ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନଗୁଡ଼ିକରେ ରହୁଥିବା ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।

ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ, କେନ୍ଦୁଝର ଓ ସମ୍ବଲପୁର ଭଳି ଜିଲ୍ଲାମାନଙ୍କର ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାମାନଙ୍କ ପାଇଁ ଅଧିକ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।

ଗତ ଦୀପାବଳି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜ ପରିଦର୍ଶନ କରି ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଶୁ ସେବା ଅନୁଷ୍ଠାନ ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀମାନେ ଏବଂ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶିଶୁ ସେବା ଓ କଲ୍ୟାଣ ସଂସ୍ଥାଗୁଡିକ ପରିଦର୍ଶନ କରିଥିଲେ।

ପିଲାମାନଙ୍କ ମତାମତକୁ ଭିତ୍ତିକରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ସଂସ୍ଥାଗୁଡିକର ଉନ୍ନତି ପାଇଁ  ରେଡକ୍ରସ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Comment