପ୍ରତିଷ୍ଠା ପାଇଁ ବାଧକ ହୁଏ। ଏପରି ଏକ ଧାରଣା ଅଛି ଯେ ବହୁ ସଂଖ୍ୟାରେ ବିକ୍ରି ହେଉଥିବା ବହି ଭଲ ସାହିତ୍ୟ ହୋଇ ନପାରେ ଏବଂ ତା’ର ଲେଖକ ଉଚ୍ଚମାନର ସାହିତ୍ୟକାର ନୁହନ୍ତି। କୁହାଯାଇଥାଏ ଯେ ବଙ୍ଗଳାର ବହୁପଠିତ ଲେଖକ ବିମଳ ମିତ୍ରଙ୍କୁ ସମାଲୋଚକମାନେ ଅଣଦେଖା କରିଦେଲେ ଏହି କାରଣରୁ। ଲୋକପ୍ରିୟ ଲେଖକ କେବେ କେବେ ସାହିତ୍ୟିକ ପ୍ରତିଷ୍ଠା ମଧ୍ୟ ପାଇଥାନ୍ତି। ଏ ବିଷୟରେ ହଠାତ ମନକୁ ଆସନ୍ତି ଚାର୍ଲସ୍ ଡିକେନ୍ସ ଯେ କି ବହୁ ପଠିତ ଓ ସମ୍ମାନିତ ସାହିତ୍ୟକାର ଥିଲେ। ଅନ୍ୟ ପକ୍ଷରେ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଉପନ୍ୟାସ ବୋଲି କୁହାଯାଉଥିବା ଜେମ୍‌ସ୍‌ ଜୟେସ୍‌ଙ୍କର ୟୁଲିସସର ପ୍ରକୃତ ପାଠକ ସଂଖ୍ୟା ଖୁବ୍ ବେଶି ନୁହେଁ, ଯଦିଓ ବହିଟିକୁ ଅନେକ ଲୋକ କିଣିଥିବେ ଲୋକଦେଖାଣିଆ କାରଣରୁ।

ଲେଖକକୁ ପ୍ରସିଦ୍ଧ କରିବାର ଅନ୍ୟ ଏକ ମାଧ୍ୟମ ହେଲା ପୁରସ୍କାର। ଅଧିକାଂଶ ସାହିତ୍ୟିକ ପୁରସ୍କାର ନିର୍ଦ୍ଦିଷ୍ଟ ବହି ପାଇଁ ଦିଆଯାଇଥାଏ।(ନୋବେଲ ପୁରସ୍କାର ଏହାର ବ୍ୟତିକ୍ରମ)। ଆନ୍ତର୍ଜାତିକ ପୁରସ୍କାର ପାଇବା ପରେ ପୁରସ୍କୃତ ବହି ଓ ସେ ବହିର ଲେଖକର ଅନ୍ୟ ବହିର ଚାହିଦା ବଢ଼ିଯାଏ, ଏବଂ ଅଜଣା ଲେଖକ ହଠାତ୍ ପ୍ରସିଦ୍ଧ ହୋଇଯାଏ। ବହି ନ ପଢ଼ିଲେ ମଧ୍ୟ ଲୋକେ ସେହି ଲେଖକର ନାଁ ସହିତ ପରିଚିତ ହୋଇଯାନ୍ତି। ତେବେ ପୁରସ୍କାର ସବୁବେଳେ ସାହିତ୍ୟିକ ଉତ୍କର୍ଷର ପ୍ରମାଣ ନୁହେଁ। ଟଲଷ୍ଟୟ, ଜେମ୍‌ସ୍‌ ଜୟେସ୍‌ଙ୍କ ଭଳି ଲେଖକ ନୋବେଲ ପାଇ ନଥିଲେ, ଏବଂ ଏପରି କିଛି ଲେଖକ ଏ ପୁରସ୍କାର ପାଇଛନ୍ତି ଯାହାଙ୍କୁ କେହି ମନେ ରଖି ନାହାନ୍ତି।

