ଓଡ଼ିଶାଲାଇଭ୍ ବ୍ୟୁରୋ

ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ଉତ୍ତର ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ଅନୁକୂଳ ପରିସ୍ଥିତି ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଉଛି। ଯଦି ତାହା ହୁଏ ଏହି ଲଘୁଚାପ କ୍ରମଶଃ ପୂର୍ବ ଉପକୂଳ ଆଡକୁ ଗତି କରିପାରେ। ଏଣୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପଟି ପଶ୍ଚିମ ଉତ୍ତର ଦେଇ ଗତି କରିବା ସହ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ଆଶଙ୍କା ରହିଛି।

ସମୁଦ୍ର ପୃଷ୍ଠର ତାପମାତ୍ରା, ସମତଳ ଭୂମିରେ ଗରମ, ଜଳବାୟୁରେ ଆର୍ଦ୍ରତା ଓ ହାଲକା ପବନର ପ୍ରବାହ  ତଥା ଆନୁସଙ୍ଗିକ ଉପାଦାନକୁ ଦେଖିଲେ ନଭମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି  ହେବା ଦେଖାଯାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିସ୍ୱାଶ କହିଛନ୍ତି।

ତେବେ ନିକଟରେ ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଦୁଇଟି ବାତ୍ୟା ‘କ୍ୟାର ଓ ମହା’ ତଥା ପଶ୍ଚିମ ମଧ୍ୟ ଅରବୀୟ ସାଗରରେ ଅନ୍ୟ ଏକ ବାତ୍ୟା ‘ମତମୋ’ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ ବିଶ୍ୱାସ ମତ ପ୍ରକାଶ କରିଛନ୍ତି।

ସାଧାରଣତଃ ସମୁଦ୍ରରେ ୨୬.୫ ଡିଗ୍ରୀରୁ ଅଧିକ ଉତ୍ତାପ ରହିଲେ ଉଷ୍ଣକଟି ବନ୍ଧୀୟ ବାତ୍ୟା ବା ଟ୍ରପିକଲ ସାଇକ୍ଲୋନ ସୃଷ୍ଟି ହୋଇଥାଏ। ତେବେ ପରିସ୍ଥିତି ଅନୁକୂଳ ଥିଲେ ବି ସବୁବେଳେ ଯେ ବାତ୍ୟା ହେବ ସେଭଳି କହିହେବ ନାହିଁ ବୋଲି ବିଶ୍ୱାସଙ୍କ ମତ।

ପାଣିପାଗ ବିଶେଷଜ୍ଞମାନେ କୁହନ୍ତି ଯେ, ପ୍ରତିବର୍ଷ ବଙ୍ଗୋପସାଗରରେ ଘଣ୍ଟାକୁ ୬୩ କିମି ବେଗରେ ପବନ ବହିବା ଭଳି ପ୍ରାୟ ପାଞ୍ଚ ଛଅଟି ବାତ୍ୟା ସଂଘଟିତ ହୋଇଥାଏ। ଏଥିମଧ୍ୟରୁ ଦୁଇ ତିନୋଟି ଭୀଷଣ ବାତ୍ୟାରେ ପରିଣତ ହୁଏ। ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୮୯ କିମି ହୁଏ ତାହା ବ୍ୟାପକ କ୍ଷୟକ୍ଷତି ଉପୁଜାଇଥାଏ।

ବିଶେଷକରି ମୌସୁମୀ ପରବର୍ତ୍ତୀ ବାତ୍ୟାଗୁଡ଼ିକ କ୍ଷତିକାରକ ଓ ଏଗୁଡ଼ିକର ତାଣ୍ଡବ ଅତି ସାଙ୍ଘାତିକ। ୧୯୯୯ ମହାବାତ୍ୟା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ଆସିଥିଲା। ପ୍ରାକୃତିକ ଅବସ୍ଥିତି ଅନୁସାରେ ବଙ୍ଗୋପସାଗରକୁ ସାଧାରଣତଃ ବାତ୍ୟାକ୍ଳିଷ୍ଟ ଅଞ୍ଚଳ ବୋଲି ପରିଗଣିତ କରାଯାଏ।

ଭୌଗୋଳିକ ଅବସ୍ଥିତି ଅନୁଯାୟୀ, ଭାରତର ପୂର୍ବ ଓ ଉତ୍ତର ଉପକୂଳରେ ଥିବା ୮ଟି ରାଜ୍ୟ ସବୁଠାରୁ ଅଧିକ ବାତ୍ୟାପ୍ରବଣ। ଅତୀତ ଇତିହାସ କହୁଛି ବହୁ ବାତ୍ୟା ଆସି ଏହି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପୂର୍ବ-ଦକ୍ଷିଣ ଉପକୂଳରେ ଥିବା ଲଗାଲଗି ଚାରୋଟି ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗର ଲୋକେ ସବୁଠାରୁ ଅଧିକ ବାତ୍ୟାଜନିତ କ୍ଷତି ସହି ଆସିଛନ୍ତି।

Comment