ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନରେ ସଫଳତା ପାଇବାକୁ ହେଲେ ନିଜ ଭିତରେ ଥିବା ଲାଜ ଓ ସଙ୍କୋଚକୁ ଛାଡ଼ିବାକୁ ପଡ଼ିବ। ଏମିତି କରିବା ଦ୍ୱାରା ଆପଣ ଦିନେ ନା ଦିନେ ନିଶ୍ଚୟ ସଫଳତା ପାଇବେ।

ମଣିଷ ମନ ଭିତରେ ବି ଅନେକ ରାବଣ ଛୁପି ରହିଛି। ଜୀବନରେ ଆମକୁ ଆଗକୁ ବଢ଼ିବାକୁ ହେଲେ, ଆମ ଭିତରେ ଲୁଚି ରହିଥିବା ରାବଣଙ୍କୁ ମନରୁ ମାରିବାକୁ ପଡ଼ିବ। ଏଭଳି ଏକ ସୁନ୍ଦର ବାର୍ତ୍ତାକୁ ନିଜର ଭିଡିଓ ମାଧ୍ୟମରେ ଲୋକଙ୍କୁ ଜଣାଇଛନ୍ତି ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ‘ଆକାଶ ଇନସ୍ପାୟର୍ସ’ରେ ସେ ଏହି କଥା ଉପରେ ଆଲୋଚନା କରିଛନ୍ତି।

ସେ କହିଛନ୍ତି ରାବଣ ଜଣେ ମହାଜ୍ଞାନୀ ଥିଲେ ମଧ୍ୟ, ନିଜର କୁକର୍ମ ପାଇଁ ଆଜି ସେ ସମସ୍ତଙ୍କ ପାଖରେ ଜଣେ ଜଣେ ନକରାତ୍ମକ ବ୍ୟକ୍ତି ଭାବେ ପରିଚିତ। ଆମ ଭିତରେ ମଧ୍ୟ କେତେକ ରାବଣ ରୂପୀ ଚରିତ୍ର ଲୁଚି ରହିଛି। ଏହିସବୁ ଚରିତ୍ରକୁ ଆମକୁ ମାରିବାକୁ ପଡ଼ିବ ବୋଲି ସେ ତାଙ୍କର ଏହି ଭିଡିଓରେ ଆକାଶ କହିଛନ୍ତି।

ଆକାଶଙ୍କ କହିବା ଅନୁସାରେ ଆମ ଭିତରେ ଅନେକ ପ୍ରକାରର ରାବଣ ଲୁଚି ରହିଥାଏ। ଯେମିତିକି ଆଳସ୍ୟ, ଲଜ୍ଜା ବା ସଙ୍କୋଚ, ଅଂହକାର।

ଆମ ଭିତରେ ଥିବା ଆଳସ୍ୟ ରୂପୀ ରାବଣକୁ ଆମକୁ ମାରିବାକୁ ପଡ଼ିବ। କେତେକ ଲୋକ ଅଛନ୍ତି ଯେଉଁମାନେ କେବଳ ଯୋଜନା ଉପରେ ଯୋଜନା ହିଁ କରିଥାନ୍ତି। କିନ୍ତୁ କୌଣସି କାମ କରନ୍ତି ନାହିଁ। ତେଣୁ ଆମ ଭିତରେ ଥିବା ଏହି ଆଳସ୍ୟ ରୂପୀ ରାବଣକୁ ଆମକୁ ମାରିବାକୁ ପଡ଼ିବ। ନଚେତ ଆମେ ଜୀବନରେ ସଫଳତାକୁ ସ୍ପର୍ଶ କରିପାରନ୍ତି ନାହିଁ।

ସେହିପରି ଦ୍ୱିତୀୟରେ ଆମ ମନ ଭିତରେ ଥିବା ନକରାତ୍ମକ ରୂପୀ ରାବଣର ବଧ କରିବା ନିହାତି ଆବଶ୍ୟକ ବୋଲି ସେ ତାଙ୍କର ଭିଡିଓରେ କହିଛନ୍ତି। ଯେତେ ପର୍ଯ୍ୟନ୍ତ ନକରାତ୍ମକ ଚିନ୍ତାଧାରା ଆମ ମନରେ ଥିବା ଆମେ କଦାପି ଜୀବନରେ ସଫଳତା ପାଇପାରିବା ନାହିଁ।

ଆକାଶଙ୍କ ମତରେ ଆମ ମନ ଭିତରେ ଥିବା ଲାଜ ବା ସଙ୍କୋଚ ରୂପୀ ରାବଣକୁ ଆମ ମନ ଭିତରୁ କାଢ଼ିବା ନିହାତି ଆବଶ୍ୟକ। ସେ ଏହି ସମୟରେ ବାଇବେଲର ଏକ ଲେଖାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ଜୀବନରେ ଆଗକୁ ବଢ଼ିବାକୁ ହେଲେ ଲଜ୍ୟା ଓ ସଙ୍କୋଚ ରୂପୀ ରାବଣକୁ ଆମ ଭିତରୁ ବଧ କରିବାକୁ ପଡ଼ିବ।