ଓଡ଼ିଆରେ ପୁରସ୍କାରର କୌଣସି ପ୍ରଭାବ ପଡ଼େ ନାହିଁ ବହିର ବିକ୍ରି ଉପରେ। ମୁଁ ଭାବୁଛି ଏହା ଆମର ଲେଖକଙ୍କ ପ୍ରସିଦ୍ଧି ପାଇଁ ମଧ୍ୟ କିଛି କରେ ନାହିଁ। ପୁରସ୍କାର ପାଇଁ ଏକ ପ୍ରକାର ଜ୍ୟେଷ୍ଠତ୍ୱ ନିୟମ ପାଳନ କରାଯାଇଥାଏ ଏବଂ ଏହା ପ୍ରସିଦ୍ଧି ପାଇସାରିଥିବା ଲେଖକଙ୍କୁ ହିଁ ଦିଆଯାଏ। କେହି ପ୍ରତିଷ୍ଠିତ ହୋଇ ନ ଥିବା ଲେଖକ ପୁରସ୍କାର ପାଇଲେ ତା’ର ସମାଲୋଚନା ହୁଏ। ଯଦିଓ ପୁରସ୍କାର ବହି ପାଇଁ ଉଦ୍ଦିଷ୍ଟ, ଅମୁକ ବରିଷ୍ଠ ଲେଖକ ପାଇନାହାନ୍ତି ବୋଲି କୁହାଯାଏ; କେହି କହନ୍ତି ନାହିଁ ଅମୁକ ଭଲ ବହିଟି ପାଇବା ଉଚିତ ଥିଲା। ଓଡ଼ିଆ ବହିର ପାଠକ ଓ ବିକ୍ରି ସଂଖ୍ୟା କମି ଯାଉଥିବାରୁ ଦୁଃଖ ପ୍ରକାଶ ପାଉଥିବା ବେଳେ ଦେଖାଯାଉଛି ଯେ ସାହିତ୍ୟ ପୁରସ୍କାର ସଂଖ୍ୟା ବଢ଼ିଚାଲିଛି। ପ୍ରତିଟି ପୁରସ୍କାର ପରେ ତା’କୁ ନେଇ ବାଦବିବାଦ ମଧ୍ୟ ସାଧାରଣ କଥା ହୋଇ ଯାଇଛି। ଏହା ଫଳରେ ପୁରସ୍କାର ଆଉ ଲେଖକ ବା ତା’ର ସାହିତ୍ୟର ଉତ୍କର୍ଷ ପରିମାପର ମାନକ ହୋଇ ରହିନାହିଁ।

ଆଉ ରହିଲା ଲେଖାର ଅବଧି କଥା। ଲେଖକମାନେ ନିଜ ଲେଖାର ଏକ ସୁଦୀର୍ଘ ଭବିଷ୍ୟତ କଳ୍ପନା କରିଥାନ୍ତି। ଗ୍ରୀକ କବୟିତ୍ରୀ ସାଫୋ(ଆନୁମାନିକ ୬୧୦-୫୮୦ ଖ୍ରୀଷ୍ଟପୂର୍ବ) ଲେଖିଥିଲେ, ମୁଁ ଯେଉଁ ଶବ୍ଦମାନଙ୍କୁ ଡାକି ଆଣିଛି, ସେମାନେ ଅମର। କବି ପିଣ୍ଡାର ( ୫୨୨-୪୪୦ ଖ୍ରୀ.ପୂ) ଦାବି କଲେ, ଯେଉଁ ନଗରୀ ମତେ କବିତାଟି ଲେଖିବା ପାଇଁ ନିୟୋଜିତ କରିଥିଲା, ସେହି ନଗରୀ ମରି ହଜି ଯିବା ପରେ ବି ଲୋକେ ମୋର ଗୀତକୁ ଗାଇବେ। ଶେକ୍ସପିଅର ତାଙ୍କର ୫୫ ନମ୍ବର ସନେଟରେ ଲେଖିଲେ, ରାଜାଙ୍କର ଶଂଖ ମର୍ମର ଓ ସ୍ୱର୍ଣ୍ଣ ନିର୍ମିତ ସ୍ମାରକ ଏହି କବିତାଠାରୁ ବେଶିଦିନ ତିଷ୍ଠିବେ ନାହିଁ।

ଭାରତୀୟ କବିମାନେ କିନ୍ତୁ ଏତେ ଆଶାବାଦୀ ନୁହନ୍ତି। ତଥାପି ଭବଭୂତି (ସପ୍ତମ-ଅଷ୍ଟମ ଶତାବ୍ଦୀ) ଆଶା କରିଥିଲେ ଯେ ଯଦିଓ ତାଙ୍କ ସମୟର ପାଠକ ତାଙ୍କ ଲେଖାକୁ ତାଚ୍ଛଲ୍ୟ କରୁଛନ୍ତି, କେବେ କେଉଁଠି ’ମମକୋପି ସମାନଧର୍ମା’ ଜନ୍ମ ନେବେ କାରଣ କାଳ ନିରବଧି ଓ ପୃଥିବୀ ବିପୁଳା।

