ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ପୋଲିସ ନିକଟରେ ୩ ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ୨ ଓଡ଼ିଆ ମାଓବାଦୀ ଏବଂ ଜଣେ ମହିଳା ଅଛନ୍ତି। ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍‌ପି ବାବୁଜି ଆତାଡାଙ୍କ ନିକଟରେ ଏହି ୩ ଜଣ ଆତ୍ମସମର୍ପଣ କରିଛନ୍ତି।

ଏହି ୩ ମାଓବାଦୀ ଗାଲିକୋଣ୍ଡା ମାଓ ଦଳରେ ସକ୍ରିୟ ରହିଥିଲେ। ଏମାନଙ୍କ ଉପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ପୋଲିସ ଥାନାରେ ହତ୍ୟା, ଲ୍ୟାଣ୍ଡମାଇନ ବିସ୍ଫୋରଣ, ଲୁଟ୍‌, ପୋଲିସ ଉପରକୁ ଗୁଳି ଚାଲାଣ ଭଳି ୧୫ରୁ ଅଧିକ ମାମଲା ରହିଛି।  ଆତ୍ମସମର୍ପଣ କରିଥିବା ଏମ୍‌ ରାମୁ ଓରଫ୍ ବାଙ୍ଗର ରାଜୁ, କୋଲେରୀ ଦେବୀ ଓରଫ୍ ଜ୍ୟୋତି ଏବଂ ସାଙ୍ଗି ଲକ୍ଷ୍ମଣ।

ଚିତ୍ରକୋଣ୍ଡା ପଞ୍ଚାୟତର ବାଦଳପଡୁ ଗ୍ରାମର ବାସିନ୍ଦା ହେଉଛନ୍ତି ଏମ୍‌ ରାମୁ। ତାଙ୍କ ବୟସ ୨୯ ବର୍ଷ। ରାଜୁ ୨୦୦୯ ମସିହାରେ ଚିତ୍ରକୋଣ୍ଡା ନିକଟରେ ମାଓବାଦୀ ପ୍ରଜାମେଳି କରୁଥିବା ବେଳେ ଯୋଗଦାନ କରିଥିଲେ ଏମ୍‌ ରାମୁ।

ପ୍ରଥମେ ସେ ଚିତ୍ରକୋଣ୍ଡା ଏରିଆ କମିଟି ଦଳରେ ଯୋଗ ଦେଇଥିଲେ ଏବଂ ପରେ ସେ ମାଓନେତ୍ରୀ ଅରୁଣାଙ୍କ ସହ ଏବଂ ମାଓନେତା ରାମକୃଷ୍ଣଙ୍କ ଅଙ୍ଗରକ୍ଷକ ରୂପେ କାର୍ଯ୍ୟ କରୁଥିଲେ। ୨୦୧୬ ମସିହାରେ ସେ ଗାଲିକୋଣ୍ଡା ମାଓ ଦଳରେ ଜଣେ ଆଗଧାଡିର ନେତା ରୂପେ ନିଯୁକ୍ତି ପାଇଥିଲେ। ସେ ୩୦୩ ଓ ଏସ୍‌ଏଲଆର୍‌ ବନ୍ଧୁକ ବ୍ୟବହାର କରୁଥିବା କହିଛନ୍ତି।

ଏମ୍‌ ରାମୁଙ୍କ ନାମରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ଥାନାରେ ୧୦ରୁ ଅଧିକ ହତ୍ୟା ମାମଲା, ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ, ୪ଟି ସରକାରୀ ସମ୍ପତ୍ତି ନଷ୍ଟ, ୪ଟି ଜାଗାରେ ମାଓ-ପୋଲିସ ଗୁଳି ବିନିମୟ ମାମଲା ରହିଛି। ଗତ ୫ ବର୍ଷ ହେବ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୋଲିସର ହିଟ ଲିଷ୍ଟରେ ରହିବା ସହ ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ତାଲିକାରେ ରହିଥିଲା। ଏଣୁ ଆନ୍ଧ୍ରପ୍ରଦେଶ ସରକାର ବାଙ୍ଗର ରାଜୁ ନାମରେ ୪ ଲକ୍ଷ ତାଙ୍କର ପୁରସ୍କାର ଘୋଷଣା କରିଥିଲେ.

