ଭାସ୍କର ପରିଚ୍ଛା

ଇଏ ଏକ ଚମତ୍କାର ଆତ୍ମଜୀବନୀ। ଆତ୍ମଜୀବନୀ ନୁହେଁ ତ ଅଧ୍ୟାପକ ଜୀବନର ଆଖିଦେଖା ବିବରଣୀ। ପ୍ରଫେସର ପ୍ରଭୁ ପ୍ରସାଦ ପାଣିଗ୍ରାହୀଙ୍କୁ ଏବେ ୭୬ ବର୍ଷ। ୧୯୬୫ରେ ସେ ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ କଲେଜରେ ଅଧ୍ୟାପକ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି  ଓଡ଼ିଶାର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା କରିଥିବା ପ୍ରଫେସର ପାଣିଗ୍ରାହୀଙ୍କ ଚାକିରି ଜୀବନର ବେଶ୍ ସମୟ କଟିଥିଲା ନେହରୁ ଯୁବା କେନ୍ଦ୍ର ସହିତ।

ମଝିରେ  ସେ ରାଜ୍ୟ ସରକାରଙ୍କ  ପ୍ରୌଢ଼ ଶିକ୍ଷା ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଚାକିରି ଜୀବନର ଶେଷ ଆଡ଼କୁ ଅବଶ୍ୟ ଶ୍ରେଣୀଗୃହ ଅଧ୍ୟାପନାକୁ ସେ ଫେରିଥିଲେ। ତେବେ ଅବସର ଗ୍ରହଣ କରିବା ପରେ ସେ ଗୋପାଳପୁର ୟୁଥ ହଷ୍ଟେଲର ତତ୍ୱାବଧାରକ ବି ଥିଲେ। ପ୍ରଫେସର ପାଣିଗ୍ରାହୀ ରୋଟାରୀ ଆନ୍ଦୋଳନ ସହିତ ଜଡିତ ହୋଇଥିଲେ ଓ ଅନେକ ସାମାଜିକ ସଂସ୍ଥା ସହ ତାଙ୍କର ସମ୍ପୃକ୍ତି ବି ଥିଲା। ଏହିପରି ଏକ ବିଶାଳକାୟ ସ୍ମୃତିକୁ ନେଇ ଯେଉଁ ଆତ୍ମଜୀବନୀ ପୁସ୍ତକ ରଚନା ହୋଇଛି ତାହା ରୋଚକ ହେବାକୁ ବାଧ୍ୟ।

ପାଖାପାଖି ୮୦୦ ପୃଷ୍ଠାର ଏହି ସଚିତ୍ର ଆତ୍ମଜୀବନୀ ପଢ଼ିବା ଯଦି  ଆୟାସସାଧ୍ୟ ,ଏଇଟିକୁ ଲେଖିବାରେ ଲେଖକ କେତେ କଷ୍ଟ କରିନଥିବେ ତାହା ଅନୁମାନ ସାପେକ୍ଷ। ଆତ୍ମଜୀବନୀର ଶୀର୍ଷକ ହିଁ କହିଦେବ ଲେଖକ କେତେ ଉଦାର ଓ ସଂଭ୍ରମଶୀଳ। ପୁସ୍ତକରେ ସମଗ୍ର ଜୀବନ କାହାଣୀଟିକୁ ଥୋଇବା ଭିତରେ ପ୍ରଫେସର ପାଣିଗ୍ରାହୀ ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗର ଏକ ଜୀବନ୍ତ ଚିତ୍ରକୁ ମଧ୍ୟ  ଉପସ୍ଥାପନ କରିଛନ୍ତି। ଏଥିରେ ଭୂଗୋଳ ଅଛି, ଇତିହାସ ଅଛି, ସାମାଜିକତା ଅଛି ଓ ସର୍ବୋପରି ଏକ ନିଚ୍ଛକ ପ୍ରତିଛବି ମଧ୍ୟ ରହିଛି। ଜୀବନୀଟିକୁ ପଢ଼ିବା ବେଳେ ପାଠକକୁ ଲାଗିବ ସେ ଏକ ଅପହଞ୍ଚ ଇଲାକାରେ ପହଞ୍ଚିଛନ୍ତି ଓ ସେଇଠୁ ଫେରିବା କଷ୍ଟକର।

ପ୍ରଫେସର ପାଣିଗ୍ରାହୀ ଥିଲେ ବିଶିଷ୍ଟ ଶିକ୍ଷକ ଓ ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବିନାୟକ ଆଚାର୍ଯ୍ୟଙ୍କ ଛାତ୍ର। ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରଫେସର ପାଣିଗ୍ରାହୀ ଡ଼ ଶ୍ରୀରାମଚନ୍ଦ୍ର ଦାଶଙ୍କ ଛାତ୍ର ଥିଲେ। ସେ ନିଜେ ଯେତେବେଳେ ସରକାରୀ କଲେଜରେ ଅଧ୍ୟାପକ ହେଲେ ବହୁ ଛାତ୍ରଙ୍କୁ ସେ ପଢ଼ାଇଛନ୍ତି ଯେଉଁମାନେ ଏବେ ଓଡ଼ିଶା ରାଜନୀତିରେ ବେଶ୍ ଜଣାଶୁଣା। ଭର୍ତ୍ତୃହରି ମହତାବଙ୍କଠାରୁ ଆରମ୍ଭ କରି ମନମୋହନ ସାମଲ ପ୍ରଭୃତି ତାଙ୍କର ଛାତ୍ର ଥିଲେ।

ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟାପକ/ଅଧ୍ୟକ୍ଷ  ହେବା ଭିତରେ ଓ ନେହରୁ ଯୁବା କେନ୍ଦ୍ର ସହିତ ସମ୍ପର୍କ ସ୍ଥାପନ ସମୟର ଯେତେସବୁ ଅସଂଖ୍ୟ  ଘଟଣା ଓ ଚରିତ୍ରକୁ ସେ ସାମ୍ନା କରିଛନ୍ତି ସେ ସବୁକୁ ଏହି ଜୀବନୀ ପୁସ୍ତକରେ ଲିପିବଦ୍ଧ କରାଯାଇଛି। ତାହା  ହିଁ ଏହି ପୁସ୍ତକର  ବିଶେଷତ୍ୱ।

ଲେଖକ ପ୍ରାକ-କଥନରେ ଲେଖିଛନ୍ତି: ‘ଆତ୍ମଜୀବନୀ ରଚନା କାହାପାଇଁ ଏକ କଳାତ୍ମକ ସୃଷ୍ଟି ତ ଆଉ କାହାପାଇଁ ନିଜର ଆତ୍ମବଡିମା ପ୍ରକାଶ କରିବାର ଏକ ଚମତ୍କାର କୌଶଳ। କିନ୍ତୁ ମୁଁ ଭାବେ ନିଜ ଜୀବନରେ ଘଟିଥିବା ଅନୁଭୂତି ଗୁଡ଼ିକର ଆବେଗମୟ ସ୍ୱଚ୍ଛନ୍ଦ ସତ୍ୟନିଷ୍ଠ ବର୍ଣ୍ଣନା ଦ୍ୱାରା  ଆତ୍ମଜୀବନୀଟି ପାଠକଦ୍ୱାରା ଆଦୃତ ହୋଇଥାଏ। ବହୁ ଆତ୍ମଜୀବନୀ ସମ୍ପୂର୍ଣ୍ଣ ସତ୍ୟନିଷ୍ଠ ହୋଇନଥାଏ। ସତ୍ୟକୁ ସ୍ୱୀକାର କରିବା ଓ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣା ବିନା ସଙ୍କୋଚରେ ଅନାବିଳ ଭାବରେ ବର୍ଣ୍ଣନା କରିବାର ସତ ଆତ୍ମଜୀବନୀ ଲେଖକର ରହିବା ଉଚିତ।

ବ୍ରହ୍ମପୁର ସହର ନିକଟ ଲାଠି-ବେନଦାଳିଆ ଗ୍ରାମର ‘ମାଷ୍ଟ୍ର’ ପରିବାରରେ ଜନ୍ମିତ ପ୍ରଫେସର ପାଣିଗ୍ରାହୀଙ୍କ ଏହି ଆତ୍ମଜୀବନୀରେ ଚାକିରି ଜୀବନର ପ୍ରତିଟି ଘଟଣା ବ୍ୟତୀତ କିଛି ପ୍ରଶଂସା ପତ୍ର, ସମ୍ମାନ ଓ ସମ୍ବର୍ଦ୍ଧନାର ସ୍ମୃତି, ପରିବାର ଓ କର୍ମକ୍ଷେତ୍ରର ଫୋଟୋ ଏଭଳି ବହୁ କଥା ରହିଛି। ଆତ୍ମଜୀବନୀରୁ ତତ୍କାଳୀନ ଶିକ୍ଷା ବ୍ୟବସ୍ଥା ବ୍ୟତୀତ  ଓଡ଼ିଶାର ଉଚ୍ଚ ଶିକ୍ଷାକୁ ଯେଉଁମାନେ ରୁଦ୍ଧିମନ୍ତ କରି ଆସିଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ବହୁତ କଥା ଜାଣିହେବ। ସ୍ମୃତିଚାରଣର ଭାଷା ସରଳ ଓ ସାବଲୀଳ।ଏଥିରେ କପଟତା ନାହିଁ କି ନାହିଁ ଆତ୍ମପ୍ରଶସ୍ତି। ଏହି ଆତ୍ମଜୀବନୀ ପାଇଁ କଟକରେ ରହୁଥିବା ଜଣେ ବରିଷ୍ଠ ଶିକ୍ଷାବିତ ପ୍ରଫେସର ପ୍ରହ୍ଲାଦ ଚନ୍ଦ୍ର ନନ୍ଦଙ୍କୁ ଲେଖକ ଶ୍ରେୟ ଦେଇଛନ୍ତି। ସ୍ଥୂଳ ଭାବରେ କହିଲେ ‘ବିସ୍ତୃତ ବେଳାଭୂମିର ଶାମୁକା ଗୋଟାଳି’ ଏକ ସଫଳ ଓ ଆଖି ଖୋଲି ଦେବାଭଳି ଆତ୍ମଜୀବନୀ।

ବିସ୍ତୃତ ବେଳାଭୂମିର ଶାମୁକା ଗୋଟାଳି

ପ୍ରଭୁପ୍ରସାଦ ପାଣିଗ୍ରାହୀ

ଏଥେନା ବୁକ୍ସ,ଭୁବନେଶ୍ୱର, ୭୫୦ ଟଙ୍କା

Comment