ରବୀନ୍ଦ୍ର ନାଥ ଠାକୁର ମାତ୍ର ଗୋଟିଏ ଶତକର କଥା ଭାବିଥିଲେ ଓ ଲେଖିଥିଲେ, ’ଆଜି ହତେ ଶତବର୍ଷ ପରେ, କେ ତୁମି ପଡ଼ିଛ ବସି ଆମାର କବିତା ଖାନି କୌତୁହଲ ଭରେ’। ଏ କବିତା ଲେଖା ହେବାର ଶହେ ବର୍ଷ ପୂରି ଗଲାଣି, କିନ୍ତୁ ନିଶ୍ଚୟ ଆଶା କରାଯିବ ଯେ ଅନ୍ତତଃ ଆହୁରି ଶହେ ବର୍ଷ ପରେ ମଧ୍ୟ କବିତାଟିକୁ କିଏ ବସି କୌତୁହଳ ଭରି ପଢ଼ୁଥିବ। କେତେକ ଲେଖକଙ୍କ ବିଷୟରେ ନିଶ୍ଚିତ ଭାବେ କହିହେବ ଯେ ତାଙ୍କର ଲେଖା ଦୀର୍ଘ କାଳ ଜୀବିତ ରହିବ। ଶେକ୍ସପିଅରଙ୍କ ବିଷୟରେ ବେନ୍ ଜନସନ୍ କହିଥିଲେ,  ସେ ଗୋଟିଏ ସମୟର ନୁହନ୍ତି, ସେ କାଳ କାଳ ପାଇଁ। (ଏ କଥାକୁ ଉପହାସ କରି ବର୍ଣ୍ଣାର୍ଡ ଶ’ କହିଥିଲେ, ଶେକ୍ସପିଅର ମାତ୍ର ଗୋଟିଏ ଅପରାହ୍ଣ ପାଇଁ!)

ଭବିଷ୍ୟତରେ କଣ ହେବ ନ ହେବ ସେ କଥା କିଏ କହିପାରିବ? କାଳିଦାସ କଣ କଳ୍ପନା କରିଥିବେ ଯେ କୌଣସି ସମୟରେ ଗୋରା ଲୋକ ଆମ ଦେଶକୁ ଆସିବେ ଏବଂ ତାଙ୍କ ଜରିଆରେ ଶକୁନ୍ତଳା ଇଉରୋପରେ ପହଞ୍ଚିବ? ଫକୀରମୋହନ କଣ ସ୍ୱପ୍ନରେ ସୁଦ୍ଧା ଭାବିଥିଲେ ଯେ ଛମାଣ ଆଠଗୁଣ୍ଠ କେବଳ ସାରା ଭାରତରେ ନୁହେଁ ବିଦେଶରେ ମଧ୍ୟ ପଢ଼ା ହେବ ଓ ଆଲୋଚିତ ହେବ? ଗୋଟିଏ ବହିର କିପରି ଅଦ୍‌ଭୁତ ପୁନର୍ଜନ୍ମ ହୋଇପାରେ ତା’ର ଏକ ଚରମ ଉଦାହରଣ ନିମ୍ନମତେ:

ହେନ୍‌ରି ରଥ୍ ନାମକ ଜଣେ ଅନାମଧେୟ ଲେଖକଙ୍କର କଲ୍ ଇଟ୍ ସ୍ଲୀପ୍ ନାମକ ଉପନ୍ୟାସ ବାହାରିଲା ୧୯୩୪ରେ। ଏଇଟିକୁ କେହି ପଚାରିଲେ ନାହିଁ ଏବଂ ବହିର ପ୍ରକାଶକ ବି ଦେବାଳିଆ ହୋଇଗଲେ। ୧୯୬୪ରେ ଏକ ଜଣାଶୁଣା ପ୍ରକାଶନ ସଂସ୍ଥା ଏହାର ଏକ ପେପର ବ୍ୟାକ ସଂସ୍କରଣ ବାହାର କଲେ। ନିଉୟର୍କ ଟାଇମ୍‌ସ୍‌ରେ ଏହାର ଏକ ଅତି ପ୍ରଶଂସାର ଆଲୋଚନା ବାହାରିବା ପରେ ବହିଟି ଦଶଲକ୍ଷରୁ ବେଶି ବିକ୍ରି ହେଲା। ହସ୍ପିଟାଲ ପରିଚାରକ, ରାସ୍ତାକଡ଼ର ବୁଲା ବିକାଳୀ କାମ କରି ଚଳୁଥିବା ଲେଖକ ନିଜର ଆର୍ଥିକ ଅନଟନରୁ ମୁକ୍ତି ପାଇଲେ।

