ଓଡିଶାଲାଇଭ୍ ବ୍ୟୁରୋ

କଟକ ବାଲିଯାତ୍ରା ଷ୍ଟଲ ବିକ୍ରିକୁ ନେଇ କୌଣସି ବିବାଦ ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସ୍ପଷ୍ଟ କରିଛନ୍ତି। ବାଲିଯାତ୍ରାରେ ଭାଗ ନେବାକୁ ଆସୁଥିବା ବ୍ୟବସାୟୀଙ୍କ ପାଇଁ ଷ୍ଟଲ ଦର କମ ରହିଛି। କେବଳ ୨ ହଜାର ବର୍ଗ ଫୁଟରୁ ଅଧିକ ଜାଗା ନେଇ ଅନ୍ୟକୁ ବିକ୍ରୀ କରୁଥିବା ଲୋକଙ୍କ ଉପରେ କଟକଣା ରଖାଯାଇଛି। ତେଣୁ ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟବସାୟୀମାନେ ସିଧାସଳଖ ଜିଲ୍ଲା ପ୍ରଶାସନଠାରୁ ଧାର୍ଯ୍ୟ ଦରରେ ଷ୍ଟଲ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

କଟକ ଐତିହାସିକ ବାଲିଯାତ୍ରା ପାଇଁ ଷ୍ଟଲ ବିକ୍ରି ଆରମ୍ଭ ହୋଇଥିବା ବେଳେ ଗତବର୍ଷ ପରି ଷ୍ଟଲର ଦାମକୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ଟଣାଓଟରା ଲାଗିଛି।

ବିଶେଷ କରି ୨ ହଜାର ବର୍ଗ ଫୁଟରୁ ୩ ହଜାର ବର୍ଗ ଫୁଟ ପରିସୀମା ମଧ୍ୟରେ ଆସୁଥିବା ଜାଗା ଓ ୩ ହଜାର ବର୍ଗ ଫୁଟ ଉପରକୁ ଆସୁଥିବା ଜାଗାକୁ ନେଇ ବିବାଦ ଦେଖାଦେଇଛି। ଏହାର ଦାମ ଅତ୍ୟଧିକ ରଖାଯାଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ‘‘୨ ହଜାର ବର୍ଗ ଫୁଟ ତଳକୁ ଥିବା ସମସ୍ତ ଷ୍ଟଲର ଦାମ କମ ରହିଛି। ଏକ ହଜାର ବର୍ଗ ଫୁଟ ପର୍ଯ୍ୟନ୍ତ ଜାଗାର ଦାମ ବର୍ଗ ଫୁଟ ପିଛା ୩୦ ଟଙ୍କା ରଖାଯାଇଛି। ସେହିପରି ଏକ ହଜାରରୁ ଦୁଇ ହଜାର ବର୍ଗ ଫୁଟ ମଧ୍ୟରେ ଜାଗାର ଦାମ ବର୍ଗ ଫୁଟ ପିଛା ୩୧ ଟଙ୍କା ୫୦ ପଇସା ରଖାଯାଇଛି।’’

ଅନ୍ୟପକ୍ଷରେ ୨ ହଜାର ବର୍ଗ ଫୁଟ ଓ ୩ ହଜାର ବର୍ଗ ଫୁଟ ଉପରକୁ ଥିବା ଜାଗାକୁ କିଛି ଲୋକ ବ୍ୟବସାୟୀଙ୍କୁ ବିକ୍ରୀ କରୁଥିବାରୁ ସେମାନଙ୍କ ଉପରେ କଟକଣା ଲଗାଇବାକୁ ଏହି ପରିସୀମାର ଜାଗା ଉପରେ ଅଧିକ ଦାମ ଧାର୍ଯ୍ୟ କରାଯାଇଛି। ତେଣୁ ଅନ୍ୟ କାହାରିଠାରୁ ଷ୍ଟଲ ନ ନେଇ ବ୍ୟବସାୟୀମାନେ ସିଧାସଳଖ ଜିଲ୍ଲା ପ୍ରଶାସନଠାରୁ ଷ୍ଟଲ ନେଇ ସୁରୁଖୁରରେ ବ୍ୟବସାୟ କରିବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ।

Comment