ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସରକାରୀ ବ୍ୟାଙ୍କ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳରେ ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଘଟୁଛି। ହେଲେ ଘରୋଇ କ୍ଷେତ୍ରରେ ନୂଆ ବ୍ୟାଙ୍କ ଖୋଲିବା ସହିତ ଏହାର ସମ୍ପ୍ରସାରଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଏହାର ସଦ୍ୟ ଉଦାହରଣ ହେଉଛି ବନ୍ଧନ ବ୍ୟାଙ୍କ। ଭାରତର ଏକ ଘରୋଇ ‘ବନ୍ଧନ ବ୍ୟାଙ୍କ’ ଗତ ୫ ବର୍ଷରୁ କମ୍‌ ସମୟ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର କାରବାର କରିବାରେ ରିପୋର୍ଟ ପ୍ରକାଶ ପାଇଛି।

ବନ୍ଧନ ବ୍ୟାଙ୍କ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ କାରବାର ରିପୋର୍ଟ ପ୍ରକାଶ କରିଛି। ତଥ୍ୟ ମୂତାବିକ, ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ ମୋଟ ୧, ୧୩,୩୮୧ କୋଟି ଟଙ୍କାର କାରବାର କରିଛି। ଏହା ମଧ୍ୟରୁ ବ୍ୟାଙ୍କ ୪୯,୧୯୫ କୋଟି ଟଙ୍କା ଜମା ନେଇଥିବା ବେଳେ ୬୪,୧୮୬ କୋଟି ଟଙ୍କା ଋଣ ଆକାରରେ ବାହାରକୁ ଦେଇଛି। ଏଥିସହିତ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ରହିଛି ୦.୫୬ ପ୍ରତିଶତ।

ସେହିପରି ଗତ ୫ ବର୍ଷ ମଧ୍ୟରେ ବନ୍ଧନ ବ୍ୟାଙ୍କ ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର କାୟା ବିସ୍ତାର କରିଛି। ସାରା ଦେଶରେ ବ୍ୟାଙ୍କର ଶାଖା ସଂଖ୍ୟା ୪,୨୨୦ରେ ପହଞ୍ଚି ଥିବା ବେଳେ ବ୍ୟାଙ୍କରେ ମୋଟ ୩୫,୪୬୮ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୧.୮୩ କୋଟି ଗ୍ରାହକ ବନ୍ଧନ ବ୍ୟାଙ୍କ ସହ ଯୋଡ଼ି ହୋଇଛନ୍ତି।

୨୦୧୫ ମସିହା ଜୁନ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଲାଇସେନ୍ସ ପ୍ରାପ୍ତ କରିଥିଲା ବନ୍ଧନ ବ୍ୟାଙ୍କ। ସେହି ବର୍ଷ ଅଗଷ୍ଟ ମାସରେ ୫୫୦ଟି ବ୍ରାଞ୍ଚକୁ ନେଇ ବନ୍ଧନ ବ୍ୟାଙ୍କ ଆରମ୍ଭ କରିଥିଲା ଏହାର ଯାତ୍ରା। ବର୍ତ୍ତମାନ ୫ ବର୍ଷ ନପୁରୁଣୁ ବ୍ୟାଙ୍କ ସଫଳତାର ସହ ୧ ଲକ୍ଷ କୋଟି ଟଙ୍କାର କାରବାର କରିବାରେ ସକ୍ଷମ ହୋଇଛି। ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ଚନ୍ଦ୍ର ଶେଖର ଘୋଷ।

Comment