ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ ଫଟୋ

କଟକ: ମାନବ ଚାଲାଣ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ପେଶାଲ୍ ଡ୍ରାଇଭ୍ ଜାରି ରହିଛି। ଏହି କ୍ରମରେ ତିନିଟି ଜିଲ୍ଲାରୁ ପୁଣି ୫୦ ଜଣ ଦଲାଲ୍ ଗିରଫ ହୋଇଛନ୍ତି। ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଏହି ଦଲାଲଙ୍କୁ ଗିରଫ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ଶହ ଶହ ଶ୍ରମିକଙ୍କୁ ପ୍ରଲୋଭିତ କରି ଚାଲାଣ କରୁଥିଲେ।

ଏନେଇ ପୋଲିସ ପାଖରେ ଅଭିଯୋଗ ହେବା ପରେ ଦଲାଲମାନଙ୍କୁ ଧରିବା ପାଇଁ ଗତ ୧୧ ତାରିଖରୁ ସ୍ପେସାଲ୍ ଡ୍ରାଇଭ୍ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୪୧ ଜଣ ଦଲାଲ୍ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରୁ ଗିରଫ ହୋଇଥିଲେ। ଏହି କ୍ରମରେ ଗତକାଲି ରାତିରେ ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଏସ୍‌ପିମାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଜିଲ୍ଲା ତମାମ୍ ଚଢ଼ଉ କରାଯାଇଥିଲା।

ଏଥିରେ ମୋଟ୍ ୫୦ ଜଣ ଦଲାଲ୍ ଗିରଫ ହୋଇଥିଲେ। ନବରଙ୍ଗପୁରରୁ ୨୦, ରାୟଗଡ଼ାରୁ ୧୫ ଓ କଳାହାଣ୍ଡିରୁ ୧୫ ଜଣ ଗିରଫ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ୩, ଝରିଗାଁରୁ ୩, ଉମରକୋଟରୁ ୩ ଓ ନବରଙ୍ଗପୁର ଥାନା ଅଞ୍ଚଳରୁ ୧୧ ଜଣ ଦଲାଲ୍ ଗିରଫ ହୋଇଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲାର ଅମ୍ବାଦଳା ଥାନା ଅଞ୍ଚଳରୁ ୨, ଚନ୍ଦ୍ରପୁର ୨, ମୁନିଗୁଡ଼ା ୨, ବିସମକଟକ ୧, ଚାନ୍ଦିଲି ୩, କଲ୍ୟାଣସିଂହପୁର ୩, ଗୁଡ଼ାରି ୨ ଓ ଗୁଣୁପୁରରୁ ୨ ଜଣ ଦଲାଲ୍ ଧରାପଡ଼ିଛନ୍ତି। କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅଞ୍ଚଳରୁ ୫, କେସିଙ୍ଗାରୁ ୨, ଭବାନୀପାଟଣାରୁ ୨ ଓ କେଗାଓଁ ଥାନା ଅଞ୍ଚଳରୁ ୭ ଜଣ ଦଲାଲ୍ ଗିରଫ ହୋଇଛନ୍ତି। ଏହି ଅଭିଯୁକ୍ତମାନଙ୍କୁ ମୋଟ୍ ୧୭ଟି ମାମଲାରେ କୋର୍ଟ ଚାଲାଣ କରାଯାଇଛି।

ସେଥି ମଧ୍ୟରୁ ରାୟଗଡ଼ାରେ ୮, ନବରଙ୍ଗପୁରରେ ୪ ଓ କଳାହାଣ୍ଡି ଜିଲ୍ଲାରେ ୫ଟି ମାମଲା ରହିଛି। ଏହି ସବୁ ଦଲାଲମାନଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ସଂପର୍କ ଥିବା ଅନ୍ୟ ଦଲାଲମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ତଦନ୍ତ ଜାରି ରଖିଛି। ବେଆଇନ ମାନବ ଚାଲାଣ ବିରୋଧରେ ରାଜ୍ୟ ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର ମନ୍ତ୍ରର ଅଂଶ ବିଶେଷ ବୋଲି ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

Comment