ଚିତ୍ରକୋଣ୍ଡା ପଞ୍ଚାୟତର ବାଦଳପଡୁ ଗ୍ରାମର ବାସିନ୍ଦା ଜ୍ୟୋତି ୨୦୧୭ରୁ ଗାଲିକୋଣ୍ଡା ମାଓ ଦଳରେ ସକ୍ରିୟ ରହିଥିଲେ। ଜ୍ୟୋତି ମାଓନେତ୍ରୀ ଅରୁଣାଙ୍କ ସହଯୋଗୀ ଥିଲା। ଅରୁଣାଙ୍କ ଯୋଗୁ ହିଁ ସେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ପୋଲିସ ନିକଟରେ ପ୍ରକାଶ କରିଛି।

ପ୍ରଥମେ ସେ ଚିତ୍ରକୋଣ୍ଡା ଏରିଆ କମିଟି ସଙ୍ଗଠନରେ ସକ୍ରିୟ ଥିଲା। ପରେ ୨୦୧୮ ମସିହାରେ ସେ ପଦୋନ୍ନତି ପାଇ ଗାଲିକୋଣ୍ଡା ମାଓ ଦଳରେ ଯୋଗ ଦେଇଥିଲେ। ଜ୍ୟୋତି ନାମରେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ବିଭିନ୍ନ ଥାନାରେ ୫ରୁ ହତ୍ୟା ମାମଲା ରହିଛି। ସେ ବିଗତ ଦିନରେ ଆନ୍ଧ୍ର ଓଡିଶା ସୀମାନ୍ତରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ଜଡିତ ଥିଲା। କିନ୍ତୁ ଏହି ଘଟଣାରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ଜ୍ୟୋତି ଫେରାର ହୋଇଯାଇଥିବା ପୋଲିସ ନିକଟରେ ପ୍ରକାଶ କରିଛି।

ଜ୍ୟୋତି ଗତ ୧ ବର୍ଷ ଧରି ଆନ୍ଧ୍ରପ୍ରଦେଶ ପୋଲିସର ମୋଷ୍ଟୱାଣ୍ଟେଡ ମାଓବାଦୀ ତାଲିକାରେ ରହିଥିଲା। ଏଣୁ ଆନ୍ଧ୍ରପ୍ରଦେଶ ସରକାର ଜ୍ୟୋତି ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

ମାଓବାଦୀ ଲକ୍ଷ୍ମଣ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଵେବରପଲ୍ଲୀ ଗ୍ରାମର ବାସିନ୍ଦା। ବୟସ ତାଙ୍କର ୨୫ ବର୍ଷ। ସେ ୨୦୧୩ ମସିହା ଠାରୁ ଗାଲିକୋଣ୍ଡା ମାଓ ସଙ୍ଗଠନରେ ସକ୍ରିୟ ଥିଲା। ସେ ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ନିକଟରେ ବସବାସ କରୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଯାଇଥିବା ବେଳେ ମାଓବାଦୀଙ୍କ ସଂସ୍ପର୍ଶରେ ଆସିଥିଲା। ୨୦୧୩ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲା। ଲକ୍ଷ୍ମଣ ନାମରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ୪ରୁ ଅଧିକ ହତ୍ୟା ମାମଲା ଓ ୩ରୁ ଅଧିକ ଲ୍ୟାଣ୍ଡମାଇନ ବିସ୍ଫୋରଣ ମାମଲା ରହିଛି। ସେ ଦଳରେ ୩୦୩ ବନ୍ଧୁକ ବ୍ୟବହାର କରୁଥିଲା ଏବଂ ମାଓନେତା ଚଳପତିର ଅଙ୍ଗରକ୍ଷକ ରୂପରେ କାର୍ଯ୍ୟ କରିଥିବା ପୋଲିସ ନିକଟରେ ପ୍ରକାଶ କରିଛି।

ଲକ୍ଷ୍ମଣ ୨୦୧୫ ମସିହାଠାରୁ ଆନ୍ଧ୍ରପ୍ରଦେଶ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓବାଦୀ ତାଲିକାରେ ସାମିଲ ହୋଇଥିଲା। ପୋଲିସ ଲକ୍ଷ୍ମଣ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି, ‘‘ପୋଲିସ ଗୁଳିରେ ବହୁ ମାଓନେତା ଓ ସହଯୋଗୀଙ୍କ ମୃତ୍ୟୁ ହୋଇଗଲା। ଫଳରେ ସଙ୍ଗଠନ ଦୁର୍ବଳ ହୋଇଗଲା। ଆମେ ଅସୁବିଧାରେ ରହୁଥିଲୁ। ପୋଲିସର ଜୋରଦାର କୁମ୍ବିଂ ଅପେରସନରେ ଜୀବନ ହରାଇବା ଭୟ ମଧ୍ୟ ରହିଥିଲା। ଏଣୁ ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ଅତିବାହିତ ପାଇଁ ନିଷ୍ପତ୍ତି ନେଲୁ।’’

‘‘ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ସୁବିଧା ପ୍ରଦାନ କରାଯିବ। ଏହାସହ ସେମାନଙ୍କୁ ପୁରସ୍କାର ଦିଆଯିବ’’, କହିଛନ୍ତି ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍‌ପି ବାବୁଜି ଆତାଡା।

Comment