ସେହିଭଳି ଆମେ ଜଣେ ବ୍ୟକ୍ତି ବିଷୟରେ କିଛି ନଜାଣି ମଧ୍ୟ ଅନେକ ସମୟରେ ତାଙ୍କ ଉପରେ ନକରାତ୍ମକ କଥା ଚିନ୍ତା କରିଥାଉ। ତେଣୁ ଆମ ଭିତରେ ଥିବା ଭୁଲ ଧାରଣା ରୂପୀ ରାବଣକୁ ନିଧନ କରିବାକୁ ପଡ଼ିବ ବୋଲି ସେ ତାଙ୍କ ଭିଡିଓରେ କହିଛନ୍ତି। ଏହାର ଉଦାହରଣ ଦେଇ ସେ ଗୋଟିଏ ଛୋଟିଆ କାହାଣୀର ବର୍ଣ୍ଣନା କରିଛନ୍ତି।

ଗୋଟିଏ ଟ୍ରେନରେ ଜଣେ ବାପା ଆଉ ତାଙ୍କ ପୁଅ  ଓ ଦୁଇଜଣ ସ୍ୱାମୀ ସ୍ତ୍ରୀ ଯାଉଥିଲେ। ଟ୍ରେନରେ ସେଇ ପିଲାଟି ଛୋଟ ପକ୍ଷୀ ଓ ଟ୍ରେନର ଝରକା ଦେଇ ଚାଲିଯାଉଥିବା ଗଛକୁ ଦେଖି ବହୁତ ଖୁସି ହେଇଯାଉଥିଲା। ଏହାଦେଖି ସ୍ୱାମୀ ସ୍ତ୍ରୀ ଦୁଇଜଣ ପିଲାଟିର ମାନସିକ ଅବସ୍ଥା ସମ୍ପର୍କରେ ତା ବାପାଙ୍କୁ ପଚାରିଥିଲେ।

ପିଲାର ବାପାଜଣକ କହିଥିଲେ ଯେ, ତାଙ୍କ ପୁଅର ଏବେ ଏବେ ଅପରେସନ ହୋଇ ନୂଆ ଆଖି ଲାଗିଛି। ଏହପୂର୍ବରୁ ସେ ଅନ୍ଧ ଥିଲେ। ତେଣୁ ଆମେ ସବୁବେଳେ ଜଣେ ଲୋକ ବିଷୟରେ କିଛି ନଜାଣି ତାଙ୍କ ଉପରେ ଅନେକ ନକରାତ୍ମକ ଚିନ୍ତାଧାରା ଭାବିଦେଇଥାଉ। ଯାହାକି ଆମକୁ ପରିତ୍ୟାଗ କରିବାକୁ ପଡ଼ିବ।

 ଏହାପରେ ଆକାଶ ତାଙ୍କ ଭିଡିଓରେ ଆମ ମନରେ ଥିବା ଇର୍ଷା ରୂପୀ ରାବଣ ବିଷୟରେ କହିଥିଲେ। ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଉପରେ ଇର୍ଷା କରି କରି ନିଜର ହିଁ କ୍ଷତି କରିଥାନ୍ତି। ତେଣୁ ଅନ୍ୟ କଥା ଚିନ୍ତା ନକରି ନିଜ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହାପରେ ଜୀବନରେ ସଫଳତା ପାଇବା ପାଇଁ ଆମର କ୍ରୋଧ ଉପରେ ଆମକୁ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଏହି କ୍ରୋଧ ପାଇଁ ହିଁ ମଣିଷ ସବୁବେଳେ ଭୁଲ ପଦକ୍ଷେପ ନେଇଥାଏ। ତେଣୁ ଆମ ଭିତରେ ଥିବା ଏହି କ୍ରୋଧ ରୂପୀ ରାବଣକୁ ଆମକୁ ମାରିବାକୁ ପଡ଼ିବ।

ସେହିପରି ଆମ ଭିତରେ ଥିବା ଅହଂକାର ରୂପୀ ରାବଣ ଆମକୁ ଜୀବନରେ ଆମକୁ ସବୁବେଳେ ବିଫଳତାର ରାସ୍ତା ଦେଖାଇଥାଏ। ତେଣୁ ଜୀବନରେ ସଫଳତା ପାଇବାକୁ ହେଲେ ଏହି ଅହଂକାର ରୂପୀ ରାବଣକୁ ମନରୁ ମାରିବାକୁ ପଡ଼ିବ ବୋଲି ସେ ତାଙ୍କର ଭିଡିଓରେ କହିଛନ୍ତି।

Comment