ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାରା ଦେଶ ପାଳୁଛି ପବିତ୍ର ଦୀପାବଳି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ମୋଦିଙ୍କ ୫୮ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ। ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି ଦୀପାବଳିରେ ସ୍ଥାନୀୟ ଉତ୍ପାଦ କିଣିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

ଏଥର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମୋଦି ନାରୀଶକ୍ତି ଉପରେ ଜୋର ଦେଇଛନ୍ତି। ମୋଦି କହିଛନ୍ତି,”ଝିଅମାନେ ଆମ ଘରର ଲକ୍ଷ୍ମୀ, ଆମ ମାନଙ୍କ ପାଇଁ ଗର୍ବ। ନାରୀଶକ୍ତିକୁ ଆମେ ସମସ୍ତେ ସମ୍ମାନ କରିବା ଉଚିତ୍‌।”

ସେହିପରି ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମରେ ଗୁରୁ ନାନକ ଏବଂ ସର୍ଦ୍ଦାର ଭାଇ ପଟେଲଙ୍କୁ ସ୍ମରଣ କରିଛନ୍ତି। ମୋଦି କହିଛନ୍ତି, “ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟ’ ପର୍ଯ୍ୟଟକଙ୍କ ପାଇଁ ଏକ ଭଲ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଗତ ଏକ ବର୍ଷ ମଧ୍ୟରେ ଏଠାରେ ୨୬ ଲକ୍ଷ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି।”

“ସର୍ଦ୍ଦାର ପଟେଲ ଦେଶକୁ ଏକତା ସତ୍ରରେ ବାନ୍ଧି ରଖିଥିଲେ। ତେଣୁ ଆସନ୍ତା ୩୧ରେ ଦେଶରେ ‘ରନ୍‌ ଫର ୟୁନିଟି’ ଆୟୋଜିତ କରାଯାଉଛି। ଦେଶକୁ ଏକତା ସୁତ୍ର ବାନ୍ଧିବା ପାଇଁ ଏହି ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହେଉଛି” ମୋଦି କହିଛନ୍ତି।

ସାରା ଦେଶରେ ଏବେ ସ୍ୱଚ୍ଛତାର ସ୍ୱର ଶୁଣିବାକୁ ମିଳୁଛି। ପ୍ରତିକୂଳ ପରିସ୍ଥିତିରେ ସିଆଚେନ୍‌ରେ ଯବାନଙ୍କ ସ୍ୱଚ୍ଛତା ଅଭିଯାନ ପ୍ରଶଂସନୀୟ।

କେବଳ ଭାରତ ନୁହେଁ, ବିଭିନ୍ନ ଆଜି ଦେଶ ବିଦେଶରେ ଦୀପାବଳି ପାଳନ ହେଉଛି। ଭାରତ ହେଉଛି ପର୍ବର ଦେଶ। ଏହା ଦ୍ୱାରା ଦେଶର ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି।

Comment