କ୍ୱଚିତ ଲେଖକଙ୍କ ଭାଗ୍ୟରେ ଏ ଭଳି ବିରଳ ଘଟଣା ଘଟିବ। ତେବେ ସବୁ ଲେଖକ ଚାହାନ୍ତି ଯେ ଜୀବନ କାଳରେ ସଫଳତା ଓ ପ୍ରସିଦ୍ଧି ସହିତ ଭବିଷ୍ୟତରେ ମଧ୍ୟ ତାଙ୍କର ପ୍ରସିଦ୍ଧି ଅବ୍ୟାହତ ରହୁ। ସେଥିପାଇଁ ପ୍ରଥମ ଆବଶ୍ୟକତା ହେଲା ଭବିଷ୍ୟତରେ ଲେଖକର ବହି ଉପଲବ୍ଧ ହେବା। ତାଳପତ୍ର ପୋଥିର ବୟସ ପ୍ରାୟ ଶହେ ବର୍ଷ ଗଣନା କରି ଏକ ବ୍ୟବସ୍ଥା କରାଯାଇଥିଲା ଯେ ଶହେ ବର୍ଷ ପୁରୁଣା ପୋଥିକୁ ନକଲ କରିବା ପରେ ସେ ପୋଥିକୁ ନଈରେ ଭସାଇ ଦିଆଯିବ। କାଗଜର ଛପା ବହି ପୁନର୍ମୁଦିତ  ହେଉଥିବା ପର୍ଯ୍ୟନ୍ତ ପାଠକଙ୍କ ପାଇଁ ବଜାରରେ ମିଳେ। ବହିର ଚାହିଦା କମିଗଲେ ବହିଟି ଆଉ ଛପା ହୁଏ ନାହିଁ ଓ ଆଗ୍ରହୀ ପାଠକକୁ ଲାଇବ୍ରେରିରେ ଖୋଜିବାକୁ ପଡ଼େ। ବର୍ତ୍ତମାନ ଡିଜିଟାଲ ସଂସ୍କରଣ ସମ୍ଭବ ହେଉଥିବାରୁ ବହିର ଜୀବନକାଳ ଆହୁରି ବଢ଼ି ଯାଇଛି।

ନିଜର ଜୀବନକାଳରେ ଲେଖକକୁ ଜଣା ନାହିଁ ତା’ର ବହିର ଭାଗ୍ୟ କ’ଣ ହେବାକୁ ଯାଉଛି; ତେଣୁ ଭବିଷ୍ୟତ କଥା ଭାବିବା ନିରର୍ଥକ। ଲେଖା ପାଇଁ ଯେତିକି ସ୍ୱୀକୃତି, ସମ୍ବର୍ଦ୍ଧନା ଓ ସମ୍ମାନ ମିଳୁଛି, ତା’କୁ ଖୁସିରେ ଗ୍ରହଣ କରି ସନ୍ତୁଷ୍ଟ ରହିବା ଉଚିତ। ଉଦ୍ୟମ ଫଳରେ ଯେଉଁ ପୁରସ୍କାର, ପ୍ରଶଂସା ଓ ପ୍ରସିଦ୍ଧି ମିଳେ ତା’ କ୍ଷଣସ୍ଥାୟୀ ଏବଂ କେହି ତା’କୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ଲେଖକର କର୍ତ୍ତବ୍ୟ ଓ ଧର୍ମ ହେବା ଉଚିତ ନିଜ ପ୍ରତି ସଚ୍ଚୋଟ ରହି ସାଧ୍ୟମତେ ଉତ୍ତମରୁ ଉତ୍ତମ ଲେଖା ଲେଖିବା। ଏବଂ ଯେତେ ସମ୍ଭବ ଦୃଷ୍ଟି ରଖିବା କିପରି ତା’ର ଲେଖା ପାଠକଙ୍କ ପାଖରେ ଉପଲବ୍ଧ ହେବ। କିଛି ବି ଲାଭ ନାହିଁ ବିପୁଳା ପୃଥ୍ୱୀ ଓ ନିରବଧି କାଳ କଥା ଭାବି।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment