ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏବେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଚେତାବନୀ ଦେଇଛି। ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହାର ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛି ବିସିଆଇ। ଏନେଇ ବିସିଆଇର ଅଧ୍ୟକ୍ଷ ମନନ ମିଶ୍ର ରାଜ୍ୟ ବାର୍ କାଉନସିଲ୍‌କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ ପରେ ବାର୍ କାଉନସିଲ୍‌ର ଏଭଳି କଠୋର ମନୋଭାବ ଆନ୍ଦୋଳନରତ ବାର୍ ଆସୋସିଏସନ୍ ଓ ଏହାର ଆଇନଜୀବୀମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଓଡିଶା ହାଇକୋର୍ଟ ବାର୍ ସମେତ ରାଜ୍ୟର ବହୁ ବାର୍ ଦୀର୍ଘଦିନ ଧରି ଆନ୍ଦୋଳନ ଚଲାଇ ଆସୁଛନ୍ତି। ହାଇକୋର୍ଟ ବାର୍ ବାହାରୁ ବିଚାରପତି ଚୟନକୁ ବିରୋଧ କରି ନିକଟରେ ହାଇକୋର୍ଟ ବାର କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ମାମଲା ପରିଚାଳନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ଏନେଇ ସୁପ୍ରିମକୋର୍ଟ ହାଇକୋର୍ଟ ବାର୍ ଆସୋସିଏସନ୍, ରାଜ୍ୟ ବାର୍ କାଉନସିଲ୍, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ କରିଛନ୍ତି। ସେହିପରି ଯେଉଁ ଆଇନଜୀବୀମାନେ ଆନ୍ଦୋଳନରେ ଅଛନ୍ତି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ତାହା ଉପରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ବିସିଆଇ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ଏହି ନିର୍ଦ୍ଦେଶ ପରେ ବିସିଆଇ ପକ୍ଷରୁ ରାଜ୍ୟ ବାର୍ କାଉନସିଲ୍‌କୁ ଚିଠି କରାଯାଇଛି। ଏହି ଚିଠି ଜରିଆରେ ହାଇକୋର୍ଟ ବାର୍ ସମେତ ଆନ୍ଦୋଳନରେ ଥିବା ସମସ୍ତ ବାର୍ ଆସୋସିଏସନକୁ ଆନ୍ଦୋଳନରୁ ତୁରନ୍ତ ଓହରିଯିବାକୁ ବାର୍ କାଉନସିଲ୍ ନିର୍ଦ୍ଦେଶ ଦେଇଛନ୍ତି।

Comment