ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଏୟାରଲାଇନ୍ସ କମ୍ପାନି ଇଣ୍ଡିଗୋ ୩୦୦ଟି A320neo ଫ୍ୟାମିଲି ବିମାନ କିଣିବା ପାଇଁ ଏୟାରବସ କମ୍ପାନିକୁ ବଡ଼ ଅର୍ଡର ଦେଇଛି। ତେବେ ଏହା ହେଉଛି କୌଣସି ଗୋଟିଏ ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଥିବା ସବୁଠାରୁ ବଡ଼ ଅର୍ଡର। ଏହି ଅର୍ଡର ମଧ୍ୟରେ ରହିଛି A320neo, A321neo ଏବଂ A32XLR ବିମାନ ସାମିଲ ରହିଛି।

ଏୟାରବସ୍‌ କମ୍ପାନିକୁ ଦିଆଯାଇଥିବା ଏହି ଅର୍ଡର ବିଷୟରେ ଇଣ୍ଡିଗୋ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୋନୋଜୟ ଦତ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି,”ଭାରତରେ ବିମାନ ଚଳଚଳ କ୍ଷେତ୍ରରେ ଏହା ଆମ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଅଗ୍ରଗତି ହେବା ନେଇ ଆଶା କରାଯାଉଛି। ଗ୍ରାହକଙ୍କୁ କମ୍‌ ଖର୍ଚ୍ଚରେ ଉତ୍ତମ ବିମାନସେବା ଦେବା ପାଇଁ ଆମ ପ୍ରୟାସ ଜାରି ରହିବ।”

ଇଣ୍ଡିଗୋ ହେଉଛି ଦୁନିଆର ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଏୟାରଲାଇନ୍ସ କମ୍ପାନି। ଏହା ପୂର୍ବରୁ ଇଣ୍ଡିଗୋ ୨୦୦୫ରୁ ୧୫ ମଧ୍ୟରେ ୩ଟି କିସ୍ତିରେ ୫୩୦ ଏୟାରବସ୍‌ ବିମାନ ପାଇଁ ଅର୍ଡର ଦେଇଥିଲା। ମାର୍ଚ୍ଚ ୨୦୧୬ରେ କମ୍ପାନିକୁ ପ୍ରଥମ A320neo ବିମାନ ମିଳିଥିଲା।

ବର୍ତ୍ତମାନ କମ୍ପାନି ପାଖରେ ଦୁନିଆର ସବୁଠାରୁ ଅଧିକ ୮୯ଟି A320neo ବିମାନ ରହିଛି। ସେହିପରି ୧୨୯ଟି A320-200 ବିମାନ, ୭ଟି A321neo ବିମାନ ଏବଂ ୨୨ଟି ATR72 ଫ୍ୟାମିଲି ବିମାନ ଇଣ୍ଡିଗୋ ଏୟାରଲାଇନ୍ସରେ କାର୍ଯ୍ୟରତ ଅଛି।

Comment