ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଓ ଆଉ ଆବଶ୍ୟକ କରୁ ନ ଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।

ତାଙ୍କ ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ‘‘ଗତ ସାଧାରଣ ନିର୍ବାଚନ ପରେ ମତେ ଆଉ ପଚାରୁ ନାହାନ୍ତି। ବର୍ତ୍ତମାନ ବିଜେପୁର ଉପନିର୍ବାଚନ ବେଳେ ମଧ୍ୟ ମତେ ପଚାରି ନାହାନ୍ତି। ଯେଉଁ ଦଳ ମୋତେ ପଚାରୁ ନାହିଁ ମୁଁ କ’ଣ ଗୋଡ଼େଇକି ପ୍ରାର୍ଥୀ ହେବି। ମୋର ସ୍ଥିତି ସେ ଦଳ ଆଉ ଅନୁଭବ କରୁ ନାହିଁ। ’’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ମୁଁ ୪୫ ବର୍ଷ ହେଲା ରାଜନୀତିରେ ରହିଛି। ୩୫ ବର୍ଷ ବିଧାୟକ ରହିଛି। ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛି। ଆଉ ଅଧିକ ହେବାର କିଛି ନାହିଁ। ଡ଼ିଶାବାସୀ ଜାଣିଛନ୍ତି ମୁଁ ୨୪ ଘଣ୍ଟା ରାଜନୀତି କରେ। ଲୋକଙ୍କ ସହ ଯୋଡ଼ି ହୋଇ ରୁହେ। କିନ୍ତୁ ନିର୍ବାଚନ ପରେ ମତେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଲୋଡ଼ାଗଲା ନାହିଁ। ଏହା ମତେ ଅଶ୍ୱସ୍ତିକର ମନେହେଲା। ଏଥିପାଇଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।’’

ବିଜେଡିରେ ଥିବା ବେଳେ ଦାମ ତାଙ୍କରି ଦଳର ନେତାଙ୍କ ଗୁମାର ଖୋଲି ବିଦା ହୋଇଥିଲେ। ପରେ ସେ ପଦ୍ମ ଧରିଥିଲେ। ବିଜେପି ଟିକେଟରେ ସେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଦାମ ପରାଜିତ ହୋଇଥିଲେ।

ଅନ୍ୟପଟେ ବିଜେପୁର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଦାମଙ୍କ ନାଁ ନଥିବାରୁ ଦାମ ଅସନ୍ତୋଷ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ବିଜେପୁର ନିର୍ବାଚନର ଠିକ୍‌ ୪ ଦିନ ପୂର୍ବରୁ ବିଜେପିରୁ ଦାମ ଇସ୍ତଫା ଦେଇଛନ୍ତି।

Comment