ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବୁକ୍‌ ହେଲା ୨୦୨୦ ଇଦ୍‌ ଉତ୍ସବ। କାହିଁକି ନା, ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କ ନୂଆ ଫିଲ୍ମ ଆସୁଛି। ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ। ପୁଣିଥରେ ଭାଇଜାନ୍‌ଙ୍କ ଟପୋରୀ ପୋଲିସ ଲୁକ୍‌ ଦେଖିବେ ଦର୍ଶକ। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଡ୍ୟାନ୍ସ ମାଷ୍ଟର ପ୍ରଭୁଦେବା। ଆସନ୍ତା ବର୍ଷ ଉଦ୍‌ ଅବସରରେ ରିଲିଜ୍‌ ହେବ ଫିଲ୍ମ ‘ରାଧେ’।

କୁହାଯାଉଛି ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ହେଉଛି ୨୦୦୯ ମସିହାର ସଲମାନ୍‌ଙ୍କ ଫିଲ୍ମ ‘ୱାଣ୍ଟେଡ୍’ର ସିକ୍ୱେଲ। କାହିଁକି ନାଁ ୱାଣ୍ଟେଡ୍ ଫିଲ୍ମ୍‌ରେ ସଲମାନ୍‌ଙ୍କ ନାଁ ଥିଲା ‘ରାଧେ’। ଏହାକୁ ଆଧାର କରି ପ୍ରଭୁଦେବା ଏହି ଫିଲ୍ମକୁ ନିର୍ମାଣ କରିଥିବା କୁହାଯାଉଛି। ତେବେ ଏବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ।

ଶୁକ୍ରବାର ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଫିଲ୍ମର ମୋସନ୍‌ ପୋଷ୍ଟର ରିଲିଜ ହୋଇଛି। ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ପୋଷ୍ଟରକୁ ନିଜ ଟୁଇଟରରେ ସେୟାର କରିଥିବା ଦେଖିବାକୁ ମିଳିଛି। ସଲମାନ୍‌ ଖାନ୍‌ ଫିଲ୍ମସ୍‌ ବ୍ୟାନ୍‌ରେ ନିର୍ମାଣ ହେଉଥିବା ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନ୍‌ଙ୍କ ଭାଇ ସୋହେଲ ଖାନ୍‌।

Comment